Bhagavad Gita: Chapter 10, Verse 38

ଦଣ୍ଡୋ ଦମୟତାମସ୍ମି ନୀତିରସ୍ମି ଜିଗୀଷତାମ୍ ।
ମୌନଂ ଚୈବାସ୍ମି ଗୁହ୍ୟାନାଂ ଜ୍ଞାନଂ ଜ୍ଞାନବତାମହମ୍ ।।୩୮।।

ଦଣ୍ଡଃ - ଦଣ୍ଡ; ଦମୟତାଂ - ଦମନ କରିବାର ପ୍ରଣାଳୀ ଭାବରେ; ଅସ୍ମି - ଅଟେ; ନୀତିଃ- ନୀତି; ଅସ୍ମି - ଅଟେ; ଜିଗୀଷତାଂ - ବିଜୟାକାଂକ୍ଷୀଙ୍କ ମଧ୍ୟରେ; ମୌନଂ - ମୌନ; ଚ- ଏବଂ; ଏବ - ମଧ୍ୟ; ଅସ୍ମି -ଅଟେ; ଗୁହ୍ୟାନାଂ - ଗୁପ୍ତବିଷୟମାନଙ୍କ ମଧ୍ୟରେ; ଜ୍ଞାନଂ-ଜ୍ଞାନ; ଜ୍ଞାନବତାଂ - ଜ୍ଞାନୀମାନଙ୍କ ଠାରେ; ଅହମ୍‌-ମୁଁ ।

Translation

BG 10.38: ଅରାଜକତା ଦୂର କରିବା ପାଇଁ ମୁଁ ଉଚିତ ଦଣ୍ଡ ଅଟେ । ବିଜୟାକାଂକ୍ଷୀମାନଙ୍କ ଠାରେ ମୁଁ ନୀତି ଅଟେ । ଗୁପ୍ତ ବିଷୟରେ ମୁଁ ମୌନ ଅଟେ ଏବଂ ଜ୍ଞାନୀମାନଙ୍କର ମୁଁ ଜ୍ଞାନ ଅଟେ ।

Commentary

ମନୁଷ୍ୟର ପ୍ରକୃତି ଏପରି ଯେ ସେମାନଙ୍କୁ ସତ୍‌କର୍ମରେ ପ୍ରବୃତ୍ତ କରିବା ପାଇଁ  କେବଳ ସଦୁପଦେଶ ଯଥେଷ୍ଟ ନୁହେଁ । ସଠିକ୍ ସମୟରେ  ଉଚିତ ଦଣ୍ଡ, ସେମାନଙ୍କର ପାପଯୁକ୍ତ କର୍ମକୁ ସୁଧାରିବା ଓ ସତ୍‌କର୍ମରେ ସେମାନଙ୍କୁ ପାଇଁ ପ୍ରବର୍ତ୍ତାଇବା ପାଇଁ ବହୁତ ଆବଶ୍ୟକ ଅଟେ । ଏହାର ଗୋଟିଏ ଉଦ୍ଦେଶ୍ୟ ହେଲା, ସମାଜରେ ଯେଉଁମାନେ ପାପ କର୍ମ କରିବାରେ ଅଭ୍ୟସ୍ତ, ସେମାନଙ୍କୁ ତହିଁରୁ ନିବୃତ୍ତ କରିବା । ଆଧୁନିକ ପ୍ରବନ୍ଧନ ସିଦ୍ଧାନ୍ତ ଅତି ସୁନ୍ଦର ଭାବରେ ଦର୍ଶାଇଥାଏ, କିପରି ଅନୁଚିତ ବ୍ୟବହାର ପାଇଁ ଏକ ମିନିଟ୍ ଉଚିତ ଦଣ୍ଡ ଓ ଉଚିତ ବ୍ୟବହାର ପାଇଁ ଏକ ମିନିଟ୍ ଉପଯୁକ୍ତ ପୁରସ୍କାର, ଲୋକଙ୍କର ବ୍ୟବହାରକୁ ସଂଶୋଧିତ କରିବାରେ ସହାୟକ ହୋଇଥାଏ ।

ବିଜୟ ଆକାଂକ୍ଷା ସାର୍ବଜନୀନ ଅଟେ । ଚରିତ୍ରବାନ୍ ବ୍ୟକ୍ତି ତାହାକୁ ହାସଲ କରିବା ପାଇଁ ନିଜର ନୈତିକତା ତ୍ୟାଗ କରି ନ ଥା’ନ୍ତି କି ସତ୍‌ପଥରୁ ବିଚ୍ୟୁତ ହୋଇ ନ ଥା’ନ୍ତି । ସତ୍‌୍‌ପଥରେ ଯାଇ ଯେଉଁ ସଫଳତା ମିଳିଥାଏ, ତାହା ଭଗବାନଙ୍କର ବିଭୂତି ଅଟେ ।

ଏକ ବିଶେଷ କାରଣରୁ ଯଦି କୌଣସି ତଥ୍ୟକୁ ଗୋପନୀୟ ରଖାଯାଏ, ତାହାକୁ ଗୁପ୍ତତଥ୍ୟ କୁହାଯାଏ । ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, “ଯେଉଁ ଗୁପ୍ତତଥ୍ୟ କେବଳ ଜଣକ ପାଖରେ ଥାଏ, ତାହା ଗୁପ୍ତ ଅଟେ; ଦୁଇଜଣ ଜାଣିଥିବା ତଥ୍ୟକୁ ଗୁପ୍ତ କୁହାଯିବ ନାହିଁ; ତିନି ଜଣ ଜାଣିଥିବା ଗୁପ୍ତତଥ୍ୟ ଗୋଟିଏ ଖବର ଅଟେ ଯାହା ଦୁନିଆକୁ ଉଚ୍ଚ ଶବ୍ଦରେ ଜଣାଇ ଦିଆଯାଇଥାଏ” । ଅତଏବ, ଗୁପ୍ତତଥ୍ୟ ତାହାହିଁ ଅଟେ ଯାହା ମୌନତାର ସହିତ ଗୋପନୀୟ ରଖାଯାଏ ।

ବାସ୍ତବ ଜ୍ଞାନ ସେତେବେଳେ ଉଦୟ ହୋଇଥାଏ, ଯେତେବେଳେ ଆତ୍ମଜ୍ଞାନ ବା ବ୍ରହ୍ମଜ୍ଞାନ ଦ୍ୱାରା ବ୍ୟକ୍ତିର ଆଧ୍ୟାତ୍ମିକ ଜ୍ଞାନ ପରିପୁଷ୍ଟ ହୋଇଯାଏ । ଜ୍ଞାନସମ୍ପନ୍ନ ବ୍ୟକ୍ତିଠାରେ ଏପରି ଦୃଷ୍ଟିକୋଣ ବିକାଶ ଲାଭ କରିଥାଏ ଯଦ୍ୱାରା ସେ ସମସ୍ତ ଘଟଣା, ବ୍ୟକ୍ତି ବା ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିଥାଏ । ଏପରି ଜ୍ଞାନ ଜଣକୁ ଶୁଦ୍ଧ, ପୂର୍ଣ୍ଣ, ସନ୍ତୁଷ୍ଟ ଓ ଉନ୍ନତ କରିଥାଏ । ଏହା ଜୀବନକୁ ଲକ୍ଷ୍ୟ ପ୍ରଦାନ କରିଥାଏ, ବାଧାବିଘ୍ନର ସାମନା କରିବାକୁ ଶକ୍ତି ଦେଇଥାଏ ଏବଂ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ବ୍ୟକ୍ତିକୁ ସଙ୍କଳ୍ପ ବଦ୍ଧ କରାଇଥାଏ । ଜ୍ଞାନୀ ମାନଙ୍କ ଠାରେ ପରିଦୃଷ୍ଟ ଏହି ଜ୍ଞାନକୁ ଶ୍ରୀକୃଷ୍ଣ ନିଜର ଐଶ୍ୱର୍ଯ୍ୟ କହୁଛନ୍ତି ।