ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍ ।
ଝଷାଣାଂ ମକରଶ୍ଚାସ୍ମି ସ୍ରୋତସାମସ୍ମି ଜାହ୍ନବୀ ।।୩୧।।
ପବନଃ - ପବନ; ପବତାଂ - ପବିତ୍ରକାରୀଙ୍କ ମଧ୍ୟରେ; ଅସ୍ମି - ଅଟେ; ରାମଃ - ପର୍ଶୁରାମ; ଶସ୍ତ୍ର-ଭୃତାମ୍ - ଶାସ୍ତ୍ରଧାରୀଙ୍କ ମଧ୍ୟରେ; ଅହଂ- ମୁଁ; ଝଷାଣାଂ - ଜଳଜୀବମାନଙ୍କ ମଧ୍ୟରେ; ମକରଃ - ମଗର; ଚ - ଏବଂ; ଅସ୍ମି - ମୁଁ ; ସ୍ରୋତସାଂ - ନଦୀମାନଙ୍କ ମଧ୍ୟରେ; ଅସ୍ମି -ଅଟେ; ଜାହ୍ନବୀ - ଗଙ୍ଗାନଦୀ ।
Translation
BG 10.31: ଶୁଦ୍ଧକାରୀଙ୍କ ମଧ୍ୟରେ ମୁଁ ବାୟୁ ଏବଂ ଶସ୍ତ୍ରଧାରୀଙ୍କ ମଧ୍ୟରେ ମୁଁ ପର୍ଶୁରାମ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ କୁମ୍ଭୀର ଏବଂ ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା ଅଟେ ।
Commentary
ବାୟୁ ପ୍ରକୃତିରେ ବିଶୋଧନ କାର୍ଯ୍ୟ କରିଥାଏ । ଏହା ଅଶୁଦ୍ଧ ପାଣିକୁ ବାଷ୍ପରେ ପରିଣତ କରିଦିଏ, ଦୁର୍ଗନ୍ଧକୁ ଦୂରକୁ ବୋହିନିଏ ଏବଂ ଏହା ନିଆଁକୁ ଜଳିବାକୁ ଅମ୍ଳଜାନ ଯୋଗାଇଥାଏ । ତେଣୁ ଏହା ପ୍ରକୃତିର ବିଶୋଧକ ଅଟେ ।
ପ୍ରଭୁ ରାମ (ପର୍ଶୁରାମ) ଜଣେ ଅତ୍ୟନ୍ତ ପରାକ୍ରମୀ ଯୋଦ୍ଧା ଥିଲେ ଏବଂ ତାଙ୍କର ଅସ୍ତ୍ର ଅତ୍ୟନ୍ତ ମାରାତ୍ମକ ଥିଲା । ତଥାପି ନିଜ ଶ୍ରେଷ୍ଠତା ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ସେ ତାହାର ଅପବ୍ୟବହାର କରୁ ନ ଥିଲେ । ଅସ୍ତ୍ରର ବ୍ୟବହାର ସେ କେବଳ ସମାଜର ମଙ୍ଗଳ ପାଇଁ କରିଛନ୍ତି । ତେଣୁ ସେ ଯଥାର୍ଥ ଅସ୍ତ୍ରଧାରୀ ଥିଲେ । ରାମ ମଧ୍ୟ ଶ୍ରୀକୃଷ୍ଣଙ୍କର ଅବତାର ଥିଲେ ଓ ଶ୍ରୀକୃଷ୍ଣ ତାଙ୍କୁ ନିଜର ସ୍ୱରୂପ କହୁଛନ୍ତି ।
ଗଙ୍ଗା ଏକ ପବିତ୍ର ନଦୀ ଅଟେ, ଯାହା ବିଷ୍ଣୁଙ୍କର ଦିବ୍ୟ ଚରଣରୁ ନିର୍ଗତ ହୋଇଅଛି । ଏହା ଦିବ୍ୟଧାମରୁ ପୃଥିବୀକୁ ଅବତରିତ ହୋଇଛି । ଅନେକ ଋଷି-ମୁନି ଗଙ୍ଗାତଟରେ କଠୋର ସାଧନା କରି ଏହି ଜଳର ପବିତ୍ରତା ବୃଦ୍ଧି କରିଛନ୍ତି । ଏହାର ଜଳ ଅନ୍ୟ ନଦୀମାନଙ୍କର ଜଳଠାରୁ ଭିନ୍ନ ଏବଂ ଏହାକୁ ପାତ୍ରରେ ଭରି ବର୍ଷ ବର୍ଷ ରଖିଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ । ପୂର୍ବରୁ ଗଙ୍ଗାଜଳରେ ଏହି ଗୁଣ ବହୁମାତ୍ରାରେ ଥିଲା କିନ୍ତୁ ଆଜିକାଲି, ନିୟୁତ ନିୟୁତ ବର୍ଜ୍ୟ ଏଥିରେ ମିଶିବା ଫଳରେ, ଏହି ଗୁଣ ହ୍ରାସ ପାଇଛି ।