ଅର୍ଜୁନ ଉବାଚ
ଯୋଽୟଂ ଯୋଗସ୍ତ୍ୱୟା ପ୍ରୋକ୍ତଃ ସାମ୍ୟେନ ମଧୁସୂଦନ ।
ଏତସ୍ୟାହଂ ନ ପଶ୍ୟାମି ଚଞ୍ଚଳତ୍ୱାତ୍ସ୍ଥିତିଂ ସ୍ଥିରାମ୍ ।।୩୩।।
ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ଯଃ - ଯେଉଁ; ଅୟଂ - ଏହି; ଯୋଗଃ - ଯୋଗ; ତ୍ୱୟା - ଆପଣଙ୍କ ଦ୍ୱାରା; ପ୍ରୋକ୍ତଃ - କୁହାଗଲା; ସାମ୍ୟେନ -ସମତା ଦୃଷ୍ଟିରୁ; ମଧୁସୂଦନ - ହେ ମଧୁସୂଦନ!; ଏତସ୍ୟ - ଏହାର; ଅହଂ -ମୁଁ; ନ-ନାହିଁ; ପଶ୍ୟାମି- ଦେଖେ; ଚଞ୍ଚଳତ୍ୱାତ୍ - ଅସ୍ଥିରତା ଯୋଗୁଁ; ସ୍ଥିତିଂ - ସ୍ଥିତି; ସ୍ଥିରାମ୍ - ସ୍ଥିର ।
Translation
BG 6.33: ଅର୍ଜୁନ କହିଲେ: ହେ ମଧୁସୂଦନ! ଆପଣ ଯୋଗ ପ୍ରଣାଳୀ ବିଷୟରେ ଯାହା ବର୍ଣ୍ଣନା କଲେ, ମୋର ମନ ଅସ୍ଥିର ହୋଇଥିବା କାରଣରୁ, ତାହା ମୋତେ ଅସାଧ୍ୟ ଏବଂ ଅଲଭ୍ୟ ବୋଧ ହେଉଛି ।
Commentary
ଅର୍ଜୁନ ଏହି ଶ୍ଲୋକଟି ଯୋଽୟଂ ଶବ୍ଦରୁ ଆରମ୍ଭ କରିଛନ୍ତି, ଅର୍ଥାତ୍ “ଏହି ଯୋଗ ପ୍ରଣାଳୀ”, ଯାହାର ବିଧି ଶ୍ଲୋକ ୬.୧୦ଠାରୁ ଆଗକୁ ବର୍ଣ୍ଣନା କରାଯାଇଛି । ଶ୍ରୀକୃଷ୍ଣ, ତାଙ୍କର ବକ୍ତବ୍ୟ ଏହା କହି ଶେଷକଲେ ଯେ ଯୋଗରେ ପରିପୂର୍ଣ୍ଣତା ହାସଲ କରିବା ପାଇଁ ଆମ୍ଭେମାନେ:
-ଇନ୍ଦ୍ରିୟମାନଙ୍କୁ ଦମନ କରିବା,
- ସମସ୍ତ ପ୍ରକାରର କାମନାକୁ ତ୍ୟାଗ କରିବା,
- କେବଳ ଭଗବାନଙ୍କଠାରେ ହିଁ ମନକୁ କେନ୍ଦ୍ରିତ କରିବା,
- ସ୍ଥିର ମନରେ ତାଙ୍କର ଧ୍ୟାନ କରିବା,
- ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ଆବଶ୍ୟକ ।
ସବୁ ଶୁଣିବା ପରେ ଅର୍ଜୁନ ସ୍ପଷ୍ଟ ଭାବରେ ତାଙ୍କର ଆଶଙ୍କା ବ୍ୟକ୍ତ କରିବାକୁ ଯାଇ କହୁଛନ୍ତି, ଏସବୁ ଅସାଧ୍ୟ ଅଟେ । ମନକୁ ବଶ ନ କରି ଏହା ହାସଲ କରିହେବ ନାହିଁ । ମନ ଯଦି ଅସ୍ଥିର ରହୁଥାଏ, ତେବେ ଯୋଗର ସମସ୍ତ ଶର୍ତ୍ତ ଅପ୍ରାପ୍ୟ ହୋଇଯିବ ।