Bhagavad Gita: Chapter 6, Verse 17

ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ ।
ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା ।।୧୭।।

ଯୁକ୍ତ-ନିୟନ୍ତ୍ରିତ, ସଂଯତ; ଆହାର- ଭୋଜନ; ବିହାରସ୍ୟ- ବିଶ୍ରାମ; ଯୁକ୍ତ ଚେଷ୍ଟସ୍ୟ କର୍ମସୁ- ପରିଶ୍ରମ କରିବାରେ ସଂଯମ; ଯୁକ୍ତ-ନିୟନ୍ତ୍ରିତ; ସ୍ୱପ୍ନ ଅବବୋଧସ୍ୟ -ନିଦ୍ରା ଓ ଜାଗରଣ; ଯୋଗଃ - ଯୋଗ ଅଭ୍ୟାସ; ଭବତି -ହୁଏ; ଦୁଃଖହା- ଦୁଃଖ ବିନାଶକ ।

Translation

BG 6.17: କିନ୍ତୁ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି ।

Commentary

ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଯୋଗ ଅଟେ । ଏହାର ବିପରୀତ ଭୋଗ ଅଟେ, ଯାହାର ଅର୍ଥ ଇନ୍ଦ୍ରିୟ ସୁଖରେ ମଜ୍ଜିଯିବା । ଭୋଗରେ ଲିପ୍ତ ରହିବା, ଶରୀରର ପ୍ରାକୃତିକ ନିୟମକୁ ବିରୋଧ କରିଥାଏ, ଯାହା ରୋଗ ସୃଷ୍ଟି କରେ ଏବଂ ପୂର୍ବ ଶ୍ଲୋକରେ କୁହାଯିବା ପ୍ରକାରେ ରୋଗଗ୍ରସ୍ତ ଶରୀର ଯୋଗ ସାଧନାରେ ବାଧା ଉତ୍ପନ୍ନ କରିଥାଏ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଶାରୀରିକ କର୍ମରେ ସଂଯମ ରକ୍ଷା କରି ଏବଂ ଯୋଗ ଅଭ୍ୟାସ ଦ୍ୱାରା, ଆମେ ନିଜର ଦୈହିକ ଓ ମାନସିକ ଦୁଃଖକୁ ଦୂର କରି ପାରିବା ।

ଶ୍ରୀକୃଷ୍ଣଙ୍କ ଅବତାରର ପ୍ରାୟ ଅଢ଼େଇ ହଜାର ବର୍ଷ ପରେ, ଗୌତମ ବୁଦ୍ଧ ଏହି ନିର୍ଦ୍ଦେଶର ପୁନରାବୃତ୍ତି କରିଥିଲେ । ସେ ଅତ୍ୟଧିକ ତ୍ୟାଗ ଓ ଇନ୍ଦ୍ରିୟ ସୁଖ ମଧ୍ୟରେ ଏକ ମଧ୍ୟମ ପନ୍ଥା ଅନୁକରଣ କରିବାକୁ ଉପଦେଶ ଦେଇଥିଲେ । ଏ ବିଷୟରେ ଏକ ସୁନ୍ଦର ଗଳ୍ପ ଅଛି । କୁହାଯାଏ ଯେ, ଜ୍ଞାନ ପ୍ରାପ୍ତି ପୂର୍ବରୁ ଏକଦା ଗୌତମ ବୁଦ୍ଧ ଖାଦ୍ୟପେୟ ତ୍ୟାଗ କରି ଧ୍ୟାନ କରିବାକୁ ବସିଲେ । କିନ୍ତୁ କେତେଦିନ ପରେ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କଲେ ଏବଂ ଧ୍ୟାନରେ ମନ ଲଗାଇବା ତାଙ୍କ ପାଇଁ କଷ୍ଟକର ହେଲା । ସେହି ସମୟରେ କେତେଜଣ ଗ୍ରାମୀଣ ମହିଳା ମୁଣ୍ଡରେ ପାଣି ମାଠିଆ ଧରି ପାଖ ରାସ୍ତାରେ ଯାଉଥିଲେ ଏବଂ ଗୋଟିଏ ଗୀତ ଗାଉଥିଲେ । ସେହି ଗୀତର ଅର୍ଥ ଥିଲା; “ତାନ୍‌ପୁରା (ଏକ ତାରଯୁକ୍ତ ଭାରତୀୟ ବାଦ୍ୟ ଯନ୍ତ୍ର)ର ତାରକୁ ଟାଣି କରି ବାନ୍ଧ । କିନ୍ତୁ ଏତେ ଜୋର୍‌ରେ ଟାଣ ନାହିଁ, ଯଦ୍ୱାରା କି ତାର ଛିଣ୍ଡିଯିବ ।” ସେହି ଗୀତର ଶବ୍ଦସବୁ ବୁଦ୍ଧଦେବଙ୍କର କାନରେ ପଡ଼ିଲା । ସେ ବିସ୍ମିତ ହେଲେ, “ଏହି ଅଶିକ୍ଷିତ ଗ୍ରାମୀଣ ମହିଳାମାନେ କେତେ ମାର୍ମିକ ଗୀତ ଗାଉଛନ୍ତି! ଏହା ଆମ୍ଭମାନଙ୍କ ପାଇଁ ଏକ ଉପଦେଶ ଅଟେ । ଆମେ ମଧ୍ୟ ଆମ ଶରୀରକୁ କଷିବା ଆବଶ୍ୟକ (ସଂଯମ ପାଳନ), କିନ୍ତୁ ଏତେ ଅଧିକ ନୁହେଁ, ଯଦ୍ୱାରା କି ଶରୀର ହିଁ ନଷ୍ଟ ହୋଇଯିବ ।”

ବେଞ୍ଜାମିନ୍ ଫ୍ରାଙ୍କ୍‌ଲିନ୍ (୧୭୦୬-୧୭୯୦), ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଷ୍ଠାତା ପିତା, ଜଣେ ଆତ୍ମ-ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ମର୍ଯ୍ୟାଦାପ୍ରାପ୍ତ । ନିଜ ବ୍ୟକ୍ତିତ୍ୱର ବିକାଶ ପାଇଁ, ସେ କୋଡ଼ିଏ ବର୍ଷ ବୟସରୁ ଡ଼ାଏରୀ ଲେଖୁଥିଲେ । ସେଥିରେ ସେ ତେରଟି ଆଚରଣକୁ ନିୟମିତ ଭାବରେ ଲକ୍ଷ୍ୟ କରୁଥିଲେ । ତନ୍ମଧ୍ୟରୁ ପ୍ରଥମଟି ଥିଲା, “ସଂଯମ: ମାନ୍ଦା ହେବା ପର୍ଯ୍ୟନ୍ତ ଖାଅ ନାହିଁ; ଉନ୍ମତ୍ତ ହେବା ପର୍ଯ୍ୟନ୍ତ ପିଅ ନାହିଁ ।”