Bhagavad Gita: Chapter 18, Verse 27

ରାଗୀ କର୍ମଫଳପ୍ରେପ୍‌ସୁର୍ଲୁବ୍‌ଧୋ ହିଂସାତ୍ମକୋଽଶୁଚିଃ ।
ହର୍ଷଶୋକାନ୍ୱିତଃ କର୍ତା ରାଜସଃ ପରିକୀର୍ତିତଃ ।।୨୭।।

ରାଗୀ -ଅତ୍ୟନ୍ତ ଆସକ୍ତ; କର୍ମଫଳ-କର୍ମଫଳ; ପ୍ରେପ୍‌ସୁଃ-କାମନା କରି; ଲୁବ୍ଧଃ-ଲୋଭୀ; ହିଂସା ଆତ୍ମକଃ -ପ୍ରତିହିଂସା ପରାୟଣ; ଅଶୁଚିଃ-ଅପବିତ୍ର; ହର୍ଷ-ଶୋକ ଅନ୍ୱିତଃ -ହର୍ଷ ବିଷାଦ ଗ୍ରସ୍ତ; କର୍ତା -କର୍ତ୍ତା; ରାଜସଃ-ରାଜସିକ; ପରିକୀର୍ତିତଃ- କୁହାଯାଏ ।

Translation

BG 18.27: ଯେତେବେଳେ କର୍ତ୍ତା, କର୍ମଫଳ ପ୍ରତି ଲାଳାୟୀତ ହୋଇ, ଈର୍ଷା ପରାୟଣ, ହିଂସ୍ର ସ୍ୱଭାବଯୁକ୍ତ, ଅଶୁଦ୍ଧ ଏବଂ ହର୍ଷ-ବିଷାଦରେ ମୋହିତ ହୋଇଥାନ୍ତି, ସେ ରାଜସିକ ଗୁଣଯୁକ୍ତ ବିବେଚିତ ହୁଅନ୍ତି ।

Commentary

ରାଜସିକ କର୍ତ୍ତାମାନଙ୍କ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି । ସାତ୍ତ୍ୱିକ କର୍ତ୍ତା ଆଧ୍ୟାତ୍ମିକ ଉନ୍ନତି ଚାହୁଁଥିବା ବେଳେ, ରାଜସିକ କର୍ତ୍ତା ଭୌତିକ ପ୍ରଗତି ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାନ୍ତି । ସେମାନେ ହୃଦ୍‌ବୋଧ କରିପାରନ୍ତି ନାହିଁ ଯେ ସଂସାରର ସମସ୍ତ ବସ୍ତୁ ଅସ୍ଥାୟୀ ଏବଂ ଦିନେ ସେ ସବୁକୁ ଛାଡ଼ି ଚାଲିଯିବାକୁ ହେବ । ଅତିଶୟ ରାଗ (ମନ ଓ ଇନ୍ଦ୍ରିୟଙ୍କର କାମନା) ଦ୍ୱାରା ଉତ୍‌କ୍ଷିପ୍ତ ହୋଇ ସେମାନେ ନିଜ ଉଦ୍ଦେଶ୍ୟର ଶୁଦ୍ଧତା ହରାଇ ବସନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ଇପ୍‌ସିତ ସୁଖ ସଂସାରରେ ଅଛି । ତେଣୁ, ତାଙ୍କୁ ଯେତେ ବେଶୀ ସଂସାର ପ୍ରାପ୍ତ ହେଲେ ମଧ୍ୟ ସେଥିରେ ସେମାନେ ସନ୍ତୁଷ୍ଟ ନ ହୋଇ ଅଧିକ ଲୁବ୍ଧ (ଲୋଭଗ୍ରସ୍ଥ) ହୋଇଥାନ୍ତି । ଅନ୍ୟମାନେ ତାଙ୍କଠାରୁ ଅଧିକ ସଫଳ କିମ୍ବା ଅଧିକ ଉପଭୋଗ କରୁଥିବାର ଦେଖି ସେମାନେ ହିଂସାତ୍ମକ (ହିଂସା ପରାୟଣ) ହୋଇ ଉଠନ୍ତି । ଉଦ୍ଦେଶ୍ୟ ପୂରଣ ପାଇଁ ସେମାନେ ବେଳେ ବେଳେ ନିଜର ନୈତିକତାକୁ ଜଳାଞ୍ଜଳି ଦେଇ ଅଶୁଚିଃ (ଅଶୁଦ୍ଧ) ହୋଇଯାଆନ୍ତି । କାମନା ପୂର୍ଣ୍ଣ ହେଲେ ସେମାନେ ଉତ୍‌ଫୁଲ୍ଲିତ ହୋଇ ଉଠନ୍ତି ଏବଂ କାମନା ପୂର୍ଣ୍ଣ ନ ହେଲେ ନିରାଶ ହୋଇପଡ଼ନ୍ତି । ଏହିପରି ଭାବରେ ସେମାନଙ୍କର ଜୀବନ ହର୍ଷ ଶୋକ ଅନ୍ୱିତଃ (ସୁଖ ଓ ଦୁଃଖର ମିଶ୍ରଣ) ହୋଇଯାଏ ।