Bhagavad Gita: Chapter 11, Verse 39

ବାୟୁର୍ଯମୋଽଗ୍ନିର୍ବରୁଣଃ ଶଶାଙ୍କଃ
ପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ ।
ନମୋ ନମସ୍ତେଽସ୍ତୁ ସହସ୍ରକୃତ୍ୱଃ
ପୁନଶ୍ଚ ଭୂୟୋଽପି ନମୋ ନମସ୍ତେ ।।୩୯।।

ବାୟୁଃ-ବାୟୁ ଦେବତା; ଯମଃ-ମୃତ୍ୟୁ ଦେବତା; ଅଗ୍ନିଃ- ଅଗ୍ନି ଦେବତା; ବରୁଣଃ- ଜଳ ଦେବତା; ଶଶାଙ୍କଃ-ଚନ୍ଦ୍ର; ପ୍ରଜାପତିଃ- ବ୍ରହ୍ମା; ତ୍ୱଂ -ଆପଣ; ପ୍ରପିତାମହଃ- ପ୍ରପିତାମହ, ଚ-ଏବଂ; ନମଃ- ନମସ୍କାର; ନମଃ ତେ- ଆପଣଙ୍କୁ ନମସ୍କାର; ଅସ୍ତୁ- ହେଉ; ସହସ୍ର କୃତ୍ୱଃ- ସହସ୍ରବାର; ପୁନଃ ଚ- ପୁନର୍ବାର; ଭୂୟଃ- ଆଉଥରେ, ଅପି- ମଧ୍ୟ; ନମଃ- ମୋର ପ୍ରଣାମ ଜଣାଉଛି; ନମଃ ତେ- ଆପଣଙ୍କୁ ମୋର ପ୍ରଣାମ ଜଣାଉଛି ।

Translation

BG 11.39: ଆପଣ ବାୟୁ, ଯମରାଜ, ଅଗ୍ନି, ବରୁଣ ଏବଂ ଚନ୍ଦ୍ର ଅଟନ୍ତି । ଆପଣ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ସମସ୍ତ ପ୍ରାଣୀଙ୍କ ପ୍ରପିତାମହ ଅଟନ୍ତି । ମୁଁ ଆପଣଙ୍କୁ ସହସ୍ରବାର ପ୍ରଣାମ ଜଣାଉଛି ଏବଂ ଅନେକ ଥର ପୁଣି ପ୍ରଣାମ କରୁଛି ।

Commentary

ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଗାଢ଼ ଭକ୍ତିରେ, ଅର୍ଜୁନ ତାଙ୍କୁ ସହସ୍ର-କୃତ୍ୱଃ ବା ସହସ୍ରବାର ପ୍ରଣାମ ଜଣାଉଛନ୍ତି । ଭାରତରେ ଦୀପାବଳି ଉତ୍ସବ ପାଳନ ସମୟରେ, ଅନେକ ଆକୃତିର ମିଠାଇ ପ୍ରସ୍ତୁତ କରାଯାଇଥାଏ- ହାତୀ, ଘୋଡ଼ା, ପୁରୁଷ, ସ୍ତ୍ରୀ, କୁକୁର ଇତ୍ୟାଦି । କିନ୍ତୁ ସେହି ସବୁର ଉପାଦାନ ସାମଗ୍ରୀ ଚିନି ହିଁ ଅଟେ । ସେହିପରି ସ୍ୱର୍ଗର ଦେବତାମାନଙ୍କର ବିଶେଷ ବ୍ୟକ୍ତିତ୍ୱ ଥାଏ ଏବଂ ସଂସାର ପରିଚାଳନାରେ ସେମାନଙ୍କର ନିର୍ଦ୍ଦିଷ୍ଟ ଦାୟୀତ୍ୱ ରହିଥାଏ । କିନ୍ତୁ ସେହି ଜଣେ ଭଗବାନ ସେମାନଙ୍କ ମଧ୍ୟରେ ନିବାସ କରି, ସେମାନଙ୍କ ଶକ୍ତିର ପରିପ୍ରକାଶ କରିଥାଆନ୍ତି ।

ଅନ୍ୟ ଗୋଟିଏ ଉଦାହରଣ ବିଚାର କରନ୍ତୁ । ଅନେକ ପ୍ରକାରର ଅଳଙ୍କାର ସୁନାରୁ ତିଆରି ହୋଇଥାଏ । ସେ ସବୁର ପୃଥକ୍ ପରିଚୟ ରହିଛି, ତଥାପି ସେ ସବୁ ସୁନା ଅଟେ । ଯେମିତି ସୁନା ଅଳଙ୍କାର ନୁହେଁ, କିନ୍ତୁ ସବୁ ଅଳଙ୍କାର ସୁନା ଅଟନ୍ତି, ସେହିପରି ଭଗବାନ ସମସ୍ତ ଦେବତା ଅଟନ୍ତି କିନ୍ତୁ ଦେବତାମାନେ ଭଗବାନ ନୁହନ୍ତି । ତେଣୁ ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ଶ୍ରୀକୃଷ୍ଣ ବାୟୁ, ଯମରାଜ, ଅଗ୍ନି, ବରୁଣ, ଚନ୍ଦ୍ର ଏବଂ ବ୍ରହ୍ମା ମଧ୍ୟ ଅଟନ୍ତି ।