Bhagavad Gita: Chapter 11, Verse 17

କିରୀଟିନଂ ଗଦିନଂ ଚକ୍ରିଣଂ ଚ
ତେଜୋରାଶିଂ ସର୍ବତୋ ଦୀପ୍ତିମନ୍ତମ୍ ।
ପଶ୍ୟାମି ତ୍ୱାଂ ଦୁର୍ନିରୀକ୍ଷ୍ୟଂ ସମନ୍ତାଦ୍‌
ଦୀପ୍ତାନଳାର୍କଦ୍ୟୁତିମପ୍ରମେୟମ୍ ।।୧୭।।

କିରୀଟିନଂ -ମୁକୁଟ ସହିତ; ଗଦିନଂ - ଗଦା ସହ; ଚକ୍ରିଣଂ - ଚକ୍ର ସହ; ଚ- ଏବଂ; ତେଜୋରାଶିଂ - ଜ୍ୟୋତି;ସର୍ବତଃ - ସବୁଦିଗରେ; ଦୀପ୍ତିମନ୍ତମ୍‌-ପ୍ରଦୀପ୍ତ; ପଶ୍ୟାମି -ମୁଁ ଦେଖୁଛି; ତ୍ୱାଂ-ଆପଣ; ଦୁର୍ନିରୀକ୍ଷ୍ୟଂ - ଦେଖିବା କଷ୍ଟ; ସମନ୍ତାତ୍ - ପରିବ୍ୟାପ୍ତ; ଦୀପ୍ତ-ଅନଳ -ପ୍ରଦୀପ୍ତ ଅଗ୍ନି; ଅର୍କ- ସୂର୍ଯ୍ୟ; ଦ୍ୟୁତିମ୍ - ସୂର୍ଯ୍ୟରଶ୍ମି; ଅପ୍ରମେୟମ୍ - ଅମାପ (ଅକଳନୀୟ) ।

Translation

BG 11.17: ଆପଣଙ୍କର ମସ୍ତକରେ ମୁକୁଟ ସୁସଜ୍ଜିତ, ହସ୍ତରେ ଗଦା ଓ ଚକ୍ର ଧାରଣ କରିଥିବା ଏବଂ ଦୀପ୍ତିର ସ୍ରୋତ ଭାବରେ ସର୍ବଦିଗରେ ଉଦ୍ଭାସିତ ହେଉଥିବା ରୂପକୁ ମୁଁ ଦେଖୁଛି । ଆପଣଙ୍କ ଦୀପ୍ତିର ପ୍ରଜ୍ଜ୍ୱଳିତ ଶିଖା, ଯାହା ସୂର୍ଯ୍ୟଙ୍କ ପରି ସମସ୍ତ ଦିଗରେ ବିକିରଣ ହେଉଛି, ତାହାକୁ ଦେଖିବା ଅତ୍ୟନ୍ତ କଷ୍ଟକର ଅଟେ ।

Commentary

ଭୌତିକ ଚକ୍ଷୁ କୌଣସି ଅତ୍ୟୁଜ୍ଜ୍ୱଳ ବସ୍ତୁକୁ ଦେଖି ପାରେନାହିଁ । ଅର୍ଜୁନ ଯେଉଁ ବିଶ୍ୱରୂପର ଦର୍ଶନ କରୁଥିଲେ, ତାହାର ଦୀପ୍ତି ଏକହଜାର ସୂର୍ଯ୍ୟଙ୍କର ଉଜ୍ଜ୍ୱଳତାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ ଥିଲା । ସୂର୍ଯ୍ୟ ଚକ୍ଷୁକୁ ଝଲସାଇ ଦେଲା ପରି, ଭଗବାନଙ୍କର ବିଶ୍ୱରୂପ ମଧ୍ୟ ଅତ୍ୟଧିକ ଭାବେ ଦୃଷ୍ଟିକୁ ସ୍ତମ୍ଭୀଭୂତ କରି ଦେଉଥିଲା । ଭଗବାନଙ୍କଠାରୁ ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିଥିବା ଯୋଗୁଁ, ସେ ଏହା ଦେଖିବାକୁ ସକ୍ଷମ ହୋଇଥିଲେ ।

ସେହି ବିଶ୍ୱରୂପରେ, ଅର୍ଜୁନ ଚତୁର୍ଭୁଜ ବିଷ୍ଣୁଙ୍କୁ ତାଙ୍କର ଚାରୋଟି ବିଶିଷ୍ଟ ଆୟୁଧ - ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ସହିତ ଦେଖିପାରିଲେ ।