Bhagavad Gita: Chapter 10, Verse 19

ଶ୍ରୀଭଗବାନୁବାଚ
ହନ୍ତ ତେ କଥୟିଷ୍ୟାମି ଦିବ୍ୟା ହ୍ୟାତ୍ମବିଭୂତୟଃ ।
ପ୍ରାଧାନ୍ୟତଃ କୁରୁଶ୍ରେଷ୍ଠ ନାସ୍ତ୍ୟନ୍ତୋ ବିସ୍ତରସ୍ୟ ମେ ।।୧୯।।

ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ହନ୍ତ - ହଁ; ତେ - ତୁମକୁ; କଥୟିଷ୍ୟାମି - ମୁଁ କହିବି; ଦିବ୍ୟାଃ- ବିଶୁଦ୍ଧ; ହି - ନିଶ୍ଚିତରୂପେ; ଆତ୍ମ-ବିଭୂତୟଃ -ମୋର ଦିବ୍ୟ ଐଶ୍ୱର୍ଯ୍ୟ; ପ୍ରାଧାନ୍ୟତଃ-ପ୍ରଧାନତଃ; କୁରୁଶ୍ରେଷ୍ଠ - କୌରବମାନଙ୍କ ମଧ୍ୟରେ ଶ୍ରେଷ୍ଠ; ନ ଅସ୍ତି - ନାହିଁ; ଅନ୍ତଃ - ଶେଷ(ସୀମା); ବିସ୍ତରସ୍ୟ- ବିସ୍ତାର ପୂର୍ବକ; ମେ - ମୋର ।

Translation

BG 10.19: ହେ କୁରୁଶ୍ରେଷ୍ଠ! ବର୍ତ୍ତମାନ, ମୁଁ ତୁମ ସମ୍ମୁଖରେ ନିଜ ଦିବ୍ୟ ବିଭୂତିର ବର୍ଣ୍ଣନା ସଂକ୍ଷେପରେ କରିବି, କାରଣ ତାହାର ଅନ୍ତ ନାହିଁ ।

Commentary

ଅମର କୋଷ (ପୁରାତନ ସର୍ବମାନ୍ୟ ସଂସ୍କୃତ ଶବ୍ଦକୋଷ) ବିଭୂତି ଶବ୍ଦର ସଂଜ୍ଞା ଏହିପରି ନିରୂପଣ କରିଥାଏ: ବିଭୂତିର୍ ଭୂତିର୍ ଐଶ୍ୱର୍ଯ୍ୟମ୍ (ଶକ୍ତି ଏବଂ ସମ୍ପଦ) । ଭଗବାନଙ୍କ ଶକ୍ତି ଓ ସମ୍ପଦ ଅନନ୍ତ । ବାସ୍ତବରେ ଭଗବାନଙ୍କର ସବୁକିଛି ଅନନ୍ତ । ତାଙ୍କର ଅନନ୍ତ ରୂପ, ଅନନ୍ତ ନାମ, ଅନନ୍ତ ଧାମ, ଅନନ୍ତ ଅବତାର, ଅନନ୍ତ ଲୀଳା, ଅନନ୍ତ ସନ୍ଥ ଇତ୍ୟାଦି ସବୁକିଛି ଅନନ୍ତ । ଏଣୁ ବେଦ ତାଙ୍କୁ ଅନନ୍ତ ଭାବେ ନାମିତ କରିଥାଏ:

ଅନନ୍ତଶ୍ଚାତ୍ମା ବିଶ୍ୱରୂପୋ ହ୍ୟକର୍ତା (ଶ୍ୱେତାଶ୍ୱତର ଉପନିଷଦ ୧.୯)

“ଭଗବାନ ଅନନ୍ତ ଅଟନ୍ତି ଏବଂ ଅସଂଖ୍ୟ ରୂପରେ ସେ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକଟିତ । ବ୍ରହ୍ମାଣ୍ଡର ଶାସକ ହୋଇ ମଧ୍ୟ ସେ ଅକର୍ତ୍ତା ଅଟନ୍ତି ।” ରାମାୟଣ ବର୍ଣ୍ଣନା କରେ:

ହରି ଅନନ୍ତ ହରି କଥା ଅନନ୍ତା

“ଭଗବାନ ଅନନ୍ତ ଅଟନ୍ତି ଏବଂ ଅନନ୍ତ ଅବତାରରେ ତାଙ୍କର ଲୀଳା ମଧ୍ୟ ଅନନ୍ତ ।” ମହର୍ଷି ବେଦବ୍ୟାସ ତ ଏପରି କହନ୍ତି ଯେ:

ଯୋ ବା ଅନନ୍ତସ୍ୟ ଗୁଣାନନନ୍ତାନ୍ ଅନୁକ୍ରମିଷ୍ୟନ୍ ସ ତୁ ବାଲ-ବୁଦ୍ଧିଃ ।
ରଜାନ୍‌ସି ଭୂମେର୍ ଗଣୟେତ୍ କଥଞ୍ôଚତ୍ କାଳେନ ନୈବାଖିଲଶକ୍ତି ଧାମ୍ନଃ । । (ଭାଗବତ, ୧୧.୪.୨)

ଯେଉଁମାନେ ଏପରି ଭାବନ୍ତି ଯେ ସେମାନେ ଭଗବାନଙ୍କ ଗୁଣର ଗଣନା କରିପାରିବେ, ସେମାନଙ୍କର ବୁଦ୍ଧି ବାଲ୍ୟସ୍ୱଭାବଯୁକ୍ତ ଅଟେ । ପୃଥିବୀର ସମସ୍ତ ଧୂଳିକଣାକୁ ଆମେ ଗଣି ନେଇପାରିଲେ ବି ଭଗବାନଙ୍କର ଅନନ୍ତ ଗୁଣକୁ ଗଣିପାରିବା ନାହିଁ । ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ସେ ତାଙ୍କ ବିଭୂତିର ଅଳ୍ପ କିଛି ଅଂଶ ହିଁ ବର୍ଣ୍ଣନା କରିବେ ।