Bhagavad Gita: Chapter 18, Verse 17

ଯସ୍ୟ ନାହଂକୃତୋ ଭାବୋ ବୁଦ୍ଧିର୍ଯସ୍ୟ ନ ଲିପ୍ୟତେ ।
ହତ୍ୱାଽପି ସ ଇମାଁଲ୍ଲୋକାନ୍ନ ହନ୍ତି ନ ନିବଧ୍ୟତେ ।।୧୭।।

ଯସ୍ୟ-ଯାହାର; ନ-ନାହିଁ; ଅହଂକୃତଃ-କତୃତ୍ୱାଭିମାନ; ଭାବଃ-ଭାବ; ବୁଦ୍ଧିଃ-ବୁଦ୍ଧି; ଯସ୍ୟ-ଯାହାର; ନ ଲିପ୍ୟତେ-ଅନାସକ୍ତ; ହତ୍ୱା - ମାରି;ଅପି -ମଧ୍ୟ;ସଃ-ସେ; ଇମାନ୍‌-ଏହି; ଲୋକାନ୍‌-ପ୍ରାଣୀ; ନ-ନାହିଁ; ହନ୍ତି-ମାରେ; ନ-ନାହିଁ; ନିବଧ୍ୟତେ -ଆବଦ୍ଧ ହୁଏ ।

Translation

BG 18.17: ଯେଉଁମାନେ ଆସକ୍ତି ରହିତ, ସେମାନେ ପ୍ରାଣୀଙ୍କୁ ହତ୍ୟା କଲେ ମଧ୍ୟ ହତ୍ୟା କରନ୍ତି ନାହିଁ କିମ୍ବା କର୍ମଦ୍ୱାରା ବାନ୍ଧି ହୁଅନ୍ତି ନାହିଁ ।

Commentary

ପୂର୍ବ ଶ୍ଳୋକରେ, ମନ୍ଦବୁଦ୍ଧି ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ବିଶୁଦ୍ଧ ବୁଦ୍ଧି ବିଷୟରେ ଆଲୋକପାତ କରୁଛନ୍ତି । ସେ କହୁଛନ୍ତି ଯେ ଯେଉଁମାନଙ୍କର ବୁଦ୍ଧି ବିଶୁଦ୍ଧ, ସେମାନେ କର୍ତ୍ତାପଣର ମିଥ୍ୟା ଅହଂକାରଠାରୁ ମୁକ୍ତ ରହିଥାନ୍ତି । ସେମାନେ ତାଙ୍କ କର୍ମଫଳକୁ ଉପଭୋଗ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ । ତେଣୁ କର୍ମର ପ୍ରତିକ୍ରିୟା ଦ୍ୱାରା ସେମାନେ ବାନ୍ଧି ହୁଅନ୍ତି ନାହିଁ । ପୂର୍ବରୁ ଶ୍ଳୋକ ୫.୧୦ରେ ମଧ୍ୟ ସେ କହିଥିଲେ ଯେ ଯେଉଁମାନେ କର୍ମଫଳ ଆସକ୍ତିରୁ ମୁକ୍ତ ରହିଥାନ୍ତି, ସେମାନେ ପାପଗ୍ରସ୍ତ ହୁଅନ୍ତି ନାହିଁ । ଭୌତିକ ଦୃଷ୍ଟିକୋଣରୁ, ସେମାନେ କର୍ମ କରୁଥିବା ପରି ମନେ ହେଉଥିଲେ ସୁଦ୍ଧା, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯେହେତୁ ସେମାନଙ୍କର କୌଣସି ସ୍ୱାର୍ଥଯୁକ୍ତ ଉଦ୍ଦେଶ୍ୟ ନ ଥାଏ, ସେମାନେ ତାଙ୍କ କର୍ମଫଳର ବନ୍ଧନରେ ପଡ଼ନ୍ତି ନାହିଁ ।

ଭାରତ ଇତିହାସର ମୋଗଲ ରାଜତ୍ୱ କାଳରେ, ରହିମ୍ ଖାନ୍‌ଖନ୍ନା ଜଣେ ପ୍ରସିଦ୍ଧ ସନ୍ଥ କବି ଥିଲେ । ଜନ୍ମ ଅନୁସାରେ ମୁସଲମାନ ହୋଇଥିଲେ ମଧ୍ୟ, ସେ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଥିଲେ । ଦାନ କରିବାକୁ ଯାଇ ଭିକ୍ଷା ଦେବା ସମୟରେ ସେ ଚକ୍ଷୁ ନତ କରି ଦାନ ଦିଅନ୍ତି । ଏହି ଅଭ୍ୟାସ ସହିତ ଏକ ମଧୁର ଘଟଣା ଜଡ଼ିତ ଅଛି । କୁହାଯାଏ ଯେ, ସନ୍ଥ ତୁଳସୀ ଦାସ ରହିମଙ୍କର ଏପରି ଭିକ୍ଷା ଦେବାର ଶୈଳୀ ବିଷୟରେ ଶୁଣି, ତାଙ୍କୁ ପଚାରି ଥିଲେ:

ଏସୀ ଦେନୀ ଦେନ ଜ୍ୟୁଁ, କିତ ସୀଖେ ହୋ ସୈନ
ଜ୍ୟୋଁ ଜ୍ୟୋଁ କର ଉଁଚ୍ୟୋ କରୋ, ତ୍ୟୋଁ ତ୍ୟୋଁ ନିଚେ ନୈନ

“ହେ ମହାନୁଭବ! ଏହିପରି ଭିକ୍ଷା ଦେବା ଆପଣ କେଉଁଠାରୁ ଶିଖିଲେ ? ଆପଣଙ୍କ ହସ୍ତ ଉଚ୍ଚରେ ଏବଂ ଚକ୍ଷୁ ନିମ୍ନରେ ଅଛି ।” ରହିମ ବିନମ୍ରତାର ସହ ଅତି ସୁନ୍ଦର ଭାବେ ଏହାର ଉତ୍ତର ଦେଇଥିଲେ:

ଦେନହାର କେଈ ଔର ହୈ, ଭେଜତ ହୈ ଦିନ ରୈନ
ଲୋଗ ଭରମ ହମ ପର କରେଁ, ୟାତେ ନିଚେ ନୈନ

“ଦାନୀ ଅନ୍ୟ କେହି ଅଟନ୍ତି, ଯିଏ ଦିନ-ରାତି ଦେଉଛନ୍ତି । କିନ୍ତୁ ସଂସାର ମୋର ପ୍ରଶଂସା କରୁଛି, ସେଥିପାଇଁ ମୁଁ ଚକ୍ଷୁ ନତ କରି ନେଉଛି ।” ଆମ ଦ୍ୱାରା ସମ୍ପାଦିତ କର୍ମ ପାଇଁ କେବଳ ଆମେ ହିଁ ଦାୟୀ ନୁହେଁ, ଏହା ବୁଝିବା ଦ୍ୱାରା ଆମେ କର୍ତ୍ତୃତ୍ୱାଭିମାନରୁ ମୁକ୍ତ ହୋଇଥାଏ ।