Bhagavad Gita: Chapter 11, Verse 45

ଅଦୃଷ୍ଟପୂର୍ବଂ ହୃଷିତୋଽସ୍ମି ଦୃଷ୍ଟ୍‌ୱ
ଭୟେନ ଚ ପ୍ରବ୍ୟଥିତଂ ମନୋ ମେ ।
ତଦେବ ମେ ଦର୍ଶୟ ଦେବରୂପଂ
ପ୍ରସୀଦ ଦେବେଶ ଜଗନ୍ନିବାସ ।।୪୫।।

ଅଦୃଷ୍ଟ ପୂର୍ବଂ- ପୂର୍ବରୁ ଦେଖିନଥିବା; ହୃଷିତଃ- ଆନନ୍ଦିତ; ଅସ୍ମି- ହେଉଅଛି; ଦୃଷ୍ଟ୍‌ୱ-ଦେଖିକରି; ଭୟେନ- ଭୟ ଯୋଗୁଁ; ଚ-ମଧ୍ୟ; ପ୍ରବ୍ୟଥିତଂ- ଥରୁଛି; ମନଃ-ମନ; ମେ- ମୋର; ତତ୍‌-ତେଣୁ; ଏବ-ନିଶ୍ଚିତରୂପେ; ମେ-ମୋତେ; ଦର୍ଶୟ-ଦେଖାନ୍ତୁ; ଦେବ-ହେ ଭଗବାନ; ରୂପଂ-ରୂପ; ପ୍ରସୀଦ-କୃପା କରନ୍ତୁ; ଦେବେଶ- ହେ ଦେବେଶ; ଜଗତ୍‌-ନିବାସ- ଜଗତର ଆଶ୍ରୟସ୍ଥଳ ।

Translation

BG 11.45: ମୁଁ ପୂର୍ବରୁ କେବେବି ଦେଖି ନ ଥିବା ଆପଣଙ୍କର ଏହି ବିଶ୍ୱରୂପକୁ ଦର୍ଶନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ତଥାପି ମନ ଭୟରେ କମ୍ପିତ ହୋଇଉଠୁଛି । ହେ ଦେବତାଙ୍କର ଈଶ୍ୱର ! ହେ ସଂସାରର ଆଶ୍ରୟ! ମୋ ପ୍ରତି କୃପା କରନ୍ତୁ ଏବଂ ମୋତେ ଆପଣଙ୍କ ସରସ ରୂପର ଦର୍ଶନ କରାନ୍ତୁ ।

Commentary

ଦୁଇ ପ୍ରକାରର ଭକ୍ତି ଅଛି- ଐଶ୍ୱର୍ଯ୍ୟ ଭକ୍ତି ଏବଂ ମାଧୁର୍ଯ୍ୟ ଭକ୍ତି । ଐଶ୍ୱର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କର ସର୍ବଶକ୍ତିମାନ ରୂପକୁ ଧ୍ୟାନ କରି ଭକ୍ତି କରିବାକୁ ଭଲ ପାଇଥାଏ । ଐଶ୍ୱର୍ଯ୍ୟ ଭକ୍ତିର ପ୍ରମୁଖ ଭାବ ହେଉଛି ବିସ୍ମୟ ଓ ସମ୍ମାନ । ଏପରି ଭକ୍ତିରେ ଭଗବାନଙ୍କ ଠାରୁ ଦୂରତ୍ୱ ବୋଧ ହୋଇଥାଏ ଏବଂ ବ୍ୟବହାର ସର୍ବଦା ଔପଚାରିକତାପୂର୍ଣ୍ଣ ହୋଇଥାଏ । ଐଶ୍ୱର୍ଯ୍ୟ ଭକ୍ତିର ଉଦାହରଣ ଦ୍ୱାରିକାବାସୀ ଏବଂ ଅଯୋଧ୍ୟାବାସୀ ଅଟନ୍ତି, ଯେଉଁମାନେ ଶ୍ରୀକୃଷ୍ଣ ଏବଂ ରାମଚନ୍ଦ୍ରଙ୍କୁ ତାଙ୍କ ରାଜା ରୂପରେ ପୂଜା କରୁଥିଲେ । ସାଧାରଣ ନାଗରିକମାନେ ତାଙ୍କ ରାଜାଙ୍କ ପ୍ରତି ଅତ୍ୟନ୍ତ ସମ୍ମାନଯୁକ୍ତ ଓ ଆଜ୍ଞାବହ ହୋଇଥାନ୍ତି, ମାତ୍ର ସେମାନେ କେବେବି ତାଙ୍କ ପ୍ରତି ଘନିଷ୍ଠତା ଅନୁଭବ କରି ନ ଥାନ୍ତି ।

ମାଧୁର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କ ସହିତ ଏକ ନିବିଡ଼ ବ୍ୟକ୍ତିଗତ ସମ୍ପର୍କ ଅନୁଭବ କରିଥାଏ । ଏହି ଭକ୍ତିରେ ପ୍ରମୁଖ ଭାବ ହେଉଛି “ଶ୍ରୀକୃଷ୍ଣ ମୋର ଏବଂ ମୁଁ ତାଙ୍କର ଅଟେ ।” ମାଧୁର୍ଯ୍ୟ ଭକ୍ତିର ଉଦାହରଣ ହେଉଛନ୍ତି, ବୃନ୍ଦାବନର ଗୋପାଳ ବାଳକମାନେ, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସଖା ଭାବରେ ଭଲ ପାଉଥିଲେ । ନନ୍ଦ ଓ ଯଶୋଦା, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ସନ୍ତାନ ରୂପରେ ଭଲ ପାଉଥିଲେ ଏବଂ ଗୋପୀମାନେ, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରେମୀ ରୂପରେ ଭଲ ପାଉଥିଲେ । ମାଧୁର୍ଯ୍ୟ ଭକ୍ତି, ଐଶ୍ୱର୍ଯ୍ୟ ଭକ୍ତିଠାରୁ ଅନନ୍ତ ଗୁଣରେ ମଧୁର ଅଟେ । ତେଣୁ ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହନ୍ତି:

ସବୈ ସରସ ରସ ଦ୍ୱାରିକା, ମଥୁରା ଅରୁ ବ୍ରଜ ମାହିଁ
ମଧୁର, ମଧୁରତର, ମଧୁରତମ, ରସ ବ୍ରଜରସ ସମ ନାହିଁ । (ଭକ୍ତି ଶତକ ପଦ-୭୦)

“ଭଗବାନଙ୍କର ଆନନ୍ଦ ସମସ୍ତ ରୂପରେ ଅତ୍ୟନ୍ତ ମଧୁର ଅଟେ । ତଥାପି ଏହାର ସ୍ତର ଭେଦ ରହିଛି- ଦ୍ୱାରିକା ଲୀଳାର ଆନନ୍ଦ ମଧୁର ଅଟେ, ମଥୁରା ଲୀଳାର ଆନନ୍ଦ ମଧୁରତର ଅଟେ, ଏବଂ ବ୍ରଜ ଲୀଳାର ଆନନ୍ଦ ମଧୁରତମ ଅଟେ ।”

ମାଧୁର୍ଯ୍ୟ ଭକ୍ତିରେ, ଭକ୍ତ ଭଗବାନଙ୍କର ଭଗବତ୍ତା ଭୁଲିଯାଇ, ଶ୍ରୀକୃଷ୍ଣଙ୍କ ସହିତ ଚାରି ପ୍ରକାର ସମ୍ପର୍କ ସ୍ଥାପନ କରିଥାଏ ।

ଦାସ୍ୟଭାବ- ଶ୍ରୀକୃଷ୍ଣ ମୋର ସ୍ୱାମୀ ଏବଂ ମୁଁ ତାଙ୍କର ଦାସ ଅଟେ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିଗତ ସେବକ ରକ୍ତକ ଓ ପତ୍ରକଙ୍କର ଭକ୍ତି ଏହି ଦାସ୍ୟଭାବ ଥିଲା । ଭଗବାନ ଆମର ପିତାମାତା ଅଟନ୍ତି, ଏହି ଭାବନା ଦାସ୍ୟଭାବର ଏକ ରୂପାନ୍ତର ଅଟେ ଏବଂ ଏହି ଭାବ ଏଥିରେ ସନ୍ନହିତ ହୋଇଥାଏ ।

ସଖ୍ୟଭାବ- ଶ୍ରୀକୃଷ୍ଣ ମୋର ସଖା ଏବଂ ମୁଁ ତାଙ୍କର ଅନ୍ତରଙ୍ଗ ସାଥୀ । ବୃନ୍ଦାବନର ଗୋପାଳ ବାଳକ ଶ୍ରୀଦାମ, ମଧୁମଙ୍ଗଳ, ଧନସୁଖ, ମନସୁଖ ଇତ୍ୟାଦିଙ୍କର ଭକ୍ତିରେ ଏହି ସଖ୍ୟଭାବ ପ୍ରକାଶ ପାଇଥାଏ ।

ବାତ୍ସଲ୍ୟଭାବ- ଶ୍ରୀକୃଷ୍ଣ ମୋର ପୁତ୍ର ଏବଂ ମୁଁ ତାଙ୍କର ପିତାମାତା । ଯଶୋଦା ଏବଂ ନନ୍ଦବାବାଙ୍କ ଭକ୍ତିରେ ଏହି ବାତ୍ସଲ୍ୟ ଭାବ ଥିଲା ।

ମାଧୁର୍ଯ୍ୟଭାବ- ଶ୍ରୀକୃଷ୍ଣ ମୋର ପ୍ରିୟତମ ଏବଂ ମୁଁ ତାଙ୍କର ପ୍ରେୟସୀ ଅଟେ । ବୃନ୍ଦାବନର ଗୋପୀମାନଙ୍କ ଭକ୍ତି ଏହି ଶ୍ରେଣୀର ଥିଲା ।

ଅର୍ଜୁନ ସଖ୍ୟଭାବର ଭକ୍ତ ଅଟନ୍ତି  ଏବଂ ଭଗବାନଙ୍କ ସହିତ ଏକ ଭ୍ରାତୃତ୍ୱପୂର୍ଣ୍ଣ ସମ୍ବନ୍ଧର ରସାସ୍ୱାଦନ କରନ୍ତି । ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି, ତାଙ୍କ ପ୍ରତି ଅର୍ଜୁନଙ୍କର ଭୟ ଏବଂ ସମ୍ମାନ ବୃଦ୍ଧି ଲାଭ କରିଛି, ତଥାପି ସେ ଅଭ୍ୟସ୍ତ ଥିବା ସଖ୍ୟଭାବର ମାଧୁର୍ଯ୍ୟ ପାଇଁ ଲାଳାୟିତ ହେଉଛନ୍ତି । ତେଣୁ ଅର୍ଜୁନ ପ୍ରାର୍ଥନା କରୁଛନ୍ତି ଯେ ସେ ତାଙ୍କର ସର୍ବଶକ୍ତିମାନ ରୂପକୁ ଲୁକ୍‌କାୟିତ କରି, ପୂର୍ବବତ୍ ନିଜକୁ ମାନବ ରୂପରେ ପ୍ରକଟ କରନ୍ତୁ ।