ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ ।
ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ ।।୨।।
ଯଂ -ଯାହାକୁ; ସଂନ୍ୟାସଂ- ସନ୍ୟାସ; ଇତି- ଏହିପରି; ପ୍ରାହୁଃ - ସେମାନେ କହନ୍ତି; ଯୋଗଂ -ଭଗବାନଙ୍କ ସହ ଯୁକ୍ତ ହେବା; ତଂ-ତାହାକୁ; ବିଦ୍ଧି- ତୁମେ ଜାଣିରଖ; ପାଣ୍ଡବ - ହେ ପାଣ୍ଡୁପୁତ୍ର; ନ- କେବେ ନୁହେଁ; ହି - ନିଶ୍ଚିତଭାବେ; ଅସଂନ୍ୟସ୍ତ - ତ୍ୟାଗବିିନା; ସଂକଳ୍ପଃ - କାମନା; ଯୋଗୀ -ଯୋଗୀ; ଭବତି - ହୁଏ; କଶ୍ଚନ - କେହି ।
Translation
BG 6.2: ଯାହାକୁ ସନ୍ୟାସ କୁହାଯାଏ, ତାହା ଯୋଗଠାରୁ ଭିନ୍ନ ନୁହେଁ, କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ ।
Commentary
ସନ୍ୟାସୀ ସେ ଅଟନ୍ତି, ଯିଏ ମନ ଏବଂ ଇନ୍ଦ୍ରିୟର ସୁଖକୁ ତ୍ୟାଗ କରିଥାଆନ୍ତି । କିନ୍ତୁ କେବଳ ତ୍ୟାଗ କରିବା ଲକ୍ଷ୍ୟ ନୁହେଁ ବା ଲକ୍ଷ୍ୟପ୍ରାପ୍ତି ପାଇଁ ମଧ୍ୟ ତାହା ଯଥେଷ୍ଟ ନୁହେଁ । ସନ୍ୟାସର ତାତ୍ପର୍ଯ୍ୟ ଭୁଲ ଦିଗରେ ଆମର ଦୌଡକୁ ବନ୍ଦ କରିଦେବା । ସଂସାରରେ ଆନନ୍ଦର ଅନ୍ୱେଷଣ କରି ଆମେ ବୁଝିପାରିଲେ ଯେ ମାୟିକ ସୁଖରେ ଆନନ୍ଦ ନାହିଁ, ତେଣୁ ଆମେ ସଂସାର ଅଭିମୁଖରେ ଦୌଡ଼ିବା ବନ୍ଦ କରିଦେଲେ । କିନ୍ତୁ କେବଳ ବନ୍ଦ କରିଦେବା ଦ୍ୱାରା ଲକ୍ଷ୍ୟପ୍ରାପ୍ତ ହୋଇ ଯାଏନାହିଁ । ଜୀବର ଲକ୍ଷ୍ୟ ହେଉଛି ଭଗବତ୍ ପ୍ରାପ୍ତି । ଭଗବାନଙ୍କ ଅଭିମୁଖରେ ଅଗ୍ରସର ହେବାର ପ୍ରକ୍ରିୟା ହିଁ (ମନକୁ ତାଙ୍କ ଆଡକୁ ନେଇଯିବା) ଯୋଗର ପଥ ଅଟେ । ଜୀବନର ଲକ୍ଷ୍ୟ ସମ୍ପର୍କରେ ଯାହାର ପୂର୍ଣ୍ଣଜ୍ଞାନ ନ ଥାଏ, ସେ ତ୍ୟାଗକୁ ହିଁ ଆଧ୍ୟାତ୍ମିକତାର ଚରମ ଲକ୍ଷ୍ୟ ଭାବିଥାଏ । ଯେଉଁମାନେ ଜୀବନର ଲକ୍ଷ୍ୟକୁ ବାସ୍ତବରେ ବୁଝିଥାଆନ୍ତି, ସେମାନେ ଭଗବତ୍ ପ୍ରାପ୍ତିକୁ ହିଁ ଆଧ୍ୟାତ୍ମିକ ପଥର ଅନ୍ତିମ ଲକ୍ଷ୍ୟ ରୂପେ ବିବେଚନା କରିଥାଆନ୍ତି ।
ଶ୍ଲୋକ ୫.୪ର ଭାବାର୍ଥରେ ବର୍ଣ୍ଣନା କରାଯାଇଛି ଯେ ବୈରାଗ୍ୟ ବା ତ୍ୟାଗ ଦୁଇ ପ୍ରକାରର ଅଟେ: ‘ଫଲ୍ଗୁ ବୈରାଗ୍ୟ’ ଏବଂ ‘ଯୁକ୍ତ ବୈରାଗ୍ୟ’ । ଫଲ୍ଗୁ ବୈରାଗ୍ୟରେ ସମସ୍ତ ସାଂସାରିକ ବସ୍ତୁକୁ ମାୟିକ ମନେକରି ସେସବୁର ତ୍ୟାଗ କରାଯାଇଥାଏ କାରଣ ସେମାନେ ଆଧ୍ୟାତ୍ମିକ ପ୍ରଗତିରେ ବାଧକ ଅଟନ୍ତି । ଯୁକ୍ତ ବୈରାଗ୍ୟରେ ସାଂସାରିକ ସମସ୍ତ ବସ୍ତୁକୁ ଭଗବାନଙ୍କର ମନେକରି ସେଗୁଡ଼ିକୁ ଭଗବାନଙ୍କ ସେବାରେ ଉପଯୋଗ କରାଯାଇଥାଏ । ପ୍ରଥମ ପ୍ରକାରର ତ୍ୟାଗରେ ଜଣେ କହିପାରନ୍ତି “ଧନ ତ୍ୟାଗ କର । ତା’କୁ ସ୍ପର୍ଶ କର ନାହିଁ । ଏହା ମାୟାର ସ୍ୱରୂପ ଅଟେ ଏବଂ ଏହା ଆଧ୍ୟାତ୍ମିକ ମାର୍ଗରେ ବାଧା ଉତ୍ପନ୍ନ କରିଥାଏ ।” ଦ୍ୱିତୀୟ ପ୍ରକାରର ତ୍ୟାଗରେ ଜଣେ ଏପରି ବିବେଚନା କରେ ଯେ “ଧନ ମଧ୍ୟ ଭଗବାନଙ୍କର ଏକ ଶକ୍ତି ଅଟେ; ତାହାକୁ ନଷ୍ଟ କର ନାହିଁ ବା ଫିଙ୍ଗି ଦିଅ ନାହିଁ, ତୁମ ପାଖରେ ଯେତିକି ଧନ ଅଛି ତାହାକୁ ଭଗବାନଙ୍କ ସେବାରେ ଉପଯୋଗ କର ।”
ଫଲ୍ଗୁ ବୈରାଗ୍ୟ ଅସ୍ଥାୟୀ ଅଟେ ଏବଂ ଏହା ସହଜରେ ସଂସାର ଆସକ୍ତିକୁ ପ୍ରତ୍ୟାବର୍ତ୍ତନ କରିଥାଏ । ଭାରତର ବିହାର ରାଜ୍ୟର ଗୟା ନିକଟସ୍ଥ ଫଲ୍ଗୁ ନଦୀର ନାମ ଅନୁସାରେ ଏହି ବୈରାଗ୍ୟର ନାମକରଣ କରାଯାଇଛି । ଫଲ୍ଗୁ ନଦୀଟି, ନଦୀଶଯ୍ୟାର ନିମ୍ନଦେଶରେ ପ୍ରବାହିତ । ଉପରୁ ଦେଖିଲେ ମନେହୁଏ ସତେ ଯେପରି ନଦୀଟି ଜଳଶୂନ୍ୟ । କିନ୍ତୁ ଅଳ୍ପ କେତେ ଫୁଟ ଖୋଳିବା ପରେ ଜଳସ୍ରୋତର ପ୍ରବାହ ଦେଖିବାକୁ ମିଳିଥାଏ । ସେହିପରି ଅନେକ ବ୍ୟକ୍ତି ସଂସାର ତ୍ୟାଗ କରି ଆଶ୍ରମ ଇତ୍ୟାଦିରେ ରହିବାକୁ ଯାଆନ୍ତି । କିନ୍ତୁ ସେଠାକୁ ଯାଇ ସେମାନେ ଅନୁଭବ କରିଥାଆନ୍ତି ଯେ ସେମାନଙ୍କର ବୈରାଗ୍ୟ ଅନ୍ତର୍ଦ୍ଧାନ ହୋଇ ଯାଇଛି ଏବଂ ସେମାନଙ୍କର ମନ ପୁନର୍ବାର ସଂସାରରେ ଲିପ୍ତ ହୋଇଯାଉଛି । ସେମାନଙ୍କର ଏହି ବୈରାଗ୍ୟ ଫଲ୍ଗୁ ବୈରାଗ୍ୟ ଥିଲା । ସଂସାରକୁ ଜଞ୍ଜାଳମୟ ଏବଂ ଦୁଃଖପୂର୍ଣ୍ଣ ମନେ କରି ସେମାନେ ସେଥିରୁ ମୁକ୍ତି ପାଇବାର ଆଶାରେ ଆଶ୍ରମ ଇତ୍ୟାଦିରେ ଆଶ୍ରୟ ଲୋଡିଥାଆନ୍ତି । କିନ୍ତୁ ସେମାନେ ଯେତେବେଳେ ଅଧ୍ୟାତ୍ମିକ ଜୀବନକୁ ମଧ୍ୟ କଷ୍ଟସାଧ୍ୟ ଏବଂ ବିକଟ ଅନୁଭବ କରନ୍ତି, ସେତେବୋଳ ସେମାନେ ଆଧ୍ୟାତ୍ମିକତା ଠାରୁ ମଧ୍ୟ ବିମୁଖ ହୋଇଯାଆନ୍ତି । ଅନ୍ୟ କେହି କେହି ଭଗବାନଙ୍କ ସହିତ ସ୍ନେହପୂର୍ଣ୍ଣ (ଭକ୍ତି) ସମ୍ପର୍କ ସ୍ଥାପନ କରିଥାଆନ୍ତି । ଭଗବାନଙ୍କ ସେବା କରିବାର କାମନା ନେଇ ସେମାନେ ସଂସାର ତ୍ୟାଗ କରି ଆଶ୍ରମରେ ବାସ କରନ୍ତି । ସେମାନଙ୍କର ବୈରାଗ୍ୟ ଯୁକ୍ତ ବୈରାଗ୍ୟ ଅଟେ । କେତେ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ନିଜର ଯାତ୍ରା ଅବ୍ୟାହତ ରଖିଥାଆନ୍ତି ।
ଶ୍ଲୋକର ପ୍ରଥମ ପଂକ୍ତିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ବାସ୍ତବିକ ସନ୍ୟାସୀ ଜଣେ ଯୋଗୀ ଅଟନ୍ତି, ଯିଏ ପ୍ରେମଯୁକ୍ତ ସେବା ଭାବନାରେ ନିଜର ମନକୁ, ଭଗବାନଙ୍କ ସହିତ ସଂଲଗ୍ନ ରଖିଥାଆନ୍ତି । ଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜଣେ ସାଂସାରିକ କାମନା ତ୍ୟାଗ ନ କରି, ଯୋଗୀ ହୋଇପାରିବ ନାହିଁ । ମନରେ ଯଦି ସଂସାରର କାମନା ଥିବ ତା’ହେଲେ ସ୍ୱାଭାବିକ ଭାବରେ ସେ (ମନ) ସଂସାର ଅଭିମୁଖୀ ହେବ । ଯେହେତୁ ମନକୁ ହିଁ ଭଗବାନ ସହିତ ଯୋଗ କରିବାକୁ ପଡିଥାଏ, ତେଣୁ ସଂସାରିକ କାମନାରୁ ମୁକ୍ତ ହେଲେ ହିଁ ଏହା ସମ୍ଭବ ହୋଇପାରିବ । ସୁତରାଂ, ଜଣେ ଯୋଗୀ ହେବା ପାଇଁ ଅନ୍ତରରୁ ସନ୍ୟାସୀ ହେବାକୁ ପଡ଼ିବ ଏବଂ ଜଣେ ସନ୍ନ୍ୟାସୀ ହେବା ପାଇଁ ଯୋଗୀ ହେବାକୁ ପଡ଼ିବ ।