Bhagavad Gita: Chapter 10, Verse 4-5

ବୁଦ୍ଧିର୍ଜ୍ଞାନମସମ୍ମୋହଃ କ୍ଷମା ସତ୍ୟଂ ଦମଃ ଶମଃ ।
ସୁଖଂ ଦୁଃଖଂ ଭବୋଽଭାବୋ ଭୟଂ ଚାଭୟମେବ ଚ ।।୪।।
ଅହିଂସା ସମତା ତୁଷ୍ଟିସ୍ତପୋ ଦାନଂ ଯଶୋଽଯଶଃ ।
ଭବନ୍ତି ଭାବା ଭୂତାନାଂ ମତ୍ତ ଏବ ପୃଥଗ୍‌ବିଧାଃ ।।୫।।

ବୁଦ୍ଧିଃ - ବୁଦ୍ଧି; ଜ୍ଞାନଂ - ଜ୍ଞାନ; ଅସଂମୋହଃ - ସଂଶୟମୁକ୍ତ; କ୍ଷମା - କ୍ଷମା; ସତ୍ୟଂ - ସତ୍ୟ; ଦମଃ -ଇନ୍ଦ୍ରିୟସଂଯମ; ଶମଃ - ମନ ସଂଯମ; ସୁଖଂ - ସୁଖ; ଦୁଃଖଂ - ଦୁଃଖ; ଭବଃ - ଜନ୍ମ ; ଅଭାବଃ - ମୃତ୍ୟୁ; ଭୟଂ - ଭୟ; ଚ - ମଧ୍ୟ; ଅଭୟଂ - ଭୟହୀନତା, ଏବ- ମଧ୍ୟ; ଚ - ଏବଂ; ଅହିଂସା - ଅହିଂସା; ସମତା - ସଭମାବ; ତୁଷ୍ଟିଃ - ସନ୍ତୋଷ; ତପଃ - ତପସ୍ୟା; ଦାନଂ - ଦାନ; ଯଶଃ - ପ୍ରଶଂସା; ଅଯଶଃ - ନିନ୍ଦା; ଭବନ୍ତି - ହୁଅନ୍ତି; ଭାବାଃ - ପ୍ରକୃତି; ଭୂତାନାଂ - ଜୀବମାନଙ୍କ ମଧ୍ୟରେ; ମତ୍ତଃ - ମୋ ଠାରୁ; ଏବ - କେବଳ; ପୃଥକ୍‌-ବିଧାଃ - ବିଭିନ୍ନ ପ୍ରକାରେ ବ୍ୟବସ୍ଥିତ ।

Translation

BG 10.4-5: ମନୁଷ୍ୟମାନଙ୍କର ଗୁଣରେ ବିବିଧତା କେବଳ ମୋଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଯେପରି କି ବୁଦ୍ଧି, ଜ୍ଞାନ, ବିବେକ, କ୍ଷମାଶୀଳତା, ସତ୍ୟବାଦିତା, ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ, ସୁଖ ଓ ଦୁଃଖ, ଜନ୍ମ ଓ ମୃତ୍ୟୁ, ଭୟ ଓ ସାହସ, ଅହିଂସା, ସମଦର୍ଶିତା, ସନ୍ତୋଷ, ସଂଯମ, ଦାନ, ଯଶ ଓ ଅପଯଶ ।

Commentary

ଏହି ଦୁଇଟି ଶ୍ଲୋକରେ, ଶ୍ରୀକୃଷ୍ଣ ତାଙ୍କର ପୂର୍ଣ୍ଣ ପ୍ରଭୁତ୍ୱ ଏବଂ ସୃଷ୍ଟିର ସମସ୍ତ ବସ୍ତୁ ଉପରେ ତାଙ୍କର ପୂର୍ଣ୍ଣ ଆଧିପତ୍ୟକୁ ସମର୍ଥନ କରିବା ଜାରି ରଖିଛନ୍ତି । ଏଠାରେ ସେ କୋଡିଏଟି ଭାବନାର ଉଲ୍ଲେଖ କରିଛନ୍ତି, ଯାହା ଭିନ୍ନ ଭିନ୍ନ ମନୁଷ୍ୟଙ୍କ ଠାରେ ବିଭିନ୍ନ ମାତ୍ରାରେ ଏବଂ ମିଶ୍ରଣରେ ପ୍ରକାଶିତ ହୋଇ ପ୍ରତ୍ୟେକ ମାନବ ପ୍ରକୃତିକୁ ସ୍ୱତନ୍ତ୍ର ଢାଂଚାରେ ଗଢିଥାଏ । ସେ ଘୋଷଣା କରୁଛନ୍ତି ଯେ, ମନୁଷ୍ୟର ଭିନ୍ନ ଭିନ୍ନ ଆବେଗ, ସ୍ୱଭାବ, ଏବଂ ପ୍ରବୃତ୍ତି ତାଙ୍କଠାରୁ ହିଁ ଉତ୍ପତ୍ତି  ଲାଭ କରିଥାଏ ।

ବୁଦ୍ଧି: କୌଣସି ବିଷୟକୁ ଉଚିତ୍ ଦୃଷ୍ଟିକୋଣରୁ ବିଶ୍ଲେଷଣ କରିବାର କ୍ଷମତା ।

ଜ୍ଞାନଂ: ମାୟିକ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବାର କ୍ଷମତା ।

ଅସମ୍ମୋହଂ : ଦ୍ୱନ୍ଦରହିତ ।

କ୍ଷମା: ଆମର ଅନିଷ୍ଟ କରିଥିବା ବ୍ୟକ୍ତିକୁ ମଧ୍ୟ କ୍ଷମା କରିବାର ଗୁଣ ।

ସତ୍ୟ: ସମସ୍ତଙ୍କ ଉପକାର ପାଇଁ ସତ୍ୟ ପ୍ରକାଶ କରିବାର ସାହସ ।

ଦମ: ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା ।

ଶମ: ମନ ଉପରେ ନିୟନ୍ତ୍ରଣ ।

ସୁଖଂ: ଆନନ୍ଦ ବା ଖୁସୀର ଅନୁଭୂତି ।

ଦୁଖଂ: ଦୁଃଖଯାତନାର ଅନୁଭୂତି

ଭବଃ: ନିଜ ଅସ୍ଥିତ୍ୱର ଅନୁଭୂତି ।

ଅଭାବଃ: ମୃତ୍ୟୁର ଅନୁଭୂତି ।

ଭୟ: ଆସନ୍ନ ବିପଦର ଆଶଙ୍କା

ଅଭୟ: ଭୟ ରହିତ

ଅହିଂସା: କୌଣସି ପ୍ରାଣୀକୁ ବାଣୀ, କ୍ରିୟା ବା ବିଚାର ଦ୍ୱାରା କ୍ଷତି ନ ପହଞ୍ଚାଇବା ।

ସମତା: ଉଭୟ ଭଲ ଓ ମନ୍ଦ ପରିସ୍ଥିତିରେ ସମଭାବ ରହିବା ।

ତୁଷ୍ଟି: କର୍ମ ଅନୁସାରେ ଯାହା ଫଳ ମିଳିଲେ ବି ସନ୍ତୁଷ୍ଟ ରହିବା ।

ତପ: ଆଧ୍ୟାତ୍ମିକ ଲାଭ ପାଇଁ ବେଦର ନିୟମ ଅନୁଯାୟୀ ସ୍ୱେଚ୍ଛାରେ ସଂଯମ ପାଳନ କରିବା ।

ଦାନ: ଅଧିକାରୀ ବ୍ୟକ୍ତିଙ୍କୁ ଧନ ସାମଗ୍ରୀ ଆଦି ବିତରଣ କରିବା ।

ଯଶ: ଉତ୍ତମ ଗୁଣର ଅଧିକାରୀ ଭାବରେ ସୁନାମ ଅର୍ଜନ କରିବା ।

ଅଯଶ: ମନ୍ଦ ସ୍ୱଭାବ ଯୋଗୁଁ ନିନ୍ଦିତ ହେବା ।

ଶ୍ରୀକୃଷ୍ଣ କହୁଛନ୍ତି ଯେ, ବ୍ୟକ୍ତିଠାରେ ଏହି ସବୁ ଗୁଣର ପ୍ରାକଟ୍ୟ କେବଳ ତାଙ୍କ ଦ୍ୱାରା ସ୍ୱୀକୃତ ମାତ୍ରାରେ ହୋଇଥାଏ । ତେଣୁ  ସେ ହିଁ ସମସ୍ତ ଭଲ ଓ ମନ୍ଦ ଗୁଣର ଉତ୍ସ ଅଟନ୍ତି । ଏହାର ତୁଳନା ଭିନ୍ନ ଭିନ୍ନ ବୈଦୁତିକ ଉପକରଣ ଦ୍ୱାରା ପାୱାର ହାଉସ୍ (ବୈଦ୍ୟୁତିକ ଶକ୍ତି ଭଣ୍ଡାର)ରୁ ଆସୁଥିବା ବୈଦୁତିକ ଶକ୍ତିର ବିନିଯୋଗ ସହିତ କରାଯାଇ ପାରେ । ସେହି ଶକ୍ତି ବିଭିନ୍ନ ଉପକରଣରେ ପ୍ରବାହିତ ହୋଇ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟ କରିଥାଏ । ଏହା ଗୋଟିଏରେ ଶବ୍ଦ, ଅନ୍ୟଟିରେ ଆଲୋକ ଓ ତୃତୀୟଟିରେ ଉତ୍ତାପ ସୃଷ୍ଟି କରେ । ଶକ୍ତିର ଅଭିବ୍ୟକ୍ତିରେ ପାର୍ଥକ୍ୟ ରହିଥିଲେ ବି,  ଉତ୍ସ ସେହି ପାୱାର ହାଉସ୍‌ରୁ ଆସୁଥିବା ବିଦ୍ୟୁତ୍‌ଶକ୍ତି ଅଟେ । ସେହିପରି, ଆମର ପୂର୍ବ ଜନ୍ମର ସଂସ୍କାର ଏବଂ ବର୍ତ୍ତମାନ ଜନ୍ମର ପୁରୁଷାର୍ଥ ଅନୁସାରେ, ଭଗବାନଙ୍କର ଶକ୍ତି ଆମ ଠାରେ ସକାରାତ୍ମକ ଅଥବା ନକାରାତ୍ମକ ଭାବରେ ପ୍ରକାଶିତ ହୁଏ ।