ତସ୍ମାତ୍ତ୍ୱମୁତ୍ତିଷ୍ଠ ଯଶୋ ଲଭସ୍ୱ
ଜିତ୍ୱା ଶତ୍ରୂନ୍ଭୂଙ୍କ୍ଷ୍ୱ ରାଜ୍ୟଂ ସମୃଦ୍ଧମ୍ ।
ମୟୈବୈତେ ନିହତାଃ ପୂର୍ବମେବ
ନିମିତ୍ତମାତ୍ରଂ ଭବ ସବ୍ୟସାଚିନ୍ ।।୩୩।।
ତସ୍ମାତ୍ - ତେଣୁ; ତ୍ୱଂ- ତୁମେ; ଉତ୍ତିଷ୍ଠ - ଉଠ; ଯଶଃ -ଯଶ; ଲଭସ୍ୱ - ଲାଭକର; ଜିତ୍ୱା - ଜିଣି; ଶତ୍ରୁନ୍ - ଶତ୍ରୁମାନଙ୍କୁ; ଭୂଙ୍କ୍ଷ୍ୱ - ଭୋଗକର; ରାଜ୍ୟଂ - ରାଜ୍ୟ; ସମୃଦ୍ଧମ୍ - ସମୃଦ୍ଧଶାଳୀ; ମୟା - ମୋ’ଦ୍ୱାରା; ଏବ- ନିଶ୍ଚିତଭାବେ; ଏତେ - ଏମାନେ ସମସ୍ତେ; ନିହତାଃ - ବଧ ହୋଇ ସାରିଛନ୍ତି; ପୂର୍ବଂ ଏବ - ପୂର୍ବରୁ; ନିମିତ୍ତ-ମାତ୍ରଂ - ନିମିତ୍ତ ମାତ୍ର; ଭବ-ହୁଅ; ସବ୍ୟସାଚିନ୍ - ହେ ସବ୍ୟସାଚୀ ।
Translation
BG 11.33: ତେଣୁ ହେ ଧନୁର୍ଦ୍ଧର! ଉଠ, ଯଶ ଲାଭ କର! ଶତ୍ରୁଙ୍କୁ ଜୟ କରି ସମୃଦ୍ଧଶାଳୀ ରାଜ୍ୟଶାସନ ଉପଭୋଗ କର । ଉପସ୍ଥିତ ସମସ୍ତ ଯୋଦ୍ଧା ମୋ ଦ୍ୱାରା ନିହତ ହୋଇସାରିଛନ୍ତି, ତୁମେ ମୋ କର୍ମର କେବଳ ଏକ ମାଧ୍ୟମ ହୁଅ ।
Commentary
ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମ୍ମୁଖରେ ତାଙ୍କର ଅଭିଳାଷ ପ୍ରକଟ କରିଛନ୍ତି ଯେ ଧର୍ମର ନିୟମ ଅନୁସାରେ, କୌରବମାନେ ଲୋପ ପାଇବା ଉଚିତ ଏବଂ ହସ୍ତିନାପୁର ରାଜ୍ୟକୁ ପାଣ୍ଡବମାନେ ଶାସନ କରିବା ଉଚିତ । ଯୁଦ୍ଧର ପରିଣତି ଭାବରେ ଅଧର୍ମୀମାନଙ୍କର ବିନାଶ ଏବଂ ଧର୍ମାତ୍ମା ମାନଙ୍କର ବିଜୟ, ଏହା ତାଙ୍କ ଦ୍ୱାରା ସ୍ଥିରିକୃତ ଅଟେ । ସଂସାରର ମଙ୍ଗଳ ପାଇଁ ତାଙ୍କର ବୃହତ୍ ଯୋଜନାକୁ କୌଣସି ଉପାୟରେ ବି ଏଡ଼ାଇ ଦେଇ ହେବନାହିଁ । ବର୍ତ୍ତମାନ ସେ ଅର୍ଜୁନଙ୍କୁ ଜଣାଇ ଦେଉଛନ୍ତି ଯେ, ତାଙ୍କ କାର୍ଯ୍ୟରେ ଅର୍ଜୁନ କେବଳ ଏକ ମାଧ୍ୟମ ହିଁ ଅଟନ୍ତି । ଭଗବାନ ନିଜ କାର୍ଯ୍ୟ ସମ୍ପନ୍ନ କରିବାକୁ କୌଣସି ମନୁଷ୍ୟର ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ମନୁଷ୍ୟ ଭଗବାନଙ୍କର ଇଚ୍ଛା ପୂରଣ ନିମନ୍ତେ କାର୍ଯ୍ୟକରି ନିଜର ହିଁ କଲ୍ୟାଣ କରିଥାଏ । ଭଗବାନଙ୍କର ଇଚ୍ଛା ପୂରଣ ଦିଗରେ ଆମକୁ ଯଦି କିଛି କରିବାର ସୁଯୋଗ ମିଳୁଥାଏ, ତେବେ ତାହା ଭଗବାନଙ୍କର ବିଶେଷ କୃପା ଅଟେ । ଏହି ସୁଯୋଗର ସଦ୍ବ୍ୟବହାର କରିବା ଦ୍ୱାରା ଭଗବାନଙ୍କର ବିଶେଷ କୃପା ପ୍ରାପ୍ତ ହୁଏ ଏବଂ ଆମେ ତାଙ୍କର ଚିରନ୍ତନ ଦାସ ହେବାର ସୌଭାଗ୍ୟ ଲାଭ କରେ ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ, ତାଙ୍କ କୃପାରୁ ପ୍ରାପ୍ତ କରିଥିବା ବିଚକ୍ଷଣ ଧନୁର୍ବିଦ୍ୟା ସମ୍ବନ୍ଧରେ ସ୍ମରଣ କରାଇ ତାଙ୍କୁ ଉତ୍ସାହିତ କରୁଛନ୍ତି । ତା’ସହିତ ତାଙ୍କ ପାଇଁ ଏକ ମାଧ୍ୟମ ହେବା ପାଇଁ କହୁଛନ୍ତି । ସେ ତାଙ୍କୁ ସାବ୍ୟସାଚୀ ବା ଧନୁର୍ବିଦ୍ୟାରେ ପାରଙ୍ଗମ ଭାବରେ ସମ୍ବୋଧନ କରୁଛନ୍ତି, କାରଣ ଅର୍ଜୁନ ଉଭୟହସ୍ତ ବ୍ୟବହାର କରିବାରେ କୁଶଳ ଥିଲେ ଏବଂ ଉଭୟ ହସ୍ତରେ ବାଣ ମାରି ପାରୁଥିଲେ ।