Bhagavad Gita: Chapter 10, Verse 26

ଅଶ୍ୱତ୍‌ଥଃ ସର୍ବବୃକ୍ଷାଣାଂ ଦେବର୍ଷୀଣାଂ ଚ ନାରଦଃ ।
ଗନ୍ଧର୍ବାଣାଂ ଚିତ୍ରରଥଃ ସିଦ୍ଧାନାଂ କପିଳୋ ମୁନିଃ ।।୨୬।।

ଅଶ୍ୱତ୍‌‌ଥଃ - ଅଶ୍ୱତ୍‌ଥ ବୃକ୍ଷ; ସର୍ବବୃକ୍ଷାଣାଂ - ବୃକ୍ଷମାନଙ୍କ ମଧ୍ୟରେ; ଦେବର୍ଷୀଣାଂ - ଦେବର୍ଷିମାନଙ୍କ ମଧ୍ୟରେ; ଚ - ଏବଂ; ନାରଦଃ - ନାରଦ; ଗନ୍ଧର୍ବାଣାଂ- ଗନ୍ଧର୍ବମାନଙ୍କ ମଧ୍ୟରେ; ଚିତ୍ରରଥଃ - ଚିତ୍ରରଥ; ସିଦ୍ଧାନାଂ - ସିଦ୍ଧମାନଙ୍କ ମଧ୍ୟରେ; କପିଳୋ-ମୁନି- କପିଳ ମୁନି ।

Translation

BG 10.26: ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍‌ଥ ବୃକ୍ଷ ଅଟେ । ସ୍ୱର୍ଗର ଋଷିମାନଙ୍କ ମଧ୍ୟରେ ମୁଁ ନାରଦ । ଗନ୍ଧର୍ବ ମାନଙ୍କ ମଧ୍ୟରେ ମୁଁ ଚିତ୍ରରଥ ଓ ସିଦ୍ଧ ମହାପୁରୁଷ ମାନଙ୍କ ମଧ୍ୟରେ ମୁଁ କପିଳ ମୁନି ଅଟେ ।

Commentary

ଅଶ୍ୱତ୍‌ଥ ବୃକ୍ଷ ତଳେ ବିଶ୍ରାମ ନେବା ଅତ୍ୟନ୍ତ ଆରାମଦାୟକ ଅଟେ । ବାୟବୀୟ ମୂଳ ସାହାଯ୍ୟରେ ବିସ୍ତୃତି ଲାଭ କରି, ଏହା ଏକ ବୃହତ୍ କ୍ଷେତ୍ରକୁ ଶୀତଳ ଛାୟା ପ୍ରଦାନ କରିଥାଏ । ଭଗବାନ ବୁଦ୍ଧ ଅଶ୍ୱତ୍‌ଥ ବୃକ୍ଷ ତଳେ ଧ୍ୟାନମଗ୍ନ ହୋଇ ଦିବ୍ୟ ଜ୍ଞାନ ପ୍ରାପ୍ତ କରିଥିଲେ ।

ଦେବର୍ଷି ନାରଦ ଅନେକ ମହାପୁରୁଷଙ୍କର ଗୁରୁ ଅଟନ୍ତି; ଯେପରିକି ବେଦବ୍ୟାସ, ବାଲ୍ମିକୀ, ଧ୍ରୁବ ଓ ପ୍ରହ୍ଲାଦ । ସେ ସର୍ବଦା ଭଗବାନଙ୍କ ଗୁଣଗାନ କରି ତ୍ରିଲୋକରେ ଦିବ୍ୟ କର୍ମ ମଧ୍ୟ କରୁଥାନ୍ତି । ସେ ଜାଣିଶୁଣି କଳହ ଓ ସମସ୍ୟା ସୃଷ୍ଟି କରନ୍ତି, ସେଥିପାଇଁ ଲୋକେ ଭୁଲ୍‌ବଶତଃ ତାଙ୍କୁ ଜଣେ କଳହ-ପ୍ରିୟ ବ୍ୟକ୍ତି ମନେକରି ଥାଆନ୍ତି । କିନ୍ତୁ ସେ ଉଚ୍ଚ କକ୍ଷର ବ୍ୟକ୍ତିତ୍ୱମାନଙ୍କର ମନକୁ ଶୁଦ୍ଧ କରିବା ଉଦ୍ଦେଶ୍ୟରେ କଳହ ସୃଷ୍ଟି କରନ୍ତି, ଯାହାର ପରିଣାମ ଆତ୍ମ-ନିରୀକ୍ଷଣ ଏବଂ ଆତ୍ମ-ଶୁଦ୍ଧି ଅଟେ ।

ଗଦ୍ଧର୍ବମାନେ ଗାୟନ କଳାରେ ନିପୁଣ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ଚିତ୍ରରଥ ଅଟନ୍ତି । ସିଦ୍ଧ ଯୋଗୀ ମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ପୂର୍ଣ୍ଣତା ପ୍ରାପ୍ତ କରିଥାନ୍ତି । ସେମାନଙ୍କ ମଧ୍ୟରୁ କପିଳ ମୁନି ସାଂଖ୍ୟ ଦର୍ଶନର ପ୍ରଣେତା ଥିଲେ ଏବଂ ସେ ଭକ୍ତି ଯୋଗର ଶ୍ରେଷ୍ଠତା ମଧ୍ୟ ପ୍ରତିପାଦନ କରିଥିଲେ (ଯାହାର ବିସ୍ତୃତ ବର୍ଣ୍ଣନ ଶ୍ରୀମଦ୍ ଭାଗବତର ୩ୟ ଅଧ୍ୟାୟରେ ରହିଛି) । ସେ ଭଗବାନଙ୍କର ଅବତାର ଥିଲେ ଏବଂ ସେଥିପାଇଁ ଶ୍ରୀକୃଷ୍ଣ ତାଙ୍କୁ ନିଜ ଐଶ୍ୱର୍ଯ୍ୟର ବିଶେଷ ପରିପ୍ରକାଶ ଭାବେ ସୂଚିତ କରୁଛନ୍ତି ।