Bhagavad Gita: Chapter 18, Verse 3

ତ୍ୟାଜ୍ୟଂ ଦୋଷବଦିତ୍ୟେକେ କର୍ମ ପ୍ରାହୁର୍ମନୀଷିଣଃ ।
ଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟମିତି ଚାପରେ ।।୩।।

ତ୍ୟାଜ୍ୟଂ- ପରିତ୍ୟାଗ କରିବା ଉଚିତ୍‌; ଦୋଷବତ୍ -ଦୋଷ ସଦୃଶ; ଇତି-ଏହିପରି; ଏକେ -କେହି କେହି; କର୍ମ -କର୍ମ; ପ୍ରାହୁଃ- କହନ୍ତି; ମନୀଷିଣଃ -ବିଜ୍ଞ ବ୍ୟକ୍ତିମାନେ; ଯଜ୍ଞ -ଯଜ୍ଞ; ଦାନ -ଦାନ; ତପଃ -ତପସ୍ୟା; କର୍ମ -କର୍ମ; ନ -ନୁହେଁ; ତ୍ୟାଜ୍ୟଂ-ତ୍ୟାଗ କରିବା ଉଚିତ୍‌; ଇତି-ଏହିପରି; ଚ-ଏବଂ; ଅପରେ-ଅନ୍ୟମାନେ ।

Translation

BG 18.3: ଅନେକ ଜ୍ଞାନୀ ବ୍ୟକ୍ତି ମତ ଦିଅନ୍ତି ଯେ ସମସ୍ତ କର୍ମକୁ ପାପ ମନେକରି ତ୍ୟାଗ କରିବା ଉଚିତ, କିନ୍ତୁ ଅନ୍ୟମାନେ ମତ ଦିଅନ୍ତି ଯେ ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଆଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ ।

Commentary

କେତେକ ଦାର୍ଶନିକ, ଯେପରି କି ସାଂଖ୍ୟବାଦୀମାନେ, ପାର୍ଥିବ ଜୀବନକୁ ଯେତେ ଶୀଘ୍ର ସମ୍ଭବ ସମାପ୍ତ କରିବା ସପକ୍ଷରେ ଥାଆନ୍ତି । ତାଙ୍କ ମତରେ, ସମସ୍ତ କର୍ମକୁ ତ୍ୟାଗ କରାଯିବା ଉଚିତ୍ କାରଣ ସେମାନେ କାମନା ଦ୍ୱାରା ପ୍ରେରିତ, ଯାହା ଜନ୍ମ ଓ ମୃତ୍ୟୁ ପ୍ରକ୍ରିୟାରେ ଦେହାନ୍ତର ପ୍ରାପ୍ତି କରାଇଥାଏ । ସେମାନେ ଯୁକ୍ତି କରନ୍ତି, ସମସ୍ତ କର୍ମରେ କିଛି ନା କିଛି ଦୋଷ ଅନ୍ତର୍ନିହିତ ରହିଥାଏ, ଯେପରିକି ଅପ୍ରତ୍ୟକ୍ଷ ହିଂସା । ଉଦାହରଣ ସ୍ୱରୂପ, ନିଆଁ ଜଳାଇଲେ, ପତଙ୍ଗମାନେ ସ୍ୱତଃ ସେଥିରେ ଦଗ୍‌ଧ ହୋଇ ମୃତ୍ୟୁବରଣ କରିବାର ସମ୍ଭାବନା ଥାଏ । ତେଣୁ ଜୀବନଧାରଣ ନିମନ୍ତେ ଆବଶ୍ୟକୀୟ କର୍ମ ବ୍ୟତିତ ଅନ୍ୟ ସବୁ କର୍ମ ତ୍ୟାଗ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଥାନ୍ତି ।

ମୀମାଂସା ଦର୍ଶନର ସମର୍ଥକ ବିଜ୍ଞ ଦାର୍ଶନିକଗଣ ମତ ଦେଇଥାନ୍ତି ଯେ ବେଦ ପ୍ରଣୀତ କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ । ସେମାନେ ଯୁକ୍ତି ବାଢ଼ିଥାନ୍ତି ଯେ ବେଦରେ ଯେଉଁଠାରେ ବି ଦୁଇଟି ବିରୋଧାତ୍ମକ ନିର୍ଦ୍ଦେଶ ରହିଥାଏ, ତନ୍ମଧ୍ୟରୁ ଯେଉଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶଟି ଅଧିକ ପ୍ରଖ୍ୟାତ, ତାହା ଅନ୍ୟ ସାଧାରଣ ଆଦେଶଟିକୁ ରଦ୍ଦ କରିଦିଏ । ଉଦାହରଣ ସ୍ୱରୂପ, ବେଦ ଆମକୁ ନିର୍ଦ୍ଦେଶ ଦେଇଛି: ମା ହିଂସ୍ୟାତ୍ ସର୍ବା ଭୂତାନି “କୌଣସି ପ୍ରାଣୀ ପ୍ରତି ହିଂସା କରନାହିଁ ।” ଏହା ସାଧାରଣ ନିର୍ଦ୍ଦେଶ । ସେହି ବେଦ ଆମକୁ ଯଜ୍ଞ କରିବାକୁ ମଧ୍ୟ ଆଦେଶ ଦେଇଛି । ଏହା ଏକ ନିର୍ଦ୍ଦିଷ୍ଟ ଆଦେଶ । ଯଜ୍ଞ ସମ୍ପାଦନ କରିବା ସମୟରେ ଏପରି ହୋଇପାରେ ଯେ କେତେକ କୀଟପତଙ୍ଗ ଅନିଚ୍ଛାକୃତ ଭାବରେ ଯଜ୍ଞ ଅଗ୍ନିରେ ପଡି ମୃତ୍ୟୁବରଣ କରିବେ । କିନ୍ତୁ ମୀମାଂସା ଦର୍ଶନର ଯୁକ୍ତି ଅନୁଯାୟୀ, ଏଠାରେ ଯଜ୍ଞ କରିବାର ନିର୍ଦ୍ଦିଷ୍ଟ ଆଦେଶଟି ବଳବତ୍ତର ରହିବ ଏବଂ ହିଂସା ନ କରିବାର ସାଧାରଣ ଆଦେଶର ଏହା ବିରୋଧୀ ହୋଇଥିଲେ ସୁଦ୍ଧା ଏହା ପାଳନ କରାଯିବା ଉଚିତ । ତେଣୁ ମୀମାଂସକ ମାନଙ୍କ ମତରେ, ଆମେ ଯଜ୍ଞ, ଦାନ, ତପଶ୍ଚର୍ଯ୍ୟା ଆଦି କଲ୍ୟାଣକାରୀ କର୍ମକୁ ପରିତ୍ୟାଗ କରିବା ଉଚିତ ନୁହେଁ ।