ସଞ୍ଜୟ ଉବାଚ
ଏତଚ୍ଛୃତ୍ୱା ବଚନଂ କେଶବସ୍ୟ
କୃତାଞ୍ଜଳିର୍ବେପମାନଃ କିରୀଟୀ ।
ନମସ୍କୃତ୍ୱା ଭୂୟ ଏବାହ କୃଷ୍ଣଂ
ସଗଦ୍ଗଦଂ ଭୀତଭୀତଃ ପ୍ରଣମ୍ୟ ।।୩୫।।
ସଞ୍ଜୟ ଉବାଚ - ସଞ୍ଜୟ କହିଲେ; ଏତତ୍ - ଏହିପରି; ଶ୍ରୁତ୍ୱା - ଶୁଣି; ବଚନଂ -ବାକ୍ୟ; କେଶବସ୍ୟ - ଶ୍ରୀକୃଷ୍ଣଙ୍କର; କୃତାଞ୍ଜଳିଃ - ଯୋଡ଼ହସ୍ତ ହୋଇ; ବେପମାନଃ - ଥରିଥରି; କିରୀଟୀ - ଅର୍ଜୁନ; ନମସ୍କୃତ୍ୱା - ନମସ୍କାର କରି; ଭୂୟଃ - ପୁନର୍ବାର; ଏବ - ମଧ୍ୟ; ଆହ କୃଷ୍ଣଂ - କୃଷ୍ଣଙ୍କୁ କହିଲେ; ସଗଦ୍ଗଦଂ - ଗଦ୍ଗଦ୍ ସ୍ୱରରେ; ଭୀତଭୀତଃ- ଭୀତତ୍ରସ୍ତ; ପ୍ରଣମ୍ୟ - ପ୍ରଣାମ କରି ।
Translation
BG 11.35: ସଞ୍ଜୟ କହିଲେ: କେଶବଙ୍କର ଏହି ସବୁ ବାକ୍ୟ ଶୁଣି, ଅର୍ଜୁନ ଭୟଭୀତ ହୋଇ କମ୍ପିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ସମ୍ମୁଖରେ କରଯୋଡ଼ି ନତମସ୍ତକ ହେଲେ ଏବଂ ଅତ୍ୟନ୍ତ ଭୟାତୁର ହୋଇ ଅସ୍ପଷ୍ଟ ଶବ୍ଦରେ କହିଲେ ।
Commentary
ଏଠାରେ ଅର୍ଜୁନଙ୍କୁ ‘ମୁକୁଟଧାରୀ’ କୁହାଯାଇଛି । ସେ ଏକଦା ଦୁଇଜଣ ରାକ୍ଷସଙ୍କୁ ମାରିବାରେ ଇନ୍ଦ୍ରଙ୍କୁ ସାହାଯ୍ୟ କରିଥିଲେ । ଖୁସୀର ପ୍ରତୀକ ସ୍ୱରୂପ ଇନ୍ଦ୍ର ତାଙ୍କ ମସ୍ତକରେ ଏକ ଉଜ୍ଜ୍ୱଳ ମୁକୁଟ ପିନ୍ଧାଇ ଦେଇଥିଲେ । କିନ୍ତୁ ମୁକୁଟ, ରାଜତ୍ୱର ଏକ ପ୍ରତୀକ ମଧ୍ୟ ଅଟେ । ସଞ୍ଜୟ ଇଚ୍ଛାକୃତ ଭାବେ ଏହି ଶବ୍ଦ ବ୍ୟବହାର କରିଛନ୍ତି । ସେ ବୃଦ୍ଧ ସମ୍ରାଟ ଧୃତରାଷ୍ଟ୍ରଙ୍କୁ ସୂଚନା ଦେବା ପାଇଁ ଚାହୁଁଛନ୍ତି ଯେ ଆଗାମୀ ଯୁଦ୍ଧରେ, ତାଙ୍କର କୌରବ ପୁତ୍ରମାନେ ନିଜର ସିଂହାସନ ହରାଇବେ ।