Bhagavad Gita: Chapter 11, Verse 14

ତତଃ ସ ବିସ୍ମୟାବିଷ୍ଟୋ ହୃଷ୍ଟରୋମା ଧନଞ୍ଜୟଃ ।
ପ୍ରଣମ୍ୟ ଶିରସା ଦେବଂ କୃତାଞ୍ଜଳିରଭାଷତ ।।୧୪।।

ତତଃ - ତାପରେ; ସ - ସେ; ବିସ୍ମୟାବିଷ୍ଟଃ - ଅତ୍ୟାଶ୍ଚର୍ଯ୍ୟ ହୋଇ; ହୃଷ୍ଟ- ରୋମା - ରୋମାଞ୍ଚିତ ହୋଇ; ଧନଞ୍ଜୟଃ - ଅର୍ଜୁନ; ପ୍ରଣମ୍ୟ - ପ୍ରଣାମ କରି; ଶିରସା - ନତମସ୍ତକ ହୋଇ; ଦେବଂ - ପରମପୁରୁଷ ଭଗବାନଙ୍କୁ; କୃତାଞ୍ଜଳିଃ - ଯୋଡ଼ହସ୍ତ ହୋଇ; ଅଭାଷତ- କହିବାକୁ ଲାଗିଲେ ।

Translation

BG 11.14: ଅର୍ଜୁନ ଅତ୍ୟନ୍ତ ବିସ୍ମୟାଭୂତ ହୋଇ ଉଠିଲେ ଏବଂ ତାଙ୍କର ରୋମାଞ୍ଚ ଜାତ ହୋଇଗଲା । ସେ ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହୋଇ କୃତାଞ୍ଜଳି ପୁଟରେ ତାଙ୍କର ସ୍ତୁତି କରିବାରେ ଲାଗିଲେ ।

Commentary

ସେହି ବିସ୍ମୟକାରୀ ଦୃଶ୍ୟ ଦେଖି ଅର୍ଜୁନ ବିସ୍ମିତ ହେବା ସହିତ ଗଭୀର ଭକ୍ତିରେ ଉଦ୍‌ବୁଦ୍ଧ ହୋଇଉଠିଲେ । ଏହା ତାଙ୍କ ହୃଦୟରେ ଭକ୍ତିର ସ୍ୱର ସଂଚାର କରି ଆନନ୍ଦର ଆବେଗ ଉତ୍ପନ୍ନ କଲା । ଭକ୍ତି ଭାବର ଏହି ଉଲ୍ଲାସ ବେଳେ ବେଳେ ଶାରିରୀକ ଲକ୍ଷଣ ରୂପରେ ପ୍ରକାଶିତ ହୋଇଥାଏ । ଭକ୍ତି ଶାସ୍ତ୍ରମାନଙ୍କରେ ଏହିପରି ଆଠଗୋଟି ଲକ୍ଷଣ ବର୍ଣ୍ଣନା କରାଯାଇଛି । ଏହାକୁ ଅଷ୍ଟ ସାତ୍ତ୍ୱିକ ଭାବ କୁହାଯାଏ । ଭକ୍ତର ହୃଦୟ ଯେତେବେଳେ ଭକ୍ତିରେ ଉଲ୍ଲସିତ ହୋଇଯାଏ, ସେତେବେଳେ ପ୍ରାୟତଃ ଏହି ସବୁ ଲକ୍ଷଣ ଦେଖାଯାଇଥାଏ ।

ସ୍ତମ୍ଭ ସ୍ୱେଦୋଽଥ ରୋମାଞ୍ଚଃ ସ୍ୱରଭେଦୋଽଥ ବେପଥୁଃ ।
ବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟ ଇତ୍ୟଷ୍ଟୌ ସାତ୍ତିକାଃ ସ୍ମୃତାଃ । ।  (ଭକ୍ତି ରସାମୃତ ସିନ୍ଧୁ)

“ସ୍ତମ୍ଭୀଭୂତ ହୋଇଯିବା, ଅତ୍ୟଧିକ ସ୍ୱେଦ ନିର୍ଗତ ହେବା, ରୋମାଞ୍ôଚତ ହେବା, କଣ୍ଠରୁଦ୍ଧ ହେବା, ଶିହରଣ ସୃଷ୍ଟି ହେବା, ଚେହେରା ଶେତା ପଡ଼ିଯିବା, ଅଶ୍ରୁ ଜାତ ହେବା, ଏବଂ ମୂର୍ଚ୍ଛିତ ହୋଇଯିବା -ଏହିସବୁ ଶାରୀରିକ ଲକ୍ଷଣ ମାଧ୍ୟମରେ ହୃଦୟର ଗଭୀର ପ୍ରେମ ବେଳେବେଳେ ପ୍ରକାଶିତ ହୋଇଥାଏ ।” ଅର୍ଜୁନଙ୍କର ରୋମମୂଳ ଟାଙ୍କୁରି ଉଠିବା ସହିତ, ସେ ଏହା ସବୁ ଅନୁଭବ କରିଥିଲେ । ଭକ୍ତିରେ ନତମସ୍ତକ ହୋଇ ସେ କର ଯୋଡ଼ି ଯାହା ସ୍ତୁତି କରିଥିଲେ, ତାହାର ବର୍ଣ୍ଣନା ପରବର୍ତ୍ତୀ ସାତଗୋଟି ଶ୍ଲୋକରେ କରାଯାଇଛି ।