Bhagavad Gita: Chapter 10, Verse 34

ମୃତ୍ୟୁଃ ସର୍ବହରଶ୍ଚାହମୁଦ୍ଭବଶ୍ଚ ଭବିଷ୍ୟତାମ୍ ।
କୀର୍ତିଃ ଶ୍ରୀର୍ବାକ୍‌ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା ।।୩୪।।

ମୃତ୍ୟୁଃ - ମୃତ୍ୟୁ; ସର୍ବ-ହରଃ- ସର୍ବଗ୍ରାସକାରୀ; ଚ- ଏବଂ; ଅହଂ-ମୁଁ; ଉଦ୍ଭବଃ - ଉତ୍ପନ୍ନ; ଚ -ଏବଂ; ଭବିଷ୍ୟତାମ୍ - ଭବିଷ୍ୟତରେ; କୀର୍ତି -ଯଶ (କୀର୍ତ୍ତି); ଶ୍ରୀଃବାକ୍ -ସୁନ୍ଦର ବାଣୀ; ଚ- ଏବଂ; ନାରୀଣାମ୍ - ସ୍ତ୍ରୀଲୋକମାନଙ୍କର; ସ୍ମୃତିଃ - ସ୍ମୃତି; ମେଧା- ବୁଦ୍ଧି; ଧୃତିଃ - ଧୈର୍ଯ୍ୟ; କ୍ଷମା- ସହନଶୀଳତା ।

Translation

BG 10.34: ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଟେ, ମୁଁ ସୃଷ୍ଟି ହେବାକୁ ଥିବା ବସ୍ତୁମାନଙ୍କର ସୃଷ୍ଟିକର୍ତ୍ତା ଅଟେ । ନାରୀ ସୁଲଭ ଗୁଣ ମାନଙ୍କ ମଧ୍ୟରେ ମୁଁ ଯଶ, ବୈଭବ, ମୃଦୁ ବାକ୍ୟ, ସ୍ମରଣ ଶକ୍ତି, ବୁଦ୍ଧି, ସାହସ ଓ କ୍ଷମା ଅଟେ ।

Commentary

ଇଂରାଜୀରେ ଏକ ବାକ୍ୟାଂଶ ଅଛି “ମୃତ୍ୟୁ ପରି ସୁନିଶ୍ଚିତ” । ଯିଏ ଜନ୍ମ ନିଏ, ତା’ର ମୃତ୍ୟୁ ନିଶ୍ଚିତ । ସମସ୍ତ ଜୀବନର ଅନ୍ତ ମୃତ୍ୟୁରେ ହୁଏ । ଏଣୁ ବାକ୍ୟାଂଶ ଅଛି “ଶେଷ ସୀମା” । ଭଗବାନ କେବଳ ସୃଜନକାରୀ ଶକ୍ତି ନୁହଁନ୍ତି, ସେ ବିନାଶକାରୀ ଶକ୍ତି ମଧ୍ୟ ଅଟନ୍ତି । ସେ ମୃତ୍ୟୁ ରୂପରେ ସମସ୍ତଙ୍କୁ ଗ୍ରାସ କରି ନିଅନ୍ତି । ଜନ୍ମ ମୃତ୍ୟୁର ଚକ୍ରରେ, ଯିଏ ମୃତ୍ୟୁବରଣ କରେ ସେ ପୁନର୍ବାର ଜନ୍ମ ଗ୍ରହଣ କରେ । ଶ୍ରୀକୃଷ୍ଣ କରୁଛନ୍ତି ଯେ, ଆଗାମୀ ସୃଷ୍ଟିର ମଧ୍ୟ ସେ ସୃଷ୍ଟିକର୍ତ୍ତା ଅଟନ୍ତି ।

କେତେକ ଗୁଣ ସ୍ତ୍ରୀ ମାନଙ୍କ ବ୍ୟକ୍ତିତ୍ୱର ଆଭୂଷଣ ସଦୃଶ ଅଟେ ଏବଂ ଅନ୍ୟ କେତେକ ଗୁଣ ପୁରୁଷଙ୍କ କ୍ଷେତ୍ରରେ ପ୍ରଶଂସନୀୟ ଅଟେ । ଆଦର୍ଶତଃ, ଜଣେ ଉତ୍ତମ ମନୁଷ୍ୟଠାରେ ଉଭୟ ପ୍ରକାରର ଗୁଣ ରହିବା ଆବଶ୍ୟକ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଶ, ବୈଭବ, ମୃଦୁବାଣୀ, ସ୍ମୃତି, ବୁଦ୍ଧିମତ୍ତା, ସାହସ ଏବଂ କ୍ଷମା ସ୍ତ୍ରୀ ମାନଙ୍କର ବ୍ୟକ୍ତିତ୍ୱକୁ ଉଜ୍ଜ୍ୱଳମୟ କରିଥାଏ । ପ୍ରଥମ ତିନୋଟି ଗୁଣ ବାହାରକୁ ପ୍ରକାଶ ପାଇଥାଏ ଏବଂ ଅନ୍ୟ ଚାରିଗୋଟି ଗୁଣ ଅନ୍ତର୍ନିହିତ ରହେ ।

ଏତଦ୍‌ବ୍ୟତୀତ, ମନୁଷ୍ୟ ଜାତିର ଉପ ସୃଷ୍ଟି କର୍ତ୍ତା, ଦକ୍ଷ ପ୍ରଜାପତିଙ୍କର ଚବିଶଜଣ କନ୍ୟା ଥିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ଶ୍ରେଷ୍ଠ ସ୍ତ୍ରୀ ରୂପେ ବିବେଚନା କରାଯାଇ ଥାଏ - କୀର୍ତ୍ତି, ସ୍ମୃତି, ମେଧା, ଧୃତି ଏବଂ କ୍ଷମା । ଭୃଗୁ ଋଷିଙ୍କର କନ୍ୟାର ନାମ ଶ୍ରୀ ଥିଲା । ବକ ବ୍ରହ୍ମାଙ୍କର ପୁତ୍ରୀ ଥିଲେ । ଶ୍ଲୋକରେ ବର୍ଣ୍ଣିତ ସାତୋଟି ଗୁଣର ଅଧିଷ୍ଠାତ୍ରୀ ଦେବୀ ଯଥାକ୍ରମେ ଏହି ସାତଜଣ ସ୍ତ୍ରୀ ଅଟନ୍ତି । ଏଠାରେ ଶ୍ରୀକୃଷ୍ଣ ଏହିସବୁ ଗୁଣକୁ ତାଙ୍କର ବିଭୂତି ଭାବରେ ସୂଚିତ କରିଛନ୍ତି ।