Bhagavad Gita: Chapter 10, Verse 37

ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।
ମୁନୀନାମପ୍ୟହଂ ବ୍ୟାସଃ କବୀନାମୁଶନା କବିଃ ।।୩୭।।

ବୃଷ୍ଣୀନାଂ - ବୃଷ୍ଣୀଙ୍କର ବଂଶଧରମାନଙ୍କ ମଧ୍ୟରେ; ବାସୁଦେବଃ -ବସୁଦେବ ପୁତ୍ର ଶ୍ରୀକୃଷ୍ଣ; ଅସ୍ମି - ଅଟେ; ପାଣ୍ଡବାନାମ୍ - ପାଣ୍ଡବମାନଙ୍କ ମଧ୍ୟରେ; ଧନଞ୍ଜୟଃ - ଅର୍ଜୁନ; ମୁନୀନାମ୍ - ମୁନିମାନଙ୍କ ମଧ୍ୟରେ; ଅପି - ମଧ୍ୟ; ଅହଂ-ମୁଁ; ବ୍ୟାସଃ - ବେଦବ୍ୟାସ; କବୀନାମ୍ - ପ୍ରସିଦ୍ଧ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ; ଉଶନା - ଶୁକ୍ରାଚାର୍ଯ୍ୟ; କବିଃ - ବିଦ୍ୱାନ ।

Translation

BG 10.37: ବୃଷ୍ଣୀବଂଶଜ ମାନଙ୍କ ମଧ୍ୟରେ ମୁଁ କୃଷ୍ଣ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ । ମୁନିମାନଙ୍କ ମଧ୍ୟରେ ମୁଁ ବେଦବ୍ୟାସ ଏବଂ ବିଦ୍ୱାନମାନଙ୍କ ମଧ୍ୟରେ ମୁଁ ଶୁକ୍ରାଚାର୍ଯ୍ୟ ଅଟେ ।

Commentary

ବୃଷ୍ଣୀବଂଶରେ ବସୁଦେବଙ୍କ ପୁତ୍ର ରୂପରେ ଶ୍ରୀକୃଷ୍ଣ ପୃଥିବୀରେ ଜନ୍ମଗ୍ରହଣ କରିଥିଲେ । ଯେହେତୁ କୌଣସି ଜୀବ ଭଗବାନଙ୍କଠାରୁ ଶ୍ରେଷ୍ଠ ନୁହଁନ୍ତି, ତେଣୁ ଏହା ସ୍ୱାଭାବିକ ଯେ ବୃଷ୍ଣୀ ବଂଶର ଶ୍ରେଷ୍ଠ ବ୍ୟକ୍ତିତ୍ୱ ସେ ହିଁ ଅଟନ୍ତି । ପଣ୍ଡୁଙ୍କର ପାଂଚ ପୁତ୍ର - ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବଙ୍କୁ ପାଣ୍ଡବ କୁହାଯାଏ । ସେମାନଙ୍କ ମଧ୍ୟରୁ ଅର୍ଜୁନ ଧୁରନ୍ଧର ତୀରନ୍ଦାଜ ଥିଲେ ଏବଂ ଶ୍ରୀକୃଷ୍ଣଙ୍କର ଅନନ୍ୟ ଭକ୍ତ ଥିଲେ । ସେ ଭଗବାନଙ୍କୁ ତାଙ୍କର ପ୍ରିୟ ସଖା ଭାବରେ ଗ୍ରହଣ କରୁଥିଲେ ।

ମହର୍ଷି ବେଦବ୍ୟାସ ମୁନିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅଟନ୍ତି । ସେ ‘ବାଦରାୟଣ’ ଓ ‘କୃଷ୍ଣଦ୍ୱୈପାୟନ’ ନାମରେ ମଧ୍ୟ ପରିଚିତ । ସେ ବୈଦିକ ଜ୍ଞାନକୁ ବିଭିନ୍ନ ରୂପରେ ପ୍ରକାଶ କରିଥିଲେ ଏବଂ ମାନବ ସମାଜର ଉପକାର ପାଇଁ ଅନେକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ବାସ୍ତବରେ ବେଦବ୍ୟାସ ଶ୍ରୀକୃଷ୍ଣଙ୍କର ଅବତାର ଥିଲେ । ଶ୍ରୀମଦ୍ ଭାଗବତମ୍‌ର ଅବତାର ମାନଙ୍କ ସୂଚୀରେ ତାଙ୍କର ନାମ ଲିପିବଦ୍ଧ କରାଯାଇଛି ।

ଶୁକ୍ରାଚାର୍ଯ୍ୟ ଜଣେ ବିଦ୍ୱାନ ଋଷି ଥିଲେ ଏବଂ ନୀତି ଶାସ୍ତ୍ରରେ ତାଙ୍କର ବିଶେଷ ଦକ୍ଷତା ଥିଲା । ସେ ଉଦାରତା ପୂର୍ବକ ଦାନବ ମାନଙ୍କୁ ନିଜର ଶିଷ୍ୟ ରୂପରେ ଗ୍ରହଣ କରି ସେମାନଙ୍କର ଉନ୍ନତି ପାଇଁ ପଥପ୍ରଦର୍ଶନ କରୁଥିଲେ । ତାଙ୍କର ବିଦ୍ୱତ୍ତା ପାଇଁ ଭଗବାନ ତାଙ୍କୁ ନିଜର ବିଭୂତି ଭାବରେ ଆଖ୍ୟାୟିତ କରିଛନ୍ତି ।