ନିୟତସ୍ୟ ତୁ ସଂନ୍ୟାସଃ କର୍ମଣୋ ନୋପପଦ୍ୟତେ ।
ମୋହାତ୍ତସ୍ୟ ପରିତ୍ୟାଗସ୍ତାମସଃ ପରିକୀର୍ତିତଃ ।।୭।।
ନିୟତସ୍ୟ -ବିହିତ କର୍ତ୍ତବ୍ୟର; ତୁ-କିନ୍ତୁ; ସଂନ୍ୟାସଃ- ତ୍ୟାଗ; କର୍ମଣଃ-କର୍ମସବୁ; ନ-ନୁହେଁ; ଉପପଦ୍ୟତେ -ପାଳନୀୟ; ମୋହାତ୍- ମୋହ ଯୋଗୁଁ; ତସ୍ୟ- ତାହାର; ପରିତ୍ୟାଗଃ -ତ୍ୟାଗ; ତାମସଃ -ତମୋଗୁଣାଧୀନ; ପରିକୀର୍ତିତଃ -ବିବେଚିତ କରାଯାଏ ।
Translation
BG 18.7: ବିହିତ କର୍ମ କେବେହେଲେ ତ୍ୟାଗ କରାଯିବା ଉଚିତ ନୁହେଁ । ଏହିପରି ଭ୍ରମାତ୍ମକ ତ୍ୟାଗକୁ ତମୋଗୁଣଯୁକ୍ତ କୁହାଯାଏ ।
Commentary
ନିଷିଦ୍ଧ କର୍ମ ଏବଂ ଅସାଧୁ କର୍ମ ତ୍ୟାଗ କରିବା ଉଚିତ୍; କର୍ମଫଳ ପ୍ରତି କାମନା ତ୍ୟାଗ କରିବା ମଧ୍ୟ ଉଚିତ୍ ଅଟେ; କିନ୍ତୁ ବିହିତ କର୍ମ ତ୍ୟାଗ କରିବା ଉଚିତ୍ ନୁହେଁ । ବିହିତ କର୍ମ ମନକୁ ଶୁଦ୍ଧ କରିବା ସହିତ ମନକୁ ତମୋଗୁଣରୁ ରଜୋଗୁଣକୁ ରଜୋଗୁଣରୁ ସତ୍ତ୍ୱଗୁଣକୁ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରେ । ସେଗୁଡ଼ିକୁ ତ୍ୟାଗ କରିବା ମୁର୍ଖାମୀର ପରିଚାୟକ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ତ୍ୟାଗ ନାମରେ ବିହିତ କର୍ମ ପରିତ୍ୟାଗ କରିବା ତାମସିକ ତ୍ୟାଗ ଅଟେ ।
ସଂସାରରେ ଆମ ସମସ୍ତଙ୍କର କିଛି ପାଳନୀୟ କର୍ତ୍ତବ୍ୟ ରହିଛି । ସେଗୁଡ଼ିକ ପାଳନ କରିବା ଦ୍ୱାରା ମନୁଷ୍ୟ ଠାରେ ଅନେକ ସଦ୍ଗୁଣ ବିକଶିତ ହୁଏ, ଯେପରି କି ଦାୟୀତ୍ୱବୋଧତା, ମନ ଓ ଇନ୍ଦ୍ରିୟମାନଙ୍କର ଶୃଙ୍ଖଳା, ଦୁଃଖ ଓ କଷ୍ଟ ସହ୍ୟ କରିବା ଇତ୍ୟାଦି । ଅଜ୍ଞାନବଶତଃ ସେଗୁଡ଼ିକୁ ପରିତ୍ୟାଗ କରିବା ଦ୍ୱାରା, ଆତ୍ମା ପତନ ଅଭିମୁଖୀ ହୋଇଥାଏ । ଏହି ପାଳନୀୟ କର୍ମଗୁଡ଼ିକ ବ୍ୟକ୍ତିର ଚେତନାର ସ୍ତର ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ଜଣେ ସାଧାରଣ ବ୍ୟକ୍ତି ପାଇଁ ଅର୍ଥ ଉପାର୍ଜନ, ପରିବାର ପୋଷଣ, ଗାଧୋଇବା, ଖାଇବା ଇତ୍ୟାଦି କର୍ମସବୁ ବିହିତ କର୍ମ ଅଟେ । ବ୍ୟକ୍ତିର ଚେତନାର ସ୍ତର ଉନ୍ନତ ହେବା ସହିତ ଏହି ପାଳନୀୟ କର୍ମ ମଧ୍ୟ ବଦଳି ଯାଏ । ସେମାନଙ୍କ ପାଇଁ ଯଜ୍ଞ, ଦାନ ଏବଂ ତପସ୍ୟା ପାଳନୀୟ କର୍ମ ହୋଇଯାଏ ।