Bhagavad Gita: Chapter 11, Verse 41-42

ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ
ହେ କୃଷ୍ଣ ହେ ଯାଦବ ହେ ସଖେତି ।
ଅଜାନତା ମହିମାନଂ ତବେଦଂ
ମୟା ପ୍ରମାଦାତ୍‌ପ୍ରଣୟେନ ବାପି ।।୪୧।।
ଯଚ୍ଚାବହାସାର୍ଥମସତ୍‌କୃତୋଽସି
ବିହାରଶଯ୍ୟାସନଭୋଜନେଷୁ ।
ଏକୋଽଥବାପ୍ୟଚ୍ୟୁତ ତତ୍‌ସମକ୍ଷଂ
ତତ୍‌କ୍ଷାମୟେ ତ୍ୱାମହମପ୍ରମେୟମ୍ ।।୪୨।।

ସଖା-ବନ୍ଧୁ ; ଇତି- ଏହିପରି; ମତ୍ୱା- ଭାବି; ପ୍ରସଭଂ-ଧୃଷ୍ଟତାରେ; ଯତ୍‌-ଯାହା କିଛି; ଉକ୍ତଂ- କହିଲି; ହେ କୃଷ୍ଣ- ହେ କୃଷ୍ଣ; ହେ ଯାଦବ- ହେ ଯାଦବ; ହେ ସଖା ଇତି- ହେ ମୋର ପ୍ରିୟ ବନ୍ଧୁ; ଅଜାନତା- ନ ଜାଣି; ମହିମାନଂ- ମହିମା; ତବ-ଆପଣଙ୍କର; ଇଦଂ- ଏହି; ମୟା- ମୋ ଦ୍ୱାରା; ପ୍ରମାଦାତ୍‌- ଅବହେଳାରେ; ପ୍ରଣୟେନ- ସ୍ନେହ ଯୋଗୁଁ; ବା ଅପି-କିମ୍ବା; ଯତ୍‌- ଯାହା କିଛି; ଚ- ଏବଂ; ଅବହାସାର୍ଥମ୍‌- ପରିହାସରେ; ଅସତ୍ କୃତଃ- ଅସମ୍ମାନ; ଅସି- ପ୍ରଦର୍ଶନ କରିଛି; ବିହାର- ଖେଳରେ; ଶଯ୍ୟା- ଶୟନ ସମୟରେ; ଆସନ- ବିଶ୍ରାମ ସ୍ଥାନରେ ; ଭୋଜନେଷୁ- କିମ୍ବା ଏକତ୍ର ଭୋଜନ କରିବା ସମୟରେ; ଏକଃ- ଏକାକୀ; ଅଥବା- କିମ୍ବା; ଅପି-ଯଦି; ଅଚ୍ୟୁତ- ହେ ଅଚ୍ୟୁତ; ତତ୍ ସମକ୍ଷମ୍‌- ଅନ୍ୟମାନଙ୍କ ସମ୍ମୁଖରେ ; ତତ୍‌- ତାହା ସବୁ; କ୍ଷାମୟେ- କ୍ଷମା କରନ୍ତୁ; ତ୍ୱାଂ- ଆପଣ; ଅହଂ- ମୁଁ; ଅପ୍ରମେୟମ୍‌- ଅକଳନ ।

Translation

BG 11.41-42: ମୋର ସଖା ମନେକରି, ଆପଣଙ୍କୁ ହେ କୃଷ୍ଣ, ହେ ଯାଦବ ମୋର ପ୍ରିୟ ସଖା କହି ମୁଁ ଧୃଷ୍ଟତା ପୂର୍ବକ ସମ୍ବୋଧନ କରୁଥିଲି । ମୁଁ ଆପଣଙ୍କର ଐଶ୍ୱର୍ଯ୍ୟ ବିଷୟରେ ନ ଜାଣି ଆପଣଙ୍କୁ ଅବଜ୍ଞା ପ୍ରଦର୍ଶନ ତଥା ଅଯାଚିତ ସ୍ନେହ କରୁଥିଲି । ପରିହାସ ଛଳରେ, ଖେଳିବା, ବିଶ୍ରାମ କରିବା, ବସିବା, ଖାଇବା ଏକାନ୍ତରେ ବା ଅନ୍ୟମାନଙ୍କ ସମ୍ମୁଖରେ ମୁଁ ଆପଣଙ୍କର ଯେଉଁ ଅସମ୍ମାନ କରିଛି- ସେ ସବୁ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

Commentary

ଭଗବାନଙ୍କର ଅତୁଳନୀୟ ଶ୍ରେଷ୍ଠତା ବର୍ଣ୍ଣନା କରି ଶାସ୍ତ୍ରମାନେ କହନ୍ତି:

ଅହଂ ଏବାସମ୍ ଏବାଗ୍ରେ ନାନ୍ୟତ୍ କିଞ୍ଚାନ୍ତରଂ ବହିଃ ।(ଭାଗବତମ୍ ୬.୪.୪୭)

“ମୁଁ, ପରଂବ୍ରହ୍ମ, ସୃଷ୍ଟିର ସବୁକିଛି ଅଟେ । ମୋ ଉର୍ଦ୍ଧ୍ୱରେ କିଛି ନାହିଁ ଏବଂ ମୋ ଠାରୁ ଶ୍ରେଷ୍ଠ କେହି ନାହାଁନ୍ତି ।”

ତ୍ୱମୋଙ୍କାରଃ ପରାତ୍ପରଃ (ବାଲ୍ମୀକି ରାମାୟଣ)

“ଅନାଦି ଶବ୍ଦ ‘ଓମ୍‌’ ଆପଣଙ୍କର ପରିପ୍ରକାଶ ଅଟେ । ଆପଣ ଶ୍ରେଷ୍ଠତମ ଠାରୁ ଶ୍ରେଷ୍ଠତର ଅଟନ୍ତି ।”

ବାସୁଦେବଃ ପ୍ରଃ ପ୍ରଭୁଃ (ନାରଦ ପଞ୍ଚରାତ୍ର)

“ଶ୍ରୀକୃଷ୍ଣ ହେଉଛନ୍ତି ଅନ୍ତିମ ପରଂବ୍ରହ୍ମ ।”

ନ ଦେବଃ କେଶବାତ୍ ପରଃ (ନାରଦ ପୁରାଣ)

“ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ କୌଣସି ଦେବତା ଶ୍ରେଷ୍ଠ ନୁହନ୍ତି ।”

ବିଦ୍ୟାତ୍ ତଂ ପୁରୁଷଂ ପରମ୍ (ମନୁ ସ୍ମୃତି ୧୨.୧୨୨)

“ ଭଗବାନ ସମସ୍ତଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଓ ସର୍ବୋପରି ଅଟନ୍ତି ।” କିନ୍ତୁ ପୂର୍ବରୁ ବର୍ଣ୍ଣନା କରାଯାଇଥିବା ପ୍ରକାରେ (ଶ୍ଳୋକ ୧୧.୨୪ର ଭାଷ୍ୟ), ପ୍ରେମ ଅତ୍ୟଧିକ ବୃଦ୍ଧି ଲାଭ କଲେ, ପ୍ରେମୀ ପ୍ରେମାସ୍ପଦଙ୍କର ଓøପଚାରିକ ସ୍ଥିତିକୁ ଭୁଲି ଯାଏ ।

ଏହିପରି, ଶ୍ରୀକୃଷ୍ଣଙ୍କ ପ୍ରତି ଅଗାଧ ପ୍ରେମବଶତଃ, ଅର୍ଜୁନ ତାଙ୍କର ସର୍ବୋଚ୍ଚ ସ୍ଥିତିକୁ ଭୁଲିଯାଇ, ଅନେକ ଅଭୂଲା ଅନ୍ତରଙ୍ଗ ମୁହୂର୍ତ୍ତ ତାଙ୍କ ସହିତ ବ୍ୟତୀତ କରିଛନ୍ତି ।

ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି, ବର୍ତ୍ତମାନ ଅର୍ଜୁନ ବୁଝିପାରୁଛନ୍ତି ଯେ ଶ୍ରୀକୃଷ୍ଣ କେବଳ ତାଙ୍କର ମିତ୍ର ବା ସାଥୀ ନୁହନ୍ତି, ସେ ପରାତ୍ପର ଦିବ୍ୟ ତତ୍ତ୍ୱ ଅଟନ୍ତି, ଯାହାର ସମ୍ମାନ ଦେବତା, ଗନ୍ଧର୍ବ, ସିଦ୍ଧ ମହାପୁରୁଷ ମାନେ ମଧ୍ୟ କରନ୍ତି । ତାଙ୍କୁ କେବଳ ନିଜର ସଖା ମନେ କରି, ଧୃଷ୍ଟତାବଶତଃ ଅର୍ଜୁନ କେବେ ତାଙ୍କର ଅସମ୍ମାନ କରିଥାଇ ପାରନ୍ତି, ସେହି କଥା ଭାବି ସେ ଅନୁତପ୍ତ ହେଉଛନ୍ତି । ମର୍ଯ୍ୟାଦା ଦୃଷ୍ଟିରୁ ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କର ପ୍ରଥମ ନାମରେ ସେମାନଙ୍କୁ ସମ୍ବୋଧନ କରାଯାଏନାହିଁ । ଅର୍ଜୁନ ଏହା ଭାବି ବ୍ୟଥିତ ହେଉଥିଲେ ଯେ, ନିବିଡ଼ତା ଦୃଷ୍ଟିରୁ, ସେ ଭଗବାନଙ୍କ ସହିତ ନିଜକୁ ସମାନ ମନେକରି ସ୍ନେହରେ କେତେବେଳେ ତାଙ୍କୁ, “ହେ ସଖା”, “ହେ ସାଙ୍ଗ” ଏବଂ “ହେ କୃଷ୍ଣ” ଇତ୍ୟାଦି ସମ୍ବୋଧନ କରୁଥିଲେ । ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱର ଦିବ୍ୟତାକୁ ପାଶୋରି ଦେଇ, ସେ ଯାହା ବି ଧୃଷ୍ଠତା କରିଥାଇପାରନ୍ତି, ସେଥିପାଇଁ ସେ କ୍ଷମା ଭିକ୍ଷା କରୁଛନ୍ତି ।