ଅର୍ଜୁନ ଉବାଚ
ସନ୍ନ୍ୟାସସ୍ୟ ମହାବାହୋ ତତ୍ତ୍ୱମିଚ୍ଛାମି ବେଦିତୁମ୍ ।
ତ୍ୟାଗସ୍ୟ ଚ ହୃଷୀକେଶ ପୃଥକ୍କେଶିନିଷୂଦନ ।।୧।।
ଅର୍ଜୁନଃ ଉବାଚ- ଅର୍ଜୁନ କହିଲେ; ସଂନ୍ନ୍ୟାସସ୍ୟ-ସନ୍ନ୍ୟାସର; ମହାବାହୋ-ହେ ମହାବାହୁ !; ତତ୍ତ୍ୱଂ-ସତ୍ୟ; ଇଚ୍ଛାମି-ମୁଁ ଇଚ୍ଛା କରେ; ବେଦିତୁମ୍-ବୁଝିବାକୁ; ତ୍ୟାଗସ୍ୟ- ତ୍ୟାଗର; ଚ-ମଧ୍ୟ; ହୃଷୀକେଶ- ହେ ହୃଷୀକେଶ (ହେ ଇନ୍ଦ୍ରିୟମାନଙ୍କର ପ୍ରଭୁ) !; ପୃଥକ୍-ପୃଥକ୍ଭାବେ; କେଶିନିଷୂଦନ- ହେ କେଶୀଦୈତ୍ୟର ସଂହାରକ ।
Translation
BG 18.1: ଅର୍ଜୁନ କହିଲେ: ହେ ମହାବାହୁ ଶ୍ରୀକୃଷ୍ଣ ! ମୁଁ ସନ୍ୟାସ (କର୍ମ ତ୍ୟାଗ) ଏବଂ ତ୍ୟାଗର (କର୍ମଫଳ ପ୍ରତି କାମନା ତ୍ୟାଗ) ଗୁଣ ସମ୍ବନ୍ଧରେ ବୁଝିବାକୁ ଚାହୁଁଛି । ହେ ହୃଷୀକେଶ ! ହେ କେଶିନିଷୂଦନ ! ମୁଁ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।
Commentary
ଅର୍ଜୁନ ଶ୍ରୀକୃଷ୍ଣଙ୍କୁ “କେଶି-ନିଷୂଦନ”, ଅର୍ଥାତ୍ “କେଶି ଦାନବର ହନ୍ତା” ଭାବରେ ସମ୍ବୋଧନ କରିଛନ୍ତି । ଶ୍ରୀକୃଷ୍ଣ, ପୃଥିବୀରେ ତାଙ୍କର ଦିବ୍ୟ ଲୀଳାରେ କେଶି ନାମକ ଦୁର୍ଦ୍ଦର୍ଷ ରାକ୍ଷସକୁ ହତ୍ୟା କରିଥିଲେ, ଯିଏ କି ଏକ ପାଗଳ ଅଶ୍ୱ ରୂପରେ ବ୍ରଜଧାମରେ ଘୋର ଉତ୍ପାତ କରିଥିଲା । ସଂଶୟ ମଧ୍ୟ ଗୋଟିଏ ଲଗାମହୀନ ଅଶ୍ୱ ସଦୃଶ ଅଟେ, ସେ ମନ ମଧ୍ୟରେ ଇତସ୍ତତଃ ଧାଇଁ ଭକ୍ତିରୂପୀ ବଗିଚାକୁ ନଷ୍ଟ କରିଦିଏ । ଅର୍ଜୁନ ଇଶାରା କରୁଛନ୍ତି, “କେଶି ରାକ୍ଷସକୁ ବଧ କଲାପରି ଆପଣ ଦୟାକରି ମୋ ମନର ସଂଶୟରୂପୀ ରାକ୍ଷସକୁ ବଧ କରନ୍ତୁ ।” ତାଙ୍କର ପ୍ରଶ୍ନ ଅତ୍ୟନ୍ତ ମାର୍ମିକ ଏବଂ ସାରଗର୍ଭକ ଥିଲା । ସେ ସନ୍ୟାସ ଅର୍ଥାତ୍ “କର୍ମ ତ୍ୟାଗ”ର ସ୍ୱରୂପ ସମ୍ବନ୍ଧରେ ଜାଣିବାକୁ ଚାହୁଁଛନ୍ତି । ସେ ତ୍ୟାଗର ସ୍ୱରୂପ, ଅର୍ଥାତ୍ କର୍ମଫଳ ଭୋଗର କାମନା ତ୍ୟାଗ ସମ୍ପର୍କରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି । ସେ ପୁଣି ପୃଥକ୍ ଶବ୍ଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ସେ ଏହି ଦୁଇଟି ଶବ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛନ୍ତି । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ହୃଷୀକେଶ ଭାବରେ ମଧ୍ୟ ସମ୍ବୋଧନ କରିଛନ୍ତି, ଯାହାର ଅର୍ଥ “ଇନ୍ଦ୍ରିୟମାନଙ୍କର ଶାସକ” । ଅର୍ଜୁନଙ୍କର ଲକ୍ଷ୍ୟ ସର୍ବଶ୍ରେଷ୍ଠ ବିଜୟ ହାସଲ କରିବା, ଯାହା ମନ ଏବଂ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିବା ଅଟେ । ଏହି ବିଜୟ ହିଁ ପରିପୂର୍ଣ୍ଣ ଶାନ୍ତି ପ୍ରଦାନ କରିଥାଏ । ଇନ୍ଦ୍ରିୟମାନଙ୍କର ନିୟାମକ ଭାବରେ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ହିଁ ଏହି ପରିପୂର୍ଣ୍ଣତା ଅଟନ୍ତି ।
ଏହି ବିଷୟର ଆଲୋଚନା ପୂର୍ବ ଅଧ୍ୟାୟମାନଙ୍କରେ ମଧ୍ୟ କରାଯାଇ ଥିଲା । ଶ୍ରୀକୃଷ୍ଣ ସନ୍ୟାସ ସମ୍ବନ୍ଧରେ ଶ୍ଳୋକ ୫.୧୩ ଏବଂ ୯.୨୮ ରେ ଏବଂ ତ୍ୟାଗ ସମ୍ବନ୍ଧରେ ଶ୍ଳୋକ୪.୨୦ ଏବଂ ୧୨.୧୧ରେ ଆଲୋଚନା କରିଥିଲେ, କିନ୍ତୁ ଏଠାରେ ସେ ଏକ ଭିନ୍ନ ଦୃଷ୍ଟିକୋଣରୁ ଏହାର ବର୍ଣ୍ଣନା କରୁଛନ୍ତି । ଗୋଟିଏ ସତ୍ୟକୁ ବିଭିନ୍ନ ଦୃଷ୍ଟିକୋଣରୁ ଉପସ୍ଥାପିତ କରାଯାଇ ପାରେ ଏବଂ ପ୍ରତ୍ୟେକ ଦୃଷ୍ଟିକୋଣର ନିଜର ସ୍ୱତନ୍ତ୍ର ଆକର୍ଷଣ ରହିଛି । ଉଦାହରଣ ସ୍ୱରୂପ, ଗୋଟିଏ ବଗିଚାର ବିଭିନ୍ନ ଅଂଶ ଦର୍ଶକଙ୍କ ମନରେ ଅଲଗା ଅଲଗା ଧାରଣା ସୃଷ୍ଟି କରେ, କିନ୍ତୁ ସମ୍ପୂର୍ଣ୍ଣ ବଗିଚା ଅନ୍ୟ ଏକ ଧାରଣା ସୃଷ୍ଟି କରିଥାଏ । ଭଗବଦ୍ ଗୀତା ଅନେକାଂଶରେ ଏହିପରି ଅଟେ । ଏଥିରେ ପ୍ରତି ଅଧ୍ୟାୟକୁ ଏକ ବିଶେଷ ଯୋଗ ଭାବରେ ଅଭିହିତ କରାଯାଇଛି ଏବଂ ଅଷ୍ଟାଦଶ ଅଧ୍ୟାୟକୁ ଏହାର ସାରାଂଶ ଭାବରେ ବିବେଚନା କରାଯାଇଛି । ଏହି ଅଧ୍ୟାୟରେ, ଶ୍ରୀକୃଷ୍ଣ ପୂର୍ବ ସତରଟି ଅଧ୍ୟାୟରେ ଉପସ୍ଥାପିତ ହୋଇଥିବା ଚିରସ୍ଥାୟୀ ଏବଂ ଚିରନ୍ତନ ସତ୍ୟର ସାରାଂଶ ସଂକ୍ଷେପରେ ଉପସ୍ଥାପନ କରି ଏକ ସାମୂହିକ ନିଷ୍କର୍ଷ ସ୍ଥାପିତ କରିଛନ୍ତି । ତ୍ୟାଗ ଓ ବୈରାଗ୍ୟ ବିଷୟରେ ଆଲୋଚନା କରିବା ପରେ, ସେ ତ୍ରିଗୁଣର ସ୍ୱରୂପ ଏବଂ ମନୁଷ୍ୟର କର୍ମ କରିବାର ସହଜାତ ପ୍ରବୃତ୍ତିକୁ ସେମାନେ କିପରି ପ୍ରଭାବିତ କରନ୍ତି, ସେହି ବିଷୟରେ ଆଲୋଚନା କରିଛନ୍ତି । ପୁନଶ୍ଚ ସେ କହିଛନ୍ତି ଯେ ସତ୍ତ୍ୱଗୁଣ ହିଁ ଧାରଣ-ଯୋଗ୍ୟ ଏକମାତ୍ର ଗୁଣ ଅଟେ । ତା’ପରେ ଉପସଂହାର କରିବାକୁ ଯାଇ ସେ କହିଛନ୍ତି ଯେ ଭଗବାନଙ୍କର ଅନନ୍ୟ ଭକ୍ତି ହିଁ ସର୍ବୋଚ୍ଚ କର୍ତ୍ତବ୍ୟ ଅଟେ ଏବଂ ଏହାର ପ୍ରାପ୍ତି ମନୁଷ୍ୟ ଜୀବନର ଲକ୍ଷ୍ୟ ଅଟେ ।