Bhagavad Gita: Chapter 6, Verse 34

ଚଞ୍ଚଳଂ ହି ମନଃ କୃଷ୍ଣ ପ୍ରମାଥି ବଳବଦ୍‌ଦୃଢମ୍ ।
ତସ୍ୟାହଂ ନିଗ୍ରହଂ ମନ୍ୟେ ବାୟୋରିବ ସୁଦୁଷ୍କରମ୍ ।।୩୪।।

ଚଞ୍ଚଳଂ - ଅସ୍ଥିର; ହି - ନିଶ୍ଚିତଭାବେ; ମନଃ- ମନ; କୃଷ୍ଣ- ହେ କୃଷ୍ଣ; ପ୍ରମାଥି - ଅଶାନ୍ତ; ବଳବଦ୍ - ବଳବାନ; ଦୃଢ଼ମ୍ - ଜିଦ୍‌ଖୋର; ତସ୍ୟ- ତାହାର; ଅହଂ-ମୁଁ; ନିଗ୍ରହଂ -ଦମନ; ମନ୍ୟେ -ମନେକରୁଛି; ବାୟୋଃ -ବାୟୁ; ଇବ -ପରି; ସୁଦୁଷ୍କରମ - ଅତ୍ୟନ୍ତ କଠିନ ।

Translation

BG 6.34: ହେ କୃଷ୍ଣ! ଏହି ମନ ଅତ୍ୟନ୍ତ ଅଶାନ୍ତ, ବିକ୍ଷୁବ୍ଧ, ବଳବାନ ଏବଂ ଜିଦ୍‌ଖୋର ଅଟେ । ମୋର ମନେ ହେଉଛି, ଏହାକୁ ନିୟନ୍ତ୍ରଣ କରିବା ବାୟୁର ଗତିକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ ଅଧିକ କଷ୍ଟକର ଅଟେ ।

Commentary

ଅର୍ଜୁନ, ଆମ ସମସ୍ତଙ୍କୁ ଲକ୍ଷ୍ୟ କରି, ଏହି ଉପଦ୍ରବୀ ମନ ବିଷୟରେ କହୁଛନ୍ତି । ଏହା ଅସ୍ଥିର ଅଟେ କାରଣ ସମସ୍ତ ଦିଗରେ ଗୋଟିଏ ବସ୍ତୁରୁ ଅନ୍ୟବସ୍ତୁକୁ ଘୂରି ବୁଲୁଥାଏ । ଏହା ଅଶାନ୍ତ ଅଟେ କାରଣ ଏହା ଘୃଣା, କ୍ରୋଧ, କାମ, ଲୋଭ, ଈର୍ଷା, ଉତ୍କଣ୍ଠା, ଭୟ, ଆସକ୍ତି ଇତ୍ୟାଦି ଦ୍ୱାରା ବ୍ୟକ୍ତିର ଚେତନାରେ କ୍ରାନ୍ତି ସୃଷ୍ଟି କରିଥାଏ । ଏହା ବଳବାନ କାରଣ ଏହା ନିଜର ପ୍ରବଳ ଆବେଗ ଦ୍ୱାରା ବୁଦ୍ଧିକୁ ପରାସ୍ତ କରିଦିଏ ଏବଂ ବିଚାର ଶକ୍ତିକୁ ନଷ୍ଟ କରିଦିଏ । ମନ ଜିଦ୍‌ଖୋର ମଧ୍ୟ ଅଟେ, କାରଣ କୌଣସି ମନ୍ଦ ବିଚାରକୁ କାର୍ଯ୍ୟକାରୀ ନ କରି ଏହା ସହଜରେ ଛାଡି ଦିଏନାହିଁ । ବୁଦ୍ଧି ହତାଶ ହେବା ଯାଏଁ ମନ ବାରମ୍ବାର ତାହାର ରୋମନ୍ଥନ କରୁଥାଏ । ମନର ଏହିସବୁ ହାନିକର ଗୁଣ ବର୍ଣ୍ଣନା କରିସାରି, ଅର୍ଜୁନ ଘୋଷଣା କରୁଛନ୍ତି ଯେ, ମନକୁ ନିୟନ୍ତ୍ରଣ କରିବା ବାୟୁକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ କଷ୍ଟକର ଅଟେ । ଏହା ଏକ ଶକ୍ତିଶାଳୀ ଉପମା ଅଟେ, କାରଣ କୌଣସି ବ୍ୟକ୍ତି ଆକାଶର ବଳବାନ ବାୟୁକୁ ନିୟନ୍ତ୍ରଣ କରିପାରିବେ ନାହିଁ ।

ଅର୍ଜୁନ ଏହି ଶ୍ଲୋକରେ ଭଗବାନଙ୍କୁ କୃଷ୍ଣଭାବରେ ସମ୍ବୋଧନ କରିଛନ୍ତି । କୃଷ୍ଣ ଶବ୍ଦର ଅର୍ଥ ହେଲା: କର୍ଷତି ଯୋଗିନାଂ ପରମହଂସାନାଂ୍ ଚେତାଂସି ଇତି କୃଷ୍ଣଃ “ଯିଏ ସମସ୍ତଙ୍କର ମନ, ଏପରିକି ଦୃଢ଼ମନା ଯୋଗୀ ଏବଂ ପରମହଂସମାନଙ୍କର ମନକୁ ବଳପୂର୍ବକ ଆକର୍ଷିତ କରିଥାଆନ୍ତି, ସେ କୃଷ୍ଣ ଅଟନ୍ତି । ଏପରି ସମ୍ବୋଧନ କରି ଅର୍ଜୁନ ସୂଚିତ କରୁଛନ୍ତି ଯେ ଶ୍ରୀକୃଷ୍ଣ, ଯିଏ ସମସ୍ତଙ୍କର ମନକୁ ଆକର୍ଷଣ କରନ୍ତି, ତାଙ୍କର ଅସ୍ଥିର, ବିକ୍ଷୁବ୍ଧ, ବଳଶାଳୀ ଓ ଜିଦ୍‌ଖୋର ମନକୁ ମଧ୍ୟ ଆକର୍ଷିତ କରନ୍ତୁ ।