Bhagavad Gita: Chapter 6, Verse 24-25

ସଂକଳ୍ପପ୍ରଭବାନ୍‌କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ ।
ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।।
ଶନୈଃ ଶନୈରୁପରମେଦ୍‌ବୁଦ୍ଧ୍ୟା ଧୃତିଗୃହୀତୟା ।
ଆତ୍ମସଂସ୍ଥଂ ମନଃ କୃତ୍ୱା ନ କିଞ୍ଚିଦପି ଚିନ୍ତୟେତ୍ ।।୨୫।।

ସଂକଳ୍ପ- ପ୍ରତିଜ୍ଞା; ପ୍ରଭବାନ୍ - ଜାତ; କାମାନ୍ - କାମନା; ତ୍ୟକ୍ତ୍ୱା- ତ୍ୟାଗକରି; ସର୍ବାନ୍ - ସମସ୍ତ ପ୍ରକାର; ଅଶେଷତଃ - ସମ୍ପୂର୍ଣ୍ଣରୂପେ; ମନସା -ମନରେ; ଏବ -ନିଶ୍ଚିତଭାବେ; ଇନ୍ଦ୍ରିୟଗ୍ରାମଂ -ସମସ୍ତ ଇନ୍ଦ୍ରିୟଙ୍କୁ; ବିନିୟମ୍ୟ -ସଂଯତ କରି; ସମନ୍ତତଃ -ସବୁଦିଗରୁ । ଶନୈଃ ଶନୈଃ - କ୍ରମଶଃ; ଉପରମେତ୍ - ଶାନ୍ତହେବା; ବୃଦ୍ଧ୍ୟା- ବୁଦ୍ଧିବଳରେ; ଧୃତି-ଗୃହୀତୟା - ଦୃଢ଼ ନିଶ୍ଚୟ ଦ୍ୱାରା ପ୍ରାପ୍ତ; ଆତ୍ମ-ସଂସ୍ଥଂ -ପରମାତ୍ମାଙ୍କ ଠାରେ ସ୍ଥିର; ମନଃ -ମନ; କୃତ୍ୱା -କରି; ନ-ନୁହେଁ; କିଞ୍ଚିତ୍ -ଅନ୍ୟ କିଛି; ଅପି -ମଧ୍ୟ; ଚିନ୍ତୟେତ୍ - ଚିନ୍ତାକରି ।

Translation

BG 6.24-25: ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ । ଧୀର ଓ ଅବିଚଳିତ ଭାବେ, ବୁଦ୍ଧିର ଦୃଢ଼ ନିଶ୍ଚୟ ଦ୍ୱାରା, ମନ କେବଳ ଭଗବାନଙ୍କଠାରେ ସ୍ଥିର ରହିବ ଏବଂ ଅନ୍ୟ କୌଣସି ଚିନ୍ତନ କରିବ ନାହିଁ ।

Commentary

ଧ୍ୟାନ ପାଇଁ ଦୁଇଟି ପ୍ରକ୍ରିୟା ଆବଶ୍ୟକ: ସଂସାରରୁ ମନକୁ ହଟାଇବା ଏବଂ ଭଗବାନଙ୍କଠାରେ ସ୍ଥିର ରଖିବା । ସର୍ବପ୍ରଥମେ ଶ୍ରୀକୃଷ୍ଣ ପ୍ରଥମ ପ୍ରକ୍ରିୟାର ବର୍ଣ୍ଣନା କରୁଛନ୍ତି - ସଂସାରରୁ ମନକୁ ହଟାଇବା ।

ମନ ସଂସାରରେ ଆସକ୍ତ ରହିଥିବା କାରଣରୁ ସାଂସାରିକ ବସ୍ତୁ, ବ୍ୟକ୍ତି, ଘଟଣା ଇତ୍ୟାଦିର ଚିନ୍ତନ କରିଥାଏ । ପ୍ରାରମ୍ଭରେ ସେହିସବୁ ଚିନ୍ତନ ସ୍ଫୁରଣ(ଅନୁଭୂତି ଓ ବିଚାରର ଝଲକ) ରୂପରେ ଥାଏ । ସେହି ସ୍ଫୁରଣକୁ ଆମେ ଯେତେବେଳେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରେ, ତାହା ସଂକଳ୍ପ ହୋଇଯାଏ । ଏହିପରି ଭାବରେ ଆମ ଆସକ୍ତିର ସ୍ୱରୂପ (ସକାରାତ୍ମକ/ନକାରାତ୍ମକ)ଅନୁଯାୟୀ, ଆମର ଚିନ୍ତନ ସଂକଳ୍ପ (ବିଷୟ ପଛରେ ଧାଇଁବା) ଓ ବିକଳ୍ପ (ବିଷୟ ପ୍ରତି ବିତୃଷ୍ଣାଭାବ)ର ରୂପ ନେଇଥାଏ । ଆକର୍ଷଣ ଓ ବିକର୍ଷଣର ବୀଜ, କାମନାର ବୃକ୍ଷ ରୂପେ ବୃଦ୍ଧି ପାଏ, “ଏହା ହେବା ଉଚିତ”, “ଏହା ହେବା ଉଚିତ ନୁହେଁ ।” କ୍ୟାମେରାରେ ଦୃଶ୍ୟ ପ୍ରତିଫଳିତ ହେବା ପରି, ଉଭୟ ସଂକଳ୍ପ ଓ ବିକଳ୍ପ ମନରେ ଅତିଶୀଘ୍ର ଧାରଣା ସୃଷ୍ଟି କରିଥାଆନ୍ତି, ଯାହା ପ୍ରତ୍ୟକ୍ଷ ରୂପରେ ଭଗବାନଙ୍କ ଧ୍ୟାନରେ ବାଧା ଉତ୍ପନ୍ନ କରିଥାଏ । ସେମାନଙ୍କ ଠାରେ ଅଧିକ ପ୍ରଜ୍ଜ୍ୱଳିତ ହେବାର ସବୁ ସମ୍ଭାବନା ରହିଥାଏ, ଏବଂ ଯେଉଁ କାମନାର ଆକାର ଆଜି କ୍ଷୁଦ୍ର ବୀଜଟିଏ ପରି ଅଛି, ଆସନ୍ତାକାଲି ତାହା ଏକ ଭୟାବହ ଅଗ୍ନିକାଣ୍ଡର ରୂପ ନେଇପାରେ । ତେଣୁ ଯିଏ ଧ୍ୟାନରେ ସଫଳତା ହାସଲ କରିବାକୁ ଚାହାଁନ୍ତି, ସେ ଭୌତିକ ବସ୍ତୁ ସହିତ ସମ୍ବନ୍ଧ ତ୍ୟାଗ କରିବା ଉଚିତ ।

ଧ୍ୟାନ ପାଇଁ ଆବଶ୍ୟକ ପ୍ରଥମ ପ୍ରକ୍ରିୟା - ସଂସାରରୁ ମନକୁ ହଟାଇବାର ମହତ୍ତ୍ୱ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ଦ୍ୱିତୀୟ ପ୍ରକ୍ରିୟା ବିଷୟରେ କହୁଛନ୍ତି - ମନକୁ ଭଗବାନଙ୍କଠାରେ ସ୍ଥିର କରିବା । ସେ କହୁଛନ୍ତି, ଏହା ଆପେ ଆପେ ହୋଇଯାଏ ନାହିଁ, ନିଷ୍ଠାପର ଉଦ୍ୟମ ଦ୍ୱାରା ଧୀରେ ଧୀରେ ଏଥିରେ ସଫଳତା ମିଳିଥାଏ ।

ଶାସ୍ତ୍ର ସମ୍ମତ ଦୃଢ଼ ସଂକଳ୍ପକୁ ଧୃତି କୁହାଯାଏ । ସଂକଳ୍ପରେ ଏହି ଦୃଢ଼ତା ବୁଦ୍ଧିର ନିଶ୍ଚୟ ଫଳରେ ଆସିଥାଏ । ଶାସ୍ତ୍ରମାନଙ୍କରୁ ଅନେକ ବ୍ୟକ୍ତି  ଆତ୍ମାର ସ୍ୱରୂପ ଏବଂ ସାଂସାରିକ ଉଦ୍ୟମର ବ୍ୟର୍ଥତା ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥାନ୍ତି । କିନ୍ତୁ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ସେହି ଜ୍ଞାନର ବିପରୀତ ହୋଇଥାଏ ଏବଂ ସେମାନେ ପାପ, ଯୌନାଚାର ଓ ନିଶା ଇତ୍ୟାଦିରେ ଲିପ୍ତ ରହିଥାନ୍ତି । ଏପରି ହେବାର କାରଣ, ସେମାନଙ୍କ ବୁଦ୍ଧିର ନିଶ୍ଚୟ ସେହି ଜ୍ଞାନ ଅନୁଯାୟୀ ହୋଇ ନ ଥାଏ । ସଂସାରର ନଶ୍ୱରତା ଏବଂ ଭଗବାନଙ୍କ ସହିତ ଆମର ନିତ୍ୟ ସମ୍ବନ୍ଧ ବିଷୟରେ ବିଚାର କରିବାର ଶକ୍ତି, ବୁଦ୍ଧିର ନିଶ୍ଚୟ ଦ୍ୱାରା ହାସଲ ହୋଇଥାଏ । ଅତଏବ, ବୁଦ୍ଧରି ଉପଯୋଗ କରି, ବ୍ୟକ୍ତି ଇନ୍ଦ୍ରିୟ ବିଷୟକ ଭୋଗ ବିଳାସରୁ କ୍ରମଶଃ ନିବୃତ ହେବା ଆବଶ୍ୟକ । ମନ ଓ ଇନ୍ଦ୍ରିୟକୁ ବିଷୟ ଠାରୁ ଦୂରେଇ ନେବାକୁ ପ୍ରତ୍ୟାହାର କୁହାଯାଏ । ପ୍ରତ୍ୟାହାରରେ ସଫଳତା ଅତିଶୀଘ୍ର ଆସିବ ନାହିଁ । ବାରମ୍ବାର ଉଦ୍ୟମ ଦ୍ୱାରା ଏହା କ୍ରମଶଃ ହାସଲ ହୋଇଥାଏ । ଏହାପରେ ଶ୍ରୀକୃଷ୍ଣ ସେହି ଉଦ୍ୟମ କିପରି କରାଯିବା ଉଚିତ୍‌, ତାହା ଆଲୋଚନା କରିଛନ୍ତି ।