Bhagavad Gita: Chapter 11, Verse 20

ଦ୍ୟାବାପୃଥିବ୍ୟୋରିଦମନ୍ତରଂ ହି
ବ୍ୟାପ୍ତଂ ତ୍ୱୟୈକେନ ଦିଶଶ୍ଚ ସର୍ବାଃ ।
ଦୃଷ୍ଟ୍ୱାଦ୍‌ଭୂତଂ ରୂପମୁଗ୍ରଂ ତବେଦଂ
ଲୋକତ୍ରୟଂ ପ୍ରବ୍ୟଥିତଂ ମହାତ୍ମନ୍ ।।୨୦।।

ଦ୍ୟୌ ଆ ପୃଥିବ୍ୟୋଃ - ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ; ଇଦଂ - ଏହି; ଅନ୍ତରଂ - ମଧ୍ୟବର୍ତ୍ତୀ ସ୍ଥାନ; ହି- ନିଶ୍ଚିତଭାବରେ; ବ୍ୟାପ୍ତଂ - ପରିବ୍ୟାପ୍ତ; ତ୍ୱୟା-ଆପଣଙ୍କ ଦ୍ୱାରା; ଏକେନ - ଏକମାତ୍ର; ଦିଶଃ - ଦିଗ ସମୂହ; ଚ- ଏବଂ; ସର୍ବାଃ - ସମସ୍ତ; ଦୃଷ୍ଟ୍ୱା- ଦେଖି; ଅଦ୍ଭୁତଂ - ଅଦ୍ଭୁତ; ରୂପଂ -ରୂପ; ଉଗ୍ରଂ -ଭୟଙ୍କର; ତବ - ଆପଣଙ୍କର; ଇଦଂ - ଏହି; ଲୋକ -ଲୋକ ; ତ୍ରୟଂ -ତିନି; ପ୍ରବ୍ୟଥିତଂ- ଥରିବା; ମହାତ୍ମନ୍ - ହେ ମହାତ୍ମା ।

Translation

BG 11.20: ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଥିବା ଆକାଶ ତଥା ସମସ୍ତ ଦିଗରେ ଏକମାତ୍ର ଆପଣ ବ୍ୟାପ୍ତ ରହିଛନ୍ତି । ହେ ପରମ ପୁରୁଷ! ଆପଣଙ୍କର ଅଦ୍ଭୁତ ଓ ଭୟଙ୍କର ରୂପ ଦେଖି, ତିନିଲୋକ ଭୟରେ କମ୍ପିତ ହେଉଥିବା ମୁଁ ଦେଖିପାରୁଛି ।

Commentary

ଅର୍ଜୁନ କହୁଛନ୍ତି, “ହେ ସର୍ବବ୍ୟାପୀ ପ୍ରଭୁ! ଆପଣ ଦଶ ଦିଗରେ, ସମ୍ପୂର୍ଣ୍ଣ ପୃଥିବୀ, ଉପରିସ୍ଥ ଆକାଶ ଏବଂ ତାଙ୍କ ମଧ୍ୟରେ ଥିବା ସମସ୍ତ ସ୍ଥାନରେ ବ୍ୟାପ୍ତ ରହିଛନ୍ତି । ସମସ୍ତ ପ୍ରାଣୀଜଗତ ଆପଣଙ୍କ ଭୟରେ ପ୍ରକମ୍ପିତ ।” କିନ୍ତୁ ତ୍ରିଲୋକରେ ସମସ୍ତେ ତାଙ୍କର ବିଶ୍ୱରୂପକୁ ନ ଦେଖି ଭୟରେ ଥରୁଛନ୍ତି କିପରି? ଅର୍ଜୁନ କହିବାକୁ ଚାହୁଁଛନ୍ତି ଯେ ଭଗବାନଙ୍କର ନିୟମକୁ ଡ଼ରି ସମସ୍ତେ କାର୍ଯ୍ୟରତ ରହିଛନ୍ତି । ତାଙ୍କର ଅନୁଶାସନ ଶୃଙ୍ଖଳିତ ଏବଂ ସମସ୍ତେ ତାକୁ ମାନିବାକୁ ବାଧ୍ୟ ଅଟନ୍ତି ।

କରମ ପ୍ରଧାନ ବିଶ୍ୱ କରି ରାଖା, ଜୋ ଜସ କରଇ ସୋ ତସ ଫଲ ଚାଖା (ରାମାୟଣ)

“କର୍ମର ନିୟମ ଅନୁସାରେ ସଂସାର କାର୍ଯ୍ୟ କରିଥାଏ । ଆମେ ଯାହା କର୍ମ କରିବା, ସେ ସବୁର ଫଳ ଆମେ ପାଇବା ।” କର୍ମ ନିୟମ ପରି, ସୃଷ୍ଟିର ଅସଂଖ୍ୟ ନିୟମ ରହିଛି । ପ୍ରକୃତିର ଭୌତିକ ନିୟମ ସବୁକୁ ଆବିଷ୍କାର କରି ତଥା ସିଦ୍ଧାନ୍ତ ପ୍ରଣୟନ କରି ଅନେକ ବୈଜ୍ଞାନିକ ଜୀବିକା ଅର୍ଜନ କରୁଛନ୍ତି, କିନ୍ତୁ ସେମାନେ ନିୟମ ତିଆରି କରି ପାରିବେ ନାହିଁ । ସର୍ବୋଚ୍ଚ ନିୟାମକ ଭଗବାନ ଅଟନ୍ତି ଏବଂ ଅନ୍ୟ ସମସ୍ତେ ତାଙ୍କ ନିୟମର ଅଧୀନରେ ରହି କାର୍ଯ୍ୟ କରନ୍ତି ।