Bhagavad Gita: Chapter 6, Verse 11

ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ ।
ନାତ୍ୟୁଚ୍ଛ୍ରିତଂ ନାତିନୀଚଂ ଚୈଲାଜିନକୁଶୋତ୍ତରମ୍ ।।୧୧।।

ଶୁଚୌ-ପବିତ୍ର ସ୍ଥାନରେ; ଦେଶେ - ଦେଶରେ; ପ୍ରତିଷ୍ଠାପ୍ୟ - ସ୍ଥାପନକରି; ସ୍ଥିରଂ - ସ୍ଥିର; ଆସନଂ - ଆସନ; ଆତ୍ମନଃ - ନିଜର; ନ -ନୁହେଁ; ଅତି - ଅତି; ଉଚ୍ଛ୍ରିତଂ - ଉଚ୍ଚ; ନ - ନୁହେଁ; ଅତି -ଅତି; ନୀଚଂ -ନୀଚ; ଚୈଲ-ଅଜିନ- କୋମଳ ବସ୍ତ୍ର ଏବଂ ମୃଗ ଚର୍ମ; କୁଶୋତ୍ତରମ୍ - କୁଶ ଘାସ ।

Translation

BG 6.11: ଯୋଗାଭ୍ୟାସ ପାଇଁ ଏକ ପରିଷ୍କୃତ ସ୍ଥାନରେ, କୁଶ, ତୃଣ, ମୃଗ ଚର୍ମ ଓ ବସ୍ତ୍ର ଗୋଟିକ ଉପରେ ଗୋଟିଏ ରଖି ଏକ ଆସନ ପ୍ରସ୍ତୁତ କରିବା ଉଚିତ । ଆସନଟି ଅତି ଉଚ୍ଚ ବା ଅତି ନୀଚ ହେବା ଉଚିତ ନୁହେଁ ।

Commentary

ଶ୍ରୀକୃଷ୍ଣ ଏଠାରେ ସାଧନା ପାଇଁ ବହିରଙ୍ଗ ନିୟମର ବର୍ଣ୍ଣନା କରିଛନ୍ତି । ଶୁଚୌ ଦେଶେ ଅର୍ଥ ଶୁଦ୍ଧ ବା ପରିଷ୍କୃତ ସ୍ଥାନରେ । ସାଧନାର ପ୍ରାଥମିକ ସ୍ତରରେ ବାହ୍ୟ ପରିବେଶ ମନ ଉପରେ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ସୋପାନରେ ଜଣେ ଅପରିଷ୍କାର ଓ ଅସ୍ୱଚ୍ଛ ସ୍ଥାନରେ ମଧ୍ୟ ସାଧନା କରି ଆନ୍ତରିକ ଶୁଦ୍ଧି ହାସଲ କରିପାରେ । କିନ୍ତୁ ନବାଗତମାନଙ୍କ ପାଇଁ ପରିଷ୍କାର ସ୍ଥାନ ମନକୁ ମଧ୍ୟ ପରିଷ୍କାର ରଖିଥାଏ । କୁଶ ତୃଣର ଆସନ, ଭୂମିର ତାପ ନିରୋଧ କରିଥାଏ । ଏହା ଆଜିକାଲି ବ୍ୟବହାର କରାଯାଉ ଥିବା ଯୋଗ ଆସନ ସଦୃଶ ଅଟେ । ଏହାର ଉପରେ ଥିବା ମୃଗ ଚର୍ମ, ଜଣେ ଧ୍ୟାନସ୍ଥ ଥିବା ଅବସ୍ଥାରେ, ସର୍ପ ଓ ବିଛା ଆଦି ବିଷାକ୍ତ ସରୀସୃପମାନଙ୍କୁ ଦୂରରେ ରଖିଥାଏ । ଆସନ ଯଦି ଅତି ଉଚ୍ଚ ହୁଏ ତେବେ ପଡ଼ିଯିବାର ବିପଦ ଥାଏ । ଯଦି ଅତି ନିଚ୍ଚ ହୁଏ ତେବେ ସ୍ଥଳ ଭାଗର କୀଟ ଇତ୍ୟାଦି ବ୍ୟାଘାତ ପହଞ୍ଚାଇବାର ବିପଦ ରହିଥାଏ । ଏହି ଶ୍ଲୋକରେ ବସିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ସବୁ ଆଧୁନିକ ସମୟରେ ଅସଙ୍ଗତ ବୋଧ ହୋଇପାରେ, ଯାହା ଅନୁଯାୟୀ ସବୁ ନିର୍ଦ୍ଦେଶର ସାର ଭଗବତ୍ ଚିନ୍ତନରେ ନିମଗ୍ନ ହେବା ଅଟେ । କିନ୍ତୁ ସାଧନାର ଅନ୍ତରଙ୍ଗ ନିର୍ଦ୍ଦେଶ ସର୍ବଦା ସମାନ ଅଟେ ।