ଅର୍ଜୁନ ଉବାଚ
ସ୍ଥାନେ ହୃଷୀକେଶ ତବ ପ୍ରକୀର୍ତ୍ୟା
ଜଗତ୍ପ୍ରହୃଷ୍ୟତ୍ୟନୁରଜ୍ୟତେ ଚ ।
ରକ୍ଷାଂସି ଭୀତାନି ଦିଶୋ ଦ୍ରବନ୍ତି
ସର୍ବେ ନମସ୍ୟନ୍ତି ଚ ସିଦ୍ଧସଂଘାଃ ।।୩୬।।
ଅର୍ଜୁନଃ ଉବାଚ - ଅର୍ଜୁନ କହିଲେ; ସ୍ଥାନେ - ପ୍ରକୃତରେ; ହୃଷୀକେଶ - ହେ ଇନ୍ଦ୍ରିୟମାନଙ୍କର ପ୍ରଭୁ; ତବ - ଆପଣଙ୍କର; ପ୍ରକୀର୍ତ୍ୟା - ଗୌରବରେ; ଜଗତ୍ - ସମଗ୍ର ଜଗତ; ପ୍ରହୃଷ୍ୟତି - ଆନନ୍ଦିତ ହେଉଛି; ଅନୁରଜ୍ୟତେ - ଆସକ୍ତ ହେଉଛି;ଚ -ଏବଂ; ରକ୍ଷାଂସି - ରାକ୍ଷସମାନେ; ଭୀତାନି - ଭୟରେ; ଦିଶଃ - ସବୁ ଦିଗରେ; ଦ୍ରବନ୍ତି - ଧାଇଁ ପଳାଉଛନ୍ତି; ସର୍ବେ - ସମସ୍ତେ; ନମସ୍ୟନ୍ତି - ନମସ୍କାର କରୁଛନ୍ତି; ଚ - ଏବଂ; ସିଦ୍ଧ ସଂଘାଃ - ସିଦ୍ଧ ମାନବଗଣ ।
Translation
BG 11.36: ଅର୍ଜୁନ କହିଲେ: ହେ ହୃଷିକେଶ! ଜଗତ ଆପଣଙ୍କର ଯଶଗାନ କରି ଆନନ୍ଦିତ ହେବା ସମୁଚିତ ଅଟେ । ଦାନବଗଣ ଆପଣଙ୍କ ଭୟରେ ଚତୁର୍ଦ୍ଦିଗରେ ପଳାୟନ କରନ୍ତି ଏବଂ ମହାପୁରୁଷମାନେ ଆପଣଙ୍କୁ ପ୍ରଣତି ଜଣାନ୍ତି ।
Commentary
ଏହି ଶ୍ଲୋକ ଏବଂ ପରବର୍ତ୍ତୀ ଦଶଗୋଟି ଶ୍ଲୋକରେ, ଅର୍ଜୁନ ଶ୍ରୀକୃଷ୍ଣଙ୍କ ଐଶ୍ଚର୍ଯ୍ୟ ଗୁଡ଼ିକର, ବିଭିନ୍ନ ଦୃଷ୍ଟିକୋଣରୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ସ୍ଥାନେ ଶବ୍ଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ‘ପୂର୍ଣ୍ଣ ଉପଯୁକ୍ତ’ । ଏହା ଅତ୍ୟନ୍ତ ସ୍ୱାଭାବିକ ଯେ, ଗୋଟିଏ ରାଜ୍ୟର ରାଜାଙ୍କର ସାର୍ବଭୌମତ୍ୱକୁ ସ୍ୱୀକାର କରୁଥିବା ପ୍ରଜାଗଣ, ରାଜାଙ୍କର ଗୁଣଗାନ କରି ଆନନ୍ଦିତ ହୋଇଥାନ୍ତି । ଏହା ମଧ୍ୟ ସ୍ୱାଭାବିକ ଯେ ରାଜାଙ୍କ ସହିତ ଶତ୍ରୁତା କରୁଥିବା ବ୍ୟକ୍ତିଗଣ ତାଙ୍କୁ ଭୟ କରିଥାନ୍ତି ଏବଂ ତାଙ୍କ ସମ୍ମୁଖରୁ ଦୂରେଇ ଯାଆନ୍ତି । ତାଛଡା, ତାଙ୍କର ଅଧିନସ୍ଥ ମନ୍ତ୍ରୀମଣ୍ଡଳ ତାଙ୍କ ପ୍ରତି ଗଭୀର ଆନୁଗତ୍ୟ ପ୍ରଦର୍ଶନ କରିବା ମଧ୍ୟ ସ୍ୱାଭାବିକ ଅଟେ । ଅର୍ଜୁନ ଏହାର ଏକ ସାମଞ୍ଜସ୍ୟ ଉପସ୍ଥାପନ କରି କହୁଛନ୍ତି ଯେ, ସଂସାର ତାଙ୍କ ପରମପିତାଙ୍କର ଯଶଗାନ କରିବା, ଦାନବମାନେ ତାଙ୍କପ୍ରତି ଭୟଭୀତ ହେବା ତଥା ଧର୍ମପରାୟଣବ୍ୟକ୍ତିମାନେ ତାଙ୍କର ସ୍ତୁତି କରିବ।। ଏକାନ୍ତ ଯୁକ୍ତିଯୁକ୍ତ ଅଟେ ।