Bhagavad Gita: Chapter 10, Verse 39

ଯଚ୍ଚାପି ସର୍ବଭୂତାନାଂ ବୀଜଂ ତଦହମର୍ଜୁନ ।
ନ ତଦସ୍ତି ବିନା ଯତ୍‌ସ୍ୟାନ୍ମୟା ଭୂତଂ ଚରାଚରମ୍ ।।୩୯।।

ଯତ୍ - ଯାହା; ଚ - ଏବଂ; ଅପି - ମଧ୍ୟ; ସର୍ବ-ଭୂତାନାଂ - ସମସ୍ତ ପ୍ରାଣୀଙ୍କର; ବୀଜଂ - ଉତ୍ପାଦକ ବୀଜ; ତତ୍ - ତାହା; ଅହଂ-ମୁଁ; ଅର୍ଜୁନ- ହେ ଅର୍ଜୁନ; ନ-ନୁହେଁ; ତତ୍‌-ତାହା; ଅସ୍ତି- ଅଛି; ବିନା-ବିନା; ଯତ୍ -ଯାହା; ସ୍ୟାତ୍ - ରହିଛି; ମୟା-ମୋ’ଦ୍ୱାରା; ଭୂତଂ - ସୃଷ୍ଟ; ଚରାଚରମ୍ - ଚର ଏବଂ ଅଚର ।

Translation

BG 10.39: ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ଉତ୍ପାଦକ ବୀଜ ଅଟେ । ଚର ବା ଅଚର କୌଣସି ଜୀବ ମୋ ବିନା ରହିପାରିବେ ନାହିଁ ।

Commentary

ଶ୍ରୀକୃଷ୍ଣ ସମସ୍ତ ସୃଷ୍ଟିର ଉଭୟ ସୃୃଷ୍ଟିଗତ କାରଣ ଏବଂ ବସ୍ତୁଗତ କାରଣ ଅଟନ୍ତି । ସୃଷ୍ଟିଗତ କାରଣ ଅର୍ଥ ସେ ସ୍ରଷ୍ଟା ରୂପରେ ବିଶ୍ୱକୁ ପ୍ରକଟିତ କରିଥାଆନ୍ତି । ବସ୍ତୁଗତ କାରଣ ଅର୍ଥ ସେ ସେହି ବସ୍ତୁ ଅଟନ୍ତି ଯଦ୍ୱାରା ସୃଷ୍ଟିର ସଂରଚନା ହୋଇଥାଏ । ଶ୍ଲୋକ ୭.୧୦ ଏବଂ ୯.୧୮ରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ‘ଚିରନ୍ତନ ବୀଜ’ ଅଟନ୍ତି । ଏଠାରେ ପୁଣି ସେ କହୁଛନ୍ତି ଯେ ସେ ‘ଉତ୍ପାଦକ ବୀଜ’ ଅଟନ୍ତି । ଅର୍ଥାତ୍ ସେ ହିଁ ସମସ୍ତଙ୍କର ମୂଳ କାରଣ ଏବଂ ତାଙ୍କ ଶକ୍ତି ବିନା କାହାର ଅସ୍ତିତ୍ୱ ନାହିଁ ।

ସଜୀବ ବସ୍ତୁମାନଙ୍କର ଜନ୍ମ ଚାରି ପ୍ରକାରରେ ହୋଇଥାଏ: ଅଣ୍ଡଜ - ଅଣ୍ଡାରୁ ଉତ୍ପନ୍ନ ହେବା, ଯେପରି କି ପକ୍ଷୀ, ସର୍ପ, ଝିଟିପିଟି ଇତ୍ୟାଦି; ଜରାୟୁଜ - ଗର୍ଭରୁ ଜାତ ହେବା, ଯେପରି କି ମନୁଷ୍ୟ, ଗାଈ, କୁକୁର ଓ ବିରାଡ଼ି ଇତ୍ୟାଦି; ସ୍ୱେଦଜ- ସ୍ୱେଦରୁ ଜାତ ହେବା ଯେମିତି ଉକୁଣୀ ଓ ଟିଙ୍କ ଇତ୍ୟାଦି; ଉଦ୍ଭିଜ - ମାଟିରୁ ଅଙ୍କୁରିତ ହେବା, ଯଥା ଗଛ, ଲତା, ଘାସ ଓ ଗୁଳ୍ମ ଇତ୍ୟାଦି । ଅନ୍ୟ ପ୍ରକାରର ଜୀବନ ମଧ୍ୟ ରହିଛି, ଯେପରି କି, ଭୂତ, ପ୍ରେତ, ପିଶାଚ ଇତ୍ୟାଦି । ସମସ୍ତଙ୍କର ଉତ୍ପତ୍ତିର କାରଣ ଶ୍ରୀକୃଷ୍ଣ ଅଟନ୍ତି ।