Bhagavad Gita: Chapter 6, Verse 23

ତଂ ବିଦ୍ୟାଦ୍ ଦୁଃଖସଂଯୋଗବିୟୋଗଂ ଯୋଗସଂଜ୍ଞିତମ୍ ।
ସ ନିଶ୍ଚୟେନ ଯୋକ୍ତବ୍ୟୋ ଯୋଗୋଽନିର୍ବିଣ୍ଣଚେତସା ।।୨୩।।

ତଂ-ତାହାକୁ; ବିଦ୍ୟାତ୍‌-ତୁମେ ଜାଣିବା ଉଚିତ; ଦୁଃଖ ସଂଯୋଗ- ଦୁଃଖର ସଂଯୋଗରୁ ଜାତ; ବିଯୋଗଂ-ବିୟୋଗ; ଯୋଗସଂଜ୍ଞିତମ୍‌- ଯୋଗ କୁହାଯାଏ; ସ -ତାହା; ନିଶ୍ଚୟେନ -ଦୃଢ ଭାବରେ; ଯୋକ୍ତବ୍ୟୋ -ଅଭ୍ୟାସ କରାଯିବା ଉଚିତ୍‌; ଯୋଗଃ -ଯୋଗ; ଅନିର୍ବିଣ୍ଣଚେତସା - ଅବିଚଳିତ ମନରେ ।

Translation

BG 6.23: ଦୁଃଖର ସଂଯୋଗରେ ପ୍ରାପ୍ତ ବିୟୋଗର ସ୍ଥିତିକୁ ଯୋଗ କୁହାଯାଏ । ଏହି ଯୋଗକୁ ଦୃଢ଼ନିଶ୍ଚୟ ପୂର୍ବକ, ନୈରାଶ୍ୟଭାବ ପୋଷଣ ନ କରି ଅଭ୍ୟାସ କରିବା ଉଚିତ ।

Commentary

ଏହି ଭୌତିକ ସଂସାର ମାୟାର ଜଗତ ଅଟେ । ଏହାକୁ ଶ୍ରୀକୃଷ୍ଣ ଶ୍ଲୋକ ୮/୧୫ରେ ଦୁଃଖାଳୟମ୍ ଆଶାଶ୍ୱତମ୍ ବା ଅସ୍ଥାୟୀ ଓ ଦୁଃଖପୂର୍ଣ୍ଣ ଆଖ୍ୟା ଦେଇଛନ୍ତି । ସେଥିପାଇଁ ମାୟା ଶକ୍ତିକୁ ଅନ୍ଧକାର ସହିତ ତୁଳନା କରାଯାଇ ଥାଏ । ଏହା ଆମକୁ ଅଜ୍ଞାନ ଅନ୍ଧକାରରେ ବୁଡ଼ାଇ ରଖି ସଂସାରରେ ଦୁଃଖ ଭୋଗ କରାଇଥାଏ । ତଥାପି, ଯେତେବେଳେ ଆମେ ଭଗବାନଙ୍କ ଆଲୋକରେ ହୃଦୟକୁ ଆଲୋକିତ କରେ, ମାୟାର ଏହି ଅନ୍ଧକାର ଆପଣା ଛାଏଁ ଅପସାରିତ ହୋଇଯାଏ । ଏହାକୁ ଚୈତନ୍ୟ ମହାପ୍ରଭୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି:

କୃଷ୍ଣ ସୂର୍ଯ୍ୟ-ସମ, ମାୟା ହୟ ଅନ୍ଧକାର ।
ଯାହାଁ କୃଷ୍ଣ ତାହାଁ ନାହିଁ ମାୟାର ଅଧିକାର । । (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨୨.୩୧)

“ଭଗବାନ ଆଲୋକ ସଦୃଶ ଏବଂ ମାୟା ଅନ୍ଧକାର ସଦୃଶ ଅଟନ୍ତି । ଆଲୋକକୁ ଗ୍ରାସ କରିବାର ଶକ୍ତି ଯେପରି ଅନ୍ଧାରର ନ ଥାଏ, ସେହିପରି ମାୟା କେବେବି ଭଗବାନଙ୍କୁ ଅଧିକାର କରିପାରିବ ନାହିଁ ।” ସୁତରାଂ, ଭଗବାନଙ୍କର ଦିବ୍ୟ ଆନନ୍ଦ ପ୍ରାପ୍ତ କରି ବ୍ୟକ୍ତି କେବେ ବି ମାୟାର ଯନ୍ତ୍ରଣାରେ ଉତ୍ପୀଡ଼ିତ ହୁଏ ନାହିଁ ।

ଅତଏବ, ଯୋଗର ତାତ୍ପର୍ଯ୍ୟ ଉଭୟ ୧. ଆନନ୍ଦ ପ୍ରାପ୍ତି ଏବଂ ୨. ଦୁଃଖ ନିବୃତ୍ତି ଅଟେ । ଶ୍ରୀକୃଷ୍ଣ କ୍ରମାନ୍ୱୟରେ ଉଭୟ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପଣ କରିଛନ୍ତି । ପୂର୍ବ ଶ୍ଲୋକରେ ଯୋଗ ଦ୍ୱାରା ପ୍ରାପ୍ତ ଆନନ୍ଦ ପ୍ରମୁଖ ବିଷୟବସ୍ତୁ ଥିଲା: ଏହି ଶ୍ଲୋକରେ ଦୁଃଖ ନିବୃତ୍ତି ଉପରେ ଗୁରୁତ୍ୱାରୋପଣ କରାଯାଇଛି ।

ଶ୍ଲୋକର ଦ୍ୱିତୀୟ ପଂକ୍ତିରେ, ଶ୍ରୀକୃଷ୍ଣ କହୁଛନ୍ତି ଯେ ଦୃଢ଼ ନିଶ୍ଚୟୀ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ପ୍ରାପ୍ତ କରାଯାଇ ପାରିବ । ଆମେ କିପରି ଯୋଗ ସାଧନା କରିବା ଉଚିତ୍‌, ବର୍ତ୍ତମାନ ସେ ତାହାର ବର୍ଣ୍ଣନା କରୁଛନ୍ତି ।