Bhagavad Gita: Chapter 6, Verse 37

ଅର୍ଜୁନ ଉବାଚ
ଅଯତିଃ ଶ୍ରଦ୍ଧୟୋପେତୋ ଯୋଗାଚ୍ଚଳିତମାନସଃ ।
ଅପ୍ରାପ୍ୟ ଯୋଗସଂସିଦ୍ଧିଂ କାଂ ଗତିଂ କୃଷ୍ଣ ଗଚ୍ଛତି ।।୩୭।।

ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ଅଯତିଃ -ଯୋଗ ସାଧନାରେ ଅକୃତକାର୍ଯ୍ୟ ହୋଇଥିବା ଯୋଗୀ; ଶ୍ରଦ୍ଧୟା - ଶ୍ରଦ୍ଧା ବା ବିଶ୍ୱାସ ସହକାରେ; ଉପେତଃ - ନିଯୁକ୍ତ, ଯୋଗାତ୍ - ଯୋଗ ପଥରୁ; ଚଳିତ-ମାନସଃ - ଯାହାର ମନ ଭ୍ରଷ୍ଟ; ଅପ୍ରାପ୍ୟ- ପ୍ରାପ୍ତ ନ କରି; ଯୋଗ-ସଂସିଦ୍ଧିଂ - ଯୋଗ ସିଦ୍ଧି ବା ଯୋଗର ପୂର୍ଣ୍ଣାବସ୍ଥା; କାଂ - କି ପ୍ରକାର; ଗତିଂ - ଗତି; କୃଷ୍ଣ - ହେ କୃଷ୍ଣ; ଗଚ୍ଛତି - ପ୍ରାପ୍ତ ହୁଏ ।

Translation

BG 6.37: ଅର୍ଜୁନ କହିଲେ : ହେ ଶ୍ରୀକୃଷ୍ଣ! ଯେଉଁ ଯୋଗୀମାନେ ବିଶ୍ୱାସର ସହିତ ଏହି ମାର୍ଗରେ ଯାତ୍ରା ଆରମ୍ଭ କରନ୍ତି, କିନ୍ତୁ ଅସଂଯତ ମନ ଯୋଗୁଁ ଯଥେଷ୍ଟ ଉଦ୍ୟମ କରିପାରନ୍ତି ନାହିଁ, ସେମାନେ ଏହି ଜୀବନରେ ଯୋଗର ଲକ୍ଷ୍ୟସ୍ଥଳରେ ପହଞ୍ôଚ ପାରନ୍ତି ନାହିଁ । ଏହିପରି ଅସଫଳ ଯୋଗୀଙ୍କର ଭାଗ୍ୟ କ’ଣ ଅଟେ?

Commentary

ଭଗବତ୍ ପ୍ରାପ୍ତିର ଯାତ୍ରା ଶ୍ରଦ୍ଧାଠାରୁ ଆରମ୍ଭ ହୁଏ । ଅନେକ ନିଷ୍ଠାବାନ ଜୀବଙ୍କର, ପୂର୍ବଜନ୍ମର ସଂସ୍କାର ବା ମହାପୁରୁଷ ମାନଙ୍କ ସାନ୍ନିଧ୍ୟ ବା ସଂସାରର ଘାତ-ପ୍ରତିଘାତ ଇତ୍ୟାଦି ଦ୍ୱାରା, ଶାସ୍ତ୍ରର ଦିବ୍ୟଜ୍ଞାନ ପ୍ରତି ଶ୍ରଦ୍ଧା ଉତ୍ପନ୍ନ ହୋଇଥାଏ । ଯାତ୍ରା ଆରମ୍ଭ କରିବା ପାଇଁ ଶ୍ରଦ୍ଧା ଉତ୍ପନ୍ନ ହେବାର ଅନେକ କାରଣ ଥାଇପାରେ । ତଥାପି, ଏହି ସାଧକମାନେ ଯଦି ଯଥେଷ୍ଟ ଉଦ୍ୟମ ନ କରନ୍ତି, ତେବେ ସେମାନେ ଅୟତିଃ (ଆଳସ୍ୟଯୁକ୍ତ) ହୋଇଯାଆନ୍ତି ଏବଂ ସେମାନଙ୍କର ମନ ଚଳିତ୍ (ଅଶାନ୍ତ) ହୋଇଯାଏ । ଏପରି ସାଧକମାନେ ସେମାନଙ୍କର ଯାତ୍ରା ଏହି ଜନ୍ମରେ ପୂର୍ଣ୍ଣ କରିପାରନ୍ତି ନାହିଁ । ଅର୍ଜୁନ ସେମାନଙ୍କର ଭାଗ୍ୟ ବିଷୟରେ ପ୍ରଶ୍ନ କରୁଛନ୍ତି ।