ସର୍ବମେତଦୃତଂ ମନ୍ୟେ ଯନ୍ମାଂ ବଦସି କେଶବ ।
ନ ହି ତେ ଭଗବନ୍ବ୍ୟକ୍ତିଂ ବିଦୁର୍ଦେବା ନ ଦାନବାଃ ।।୧୪।।
ସର୍ବଂ - ସମସ୍ତ; ଏତତ୍ - ଏସବୁ; ଋତଂ - ସତ୍ୟ; ମନ୍ୟେ - ମୁଁ ସ୍ୱୀକାର କରୁଛି; ଯତ୍ - ଯାହା; ମାଂ - ମୋତେ; ବଦସି - ଆପଣ କହିଲେ; କେଶବ - ହେ କୃଷ୍ଣ!; ନ -କଦାପି ନୁହେଁ ହି - ନିଶ୍ଚିତରୂପେ; ତେ - ଆପଣଙ୍କର; ଭଗବନ୍ - ହେ ଭଗବାନ୍; ବ୍ୟକ୍ତିଂ - ବ୍ୟକ୍ତି; ବିଦୁଃ -ଜାଣନ୍ତି; ଦେବାଃ - ଦେବତାମାନେ; ନ -ନୁହେଁ; ଦାନବାଃ - ଅସୁରମାନେ ।
Translation
BG 10.14: ହେ ଶ୍ରୀକୃଷ୍ଣ! ଆପଣ ଯାହାସବୁ କହିଲେ, ମୁଁ ସେସବୁକୁ ସତ୍ୟ ଭାବରେ ଗ୍ରହଣ କରୁଛି । ହେ ପ୍ରଭୁ! ଦେବତା ବା ଦାନବ କେହି ମଧ୍ୟ ଆପଣଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ନାହିଁ ।
Commentary
ଶ୍ରୀକୃଷ୍ଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ଅନନ୍ତ ପ୍ରଭୁତ୍ୱ ବିଷୟରେ ସଂକ୍ଷେପରେ ଶୁଣିବା ପରେ, ଅଧିକ ଶୁଣିବା ପାଇଁ ଅର୍ଜୁନଙ୍କର ତୃଷ୍ଣା ବୃଦ୍ଧି ପାଇଛି । ଆଗକୁ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ସମ୍ପର୍କରେ ଅଧିକ ବର୍ଣ୍ଣନା କରନ୍ତୁ ଇଚ୍ଛାକରି, ସେ ସ୍ପଷ୍ଟ କରି ଦେଉଛନ୍ତି ଯେ ପୂର୍ବ ବର୍ଣ୍ଣିତ ସମସ୍ତ ବିଷୟ ସେ ହୃଦୟଙ୍ଗମ କରିପାରିଛନ୍ତି । ଯତ୍ ଶବ୍ଦ ବ୍ୟବହାର କରି ଅର୍ଜୁନ ସୁଚିତ କରିବାକୁ ଚାହୁଁଛନ୍ତି ଯେ ସପ୍ତମରୁ ନବମ ଅଧ୍ୟାୟ ଯାଏଁ ଶ୍ରୀକୃଷ୍ଣ ଯାହା ସବୁ କହିଲେ, ସେ ସମସ୍ତ ବିଷୟକୁ ସତ୍ୟ ଭାବରେ ଗ୍ରହଣ କରୁଛନ୍ତି । ସେ ଦୃଢ଼ ଭାବରେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଯାହା ସବୁ କହିଛନ୍ତି, ତାହା ସତ୍ୟ ଅଟେ କୌଣସି ରୂପକ ବର୍ଣ୍ଣନା ନୁହେଁ । ଶ୍ରୀକୃଷ୍ଣଙ୍କୁ ସେ ଭଗବାନ ବା ପରଂବ୍ରହ୍ମ ଭାବରେ ସମ୍ବୋଧନ କରୁଛନ୍ତି । ଦେବୀ ଭାଗବତ ପୁରାଣରେ ଭଗବାନ ଶବ୍ଦର ବ୍ୟାଖ୍ୟା ଏହି ରୂପରେ କରାଯାଇଛି:
ଐଶ୍ୱର୍ଯ୍ୟସ୍ୟ ସମାଗ୍ରସ୍ୟ ଧର୍ମସ୍ୟ ଯଶସଃ ଶ୍ରିୟଃ
ଜ୍ଞାନବୈରାଗ୍ୟୋଶ୍ଚୈବ ସଣ୍ଣାଂ ଭଗବାନ୍ନିଃ ।
“ଭଗବାନଙ୍କ ଠାରେ ଏହି ଛଅଗୋଟି ଐଶ୍ୱର୍ଯ୍ୟ ଅନନ୍ତ ମାତ୍ରାରେ ରହିଥାଏ- ଶକ୍ତି, ଜ୍ଞାନ, ସୌନ୍ଦର୍ଯ୍ୟ, ଯଶ, ବୈଭବ ଓ ବୈରାଗ୍ୟ । ଦେବତା, ଦାନବ ଓ ମାନବମାନଙ୍କର ବୁଝିବା ଶକ୍ତି ସୀମିତ ଅଟେ । ସେମାନେ ଭଗବାନଙ୍କର ସ୍ୱରୂପକୁ ପୂର୍ଣ୍ଣତଃ ହୃଦୟଙ୍ଗମ କରିପାରନ୍ତି ନାହିଁ ।