ଅନାଦିମଧ୍ୟାନ୍ତମନନ୍ତବୀର୍ଯ୍ୟ-
ମନନ୍ତବାହୁଂ ଶଶିସୂର୍ଯ୍ୟ ନେତ୍ରମ୍ ।
ପଶ୍ୟାମି ତ୍ୱାଂ ଦୀପ୍ତହୁତାଶବକ୍ତ୍ରଂ
ସ୍ୱତେଜସା ବିଶ୍ୱମିଦଂ ତପନ୍ତମ୍ ।।୧୯।।
ଅନାଦି - ଅନାଦି (ଯାହାର ମୂଳ ନାହିଁ); ମଧ୍ୟ - ଯାହାର ମଧ୍ୟ ନାହିଁ; ଅନ୍ତଂ - ଯାହାର ଅନ୍ତ ନାହିଁ; ଅନନ୍ତ - ଅନନ୍ତ; ବୀର୍ଯ୍ୟଂ -ଶକ୍ତି ; ଅନନ୍ତ - ଅନନ୍ତ; ବାହୁଂ-ବାହୁ; ଶଶି-ଚନ୍ଦ୍ର; ସୂର୍ଯ୍ୟ-ସୂର୍ଯ୍ୟ; ନେତ୍ରମ୍ - ଚକ୍ଷୁ; ପଶ୍ୟାମି -ମୁଁ ଦେଖୁଛି; ତ୍ୱାଂ - ଆପଣଙ୍କୁ; ଦୀପ୍ତ -ତେଜୀୟାନ୍; ହୁତାଶ-ବକ୍ତ୍ରଂ - ଆପଣଙ୍କ ମୁଖରୁ ଅଗ୍ନି ବାହାରୁଛି; ସ୍ୱତେଜସା- ଆପଣଙ୍କ ତେଜଦ୍ୱାରା; ବିଶ୍ୱଂ - ଏହି; ବ୍ରହ୍ମାଣ୍ଡ; ଇଦଂ - ଏହି; ତପନ୍ତମ୍ - ତପ୍ତ କରୁଛନ୍ତି ।
Translation
BG 11.19: ଆପଣଙ୍କର ଆରମ୍ଭ, ମଧ୍ୟ ବା ଶେଷ ନାହିଁ; ଆପଣଙ୍କ ଶକ୍ତିର ସୀମା ନାହିଁ । ଆପଣଙ୍କର ବାହୁ ଅନ୍ତହୀନ, ସୂର୍ଯ୍ୟ ଓ ଚନ୍ଦ୍ର ଆପଣଙ୍କ ଚକ୍ଷୁ ସଦୃଶ, ଅଗ୍ନି ଆପଣଙ୍କ ମୁହଁ ପରି । ଆପଣଙ୍କ ତେଜରେ ଆପଣ ସମଗ୍ର ସୃଷ୍ଟିକୁ ତପ୍ତ କରୁଥିବା ମୁଁ ଦେଖିପାରୁଛି ।
Commentary
ଷୋଡ଼ଶ ଶ୍ଲୋକରେ, ଅର୍ଜୁନ କହିଥିଲେ ଯେ ଭଗବାନଙ୍କ ସ୍ୱରୂପର ଆଦ୍ୟ, ମଧ୍ୟ ବା ଅନ୍ତ ନାହିଁ । ବର୍ତ୍ତମାନ ଅତ୍ୟଧିକ ଭାବପ୍ରବଣ ହୋଇ, ସେ ମାତ୍ର ତିନୋଟି ଶ୍ଲୋକର ବ୍ୟବଧାନରେ ତାହାର ପୁନରାବୃତ୍ତି କରୁଛନ୍ତି । ଉତ୍କଣ୍ଠାବଶତଃ କୌଣସି ବାକ୍ୟକୁ ଯଦି ଦୋହରାଯାଏ, ତେବେ ତାହାକୁ ବିସ୍ମୟର ପରିପ୍ରକାଶ ଭାବରେ ଗ୍ରହଣ କରାଯାଇଥାଏ, ସାହିତ୍ୟିକ ତ୍ରୁଟି ଭାବରେ ବିଚାର କରାଯାଏ ନାହିଁ । ଉଦାହରଣ ସ୍ୱରୂପ, ଗୋଟିଏ ସାପ ଦେଖି ଆମେ ଚିତ୍କାର କରିଥାଉ, “ସାପ....ସାପ....ସାପ!” ସେହିପରି ବିସ୍ମୟାଭିଭୂତ ହୋଇ ଅର୍ଜୁନ ତାଙ୍କ ବାକ୍ୟର ପୁନରାବୃତ୍ତି କରିଛନ୍ତି ।
ବାସ୍ତବରେ ଭଗବାନଙ୍କର ଆଦି ବା ଅନ୍ତ ନାହିଁ । କାରଣ ସ୍ଥାନ, କାଳ ଓ କାରଣ ସବୁକିଛି ତାଙ୍କ ମଧ୍ୟରେ ସମାହିତ । ତେଣୁ ତାଙ୍କର ସ୍ଥିତି ସେହି ସବୁ ପରିମାପର ସୀମା ବାହାରେ । ତାଙ୍କୁ ସ୍ଥାନ, କାଳ ଓ କାରଣ ଦ୍ୱାରା ସୀମାବଦ୍ଧ କରାଯାଇ ପାରିବ ନାହିଁ । ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରକାଗଣ ତାଙ୍କଠାରୁ ଶକ୍ତି ଗ୍ରହଣ କରିଥାନ୍ତି । ଅତଏବ, ସେମାନଙ୍କ ମାଧ୍ୟମରେ ସେ ହିଁ ବିଶ୍ୱକୁ ତାପ ପ୍ରଦାନ କରିଥାଆନ୍ତି ।