Bhagavad Gita: Chapter 18, Verse 59

ଯଦହଙ୍କାରମାଶ୍ରିତ୍ୟ ନ ଯୋତ୍ସ୍ୟ ଇତି ମନ୍ୟସେ ।
ମିଥ୍ୟୈଷ ବ୍ୟବସାୟସ୍ତେ ପ୍ରକୃତିସ୍ତ୍ୱାଂ ନିୟୋକ୍ଷ୍ୟତି ।।୫୯।।

ଯତ୍‌-ଯଦି; ଅହଙ୍କାରଂ-ଅହଙ୍କାରକୁ; ଆଶ୍ରିତ୍ୟ-ଆଶ୍ରୟ କରି; ନ ଯୋତ୍ସ୍ୟ-ଯୁଦ୍ଧ କରିବି ନାହିଁ; ଇତି-ଏପରି; ମନ୍ୟସେ-ଭାବୁଥାଅ; ମିଥ୍ୟା ଏଷଃ- ଏସବୁ ମିଥ୍ୟା; ବ୍ୟବସାୟଃତେ -ତୁମର ଦୃଢ଼ତା; ପ୍ରକୃତିଃ -ଭୂତ ପ୍ରକୃତି; ତ୍ୱାଂ-ତୁମକୁ; ନିୟୋକ୍ଷ୍ୟତି-ତୁମକୁ ନିଯୁକ୍ତ କରିବ ।

Translation

BG 18.59: ଅହଂକାର ଦ୍ୱାରା ପ୍ରେରିତ ହୋଇ ତୁମେ ଯଦି ଚିନ୍ତା କରିବ, “ମୁଁ ଯୁଦ୍ଧ କରିବି ନାହିଁ”, ତୁମର ନିର୍ଣ୍ଣୟ ବୃଥା ହେବ । ତୁମର ଭୌତିକ (କ୍ଷତ୍ରିୟ) ସ୍ୱଭାବ ତୁମକୁ ଯୁଦ୍ଧ କରିବା ପାଇଁ ବାଧ୍ୟ କରିବ ।

Commentary

ଅନୁଶାସନ ମନୋଭାବରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏକ ଚେତାବନୀ ଦେଉଛନ୍ତି । ଆମେ ଏପରି ଭାବିବା ଉଚିତ ନୁହେଁ ଯେ ଆମର ଯାହା ଇଚ୍ଛା ତାହା କରିବାରେ ଆମେ ପୂର୍ଣ୍ଣ ସ୍ୱାଧୀନ ଅଟୁ । ଜୀବର ସ୍ୱାଧୀନ ଅସ୍ତିତ୍ୱ ନାହିଁ, ଅନେକ ଦିଗରୁ ସେ ଭଗବାନଙ୍କ ଉପରେ ନିର୍ଭରଶୀଳ । ମାୟାବଦ୍ଧ ଅବସ୍ଥାରେ ସେ ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ । ଏହି ଗୁଣଗୁଡ଼ିକର ସମ୍ମିଶ୍ରଣ ଆମର ସ୍ୱଭାବ ସୃଷ୍ଟି କରେ ଏବଂ ତାହାର ନିର୍ଦ୍ଦେଶନାରେ ଆମେ କର୍ମ କରିବାକୁ ବାଧ୍ୟ ହେଉ । ତେଣୁ “ମୁଁ ମୋର ଇଚ୍ଛା ଅନୁସାରେ କାର୍ଯ୍ୟ କରିବି”, ଏପରି କହିବା ପାଇଁ ଆମେ ପୂର୍ଣ୍ଣ ସ୍ୱାଧୀନ ନୁହେଁ । ଭଗବାନ ଏବଂ ଶାସ୍ତ୍ରମାନଙ୍କର ସତ୍‌-ଉପଦେଶ କିମ୍ବା ଆମର ପ୍ରବୃତ୍ତି - ଏହି ଦୁଇଟି ମଧ୍ୟରୁ ଆମକୁ ଗୋଟିଏ ବାଛିବାକୁ ପଡ଼ିବ । ନିଜ ସ୍ୱଭାବ ବିଷୟରେ ଏକ ଉପାଖ୍ୟାନ ଅଛି । ତିରିଶ ବର୍ଷ ଚାକିରୀ କରିବା ପରେ ଜଣେ ସୈନିକ ଅବସରପ୍ରାପ୍ତ ହୋଇ ନିଜ ସହରକୁ ଫେରିଲେ । ଦିନେ ସେ ଚା ଦୋକାନରେ ବସି ଚା ପିଉଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ୍‌ତାଙ୍କୁ ଥଟ୍ଟା କରିବାକୁ ଯାଇ ପଛରୁ ପାଟିକଲେ, “ସାବଧାନ !” ସେପରି ଆଦେଶ ପାଳନ କରିବା ତାଙ୍କ ସୈନିକ ସ୍ୱଭାବର ଅନ୍ତର୍ଗତ ଥିଲା । ଅନ୍ୟମନସ୍କ ଭାବେ, ସେ ଚା କପ୍‌କୁ ତଳେ ପକାଇ ଦେଇ ହାତ ସିଧା କରି ଛିଡ଼ା ହୋଇଗଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଚେତାବନି ଦେଉଛନ୍ତି, ସେ ସ୍ୱଭାବତଃ ଜଣେ ଯୋଦ୍ଧା ଅଟନ୍ତି, ତେଣୁ ଅହଂକାର ବଶତଃ ସେ ତାଙ୍କର ସଦୁପଦେଶ ନ ଶୁଣିଲେ ମଧ୍ୟ ତାଙ୍କର କ୍ଷତ୍ରିୟ ସ୍ୱଭାବ ତାଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରିବ ।