ଦୁଃଖମିତ୍ୟେବ ଯତ୍କର୍ମ କାୟକ୍ଳେଶଭୟାତ୍ତ୍ୟଜେତ୍ ।
ସ କୃତ୍ୱା ରାଜସଂ ତ୍ୟାଗଂ ନୈବ ତ୍ୟାଗଫଳଂ ଲଭେତ୍ ।।୮।।
ଦୁଃଖଂ-ଦୁଃଖ; ଇତି-ଏହିପରି; ଏବ-ନିଶ୍ଚିତଭାବେ; ଯତ୍-ଯାହା; କମ ର୍-କର୍ମ; କାୟ-ଶରୀର; କ୍ଳେଶ -କ୍ଳେଶ ବା କଷ୍ଟ; ଭୟାତ୍-ଭୟଯୋଗୁ; ତ୍ୟଜେତ- ତ୍ୟାଗ କରାଯାଏ; ସ -ତାହା; କୃତ୍ୱା-କରି; ରାଜସଂ-ରଜୋଗୁଣବିଶିଷ୍ଟ; ତ୍ୟାଗଂ-ତ୍ୟାଗ; ନ -ନୁହେଁ; ଏବ-ବାସ୍ତବରେ; ତ୍ୟାଗଂ-ତ୍ୟାଗ; ଫଳଂ-ଫଳ; ଲଭେତ୍ -ଲାଭକରେ ।
Translation
BG 18.8: ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ ଥାଏ କିମ୍ବା ବ୍ୟକ୍ତିକୁ ଉଚ୍ଚସ୍ତରକୁ ନେଇ ନ ଥାଏ ।
Commentary
ଜୀବନରେ ପ୍ରଗତି କରିବାର ଅର୍ଥ ନୁହେଁ ଦାୟୀତ୍ୱ ତ୍ୟାଗ କରିବା, ଏହା ଦ୍ୱାରା ଦାୟୀତ୍ୱ ବୃଦ୍ଧି ପାଇଥାଏ । ପ୍ରାରମ୍ଭରେ ଆଧ୍ୟାତ୍ମବାଦୀମାନେ ଏହି ସତ୍ୟକୁ ବୁଝି ନ ଥାନ୍ତି । କଷ୍ଟରୁ ଦୂରରେ ରହିବା ପାଇଁ ସେମାନେ ପଳାୟନପନ୍ଥୀ ମନୋଭାବ ନେଇ ଆଧ୍ୟାତ୍ମିକତା ବାହାନାରେ ତାଙ୍କର ବିହିତ କର୍ମ ତ୍ୟାଗ କରିଥାନ୍ତି । କିନ୍ତୁ ଜୀବନର ଉଦ୍ଦେଶ୍ୟ ଦାୟୀତ୍ୱ ମୁକ୍ତ ହେବା ନୁହେଁ । ଉଚ୍ଚ କକ୍ଷର ସାଧକମାନେ କୌଣସି କର୍ମ କରୁ ନ ଥିବା ଯୋଗୁଁ ଅବିଚଳିତ ରହନ୍ତି ତାହା ନୁହେଁ, ବରଂ ସେମାନେ ଗୁରୁ ଦାୟୀତ୍ୱ ବହନ କରି ମଧ୍ୟ ଭିତରେ ଶାନ୍ତି ରକ୍ଷା କରିପାରିଥାନ୍ତି । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ କର୍ମକୁ କଷ୍ଟଦାୟକ ମନେକରି ତ୍ୟାଗ କରିବା ରାଜସିକ ତ୍ୟାଗ ଅଟେ ।
ଭଗବଦ୍ ଗୀତା ପ୍ରାରମ୍ଭରୁ ହିଁ କର୍ମର ଆହ୍ୱାନ କରିଛି । ଅର୍ଜୁନ ତାଙ୍କ କର୍ମକୁ ଅପ୍ରିୟ ଏବଂ ବିରକ୍ତିକର ମନେକରି ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବାକୁ ଚାହିଁଛନ୍ତି, ଯାହାକୁ ଶ୍ରୀକୃଷ୍ଣ ଅଜ୍ଞାନତା ଏବଂ ଭୀରୁତା କହିଛନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅପ୍ରୀତିକର ହୋଇଥିଲେ ମଧ୍ୟ କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରୁଛନ୍ତି ଏବଂ ତା’ ସହିତ ନିଜ ଭିତରର ଭାବନାକୁ ଠିକ୍ ରଖିବା ପାଇଁ କହୁଛନ୍ତି । ସେହି ଉଦ୍ଦେଶ୍ୟରେ ସେ ଅର୍ଜୁନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଉଦ୍ଭାସିତ କରିଛନ୍ତି ଏବଂ ତାଙ୍କର ପ୍ରଜ୍ଞା ଚକ୍ଷୁ ଖୋଲିବାରେ ସାହାଯ୍ୟ କରିଛନ୍ତି । ଭଗବଦ୍ ଗୀତା ଶୁଣିବା ପରେ ଅର୍ଜୁନ ତାଙ୍କର ବୃତ୍ତି ପରିବର୍ତ୍ତନ କରି ନାହାନ୍ତି, ବରଂ କର୍ମ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ପରିବର୍ତ୍ତିତ କରିଛନ୍ତି । ପୂର୍ବରୁ ତାଙ୍କ କର୍ମର ଉଦ୍ଦେଶ୍ୟ ଥିଲା, ନିଜର ଉପଭୋଗ ଏବଂ ଯଶ ପାଇଁ ହସ୍ତିନାପୁର ରାଜ୍ୟ ଜୟ କରିବା । ପରେ ସେ ସେହି କାର୍ଯ୍ୟ କରୁଛନ୍ତି, କିନ୍ତୁ ତାହା ଭଗବାନଙ୍କର ଭକ୍ତି ରୂପରେ କରୁଛନ୍ତି ।