Bhagavad Gita: Chapter 18, Verse 4

ନିଶ୍ଚୟଂ ଶୃଣୁ ମେ ତତ୍ର ତ୍ୟାଗେ ଭରତସତ୍ତମ ।
ତ୍ୟାଗୋ ହି ପୁରୁଷବ୍ୟାଘ୍ର ତ୍ରିବିଧଃ ସମ୍ପ୍ରକୀର୍ତିତଃ ।।୪।।

ନିଶ୍ଚୟଂ-ନିଷ୍କର୍ଷ; ଶୃଣୁ-ଶୁଣ; ମେ-ମୋ’ଠାରୁ; ତତ୍ର-ସେଠାରେ; ତ୍ୟାଗେ-ତ୍ୟାଗ ସଂପର୍କରେ; ଭରତ-ସତ୍ତମ- ହେ ଭରତଶ୍ରେଷ୍ଠ; ତ୍ୟାଗଃ-ତ୍ୟାଗ; ହି-ବାସ୍ତବରେ; ପୁରୁଷ-ବ୍ୟାଘ୍ର-ହେ ପୁରୁଷଶ୍ରେଷ୍ଠ !; ତ୍ରିବିଧଃ-ତିନିପ୍ରକାର; ସଂପ୍ରକୀର୍ତିତଃ-ଘୋଷଣା କରାଯାଇଛି ।

Translation

BG 18.4: ହେ ମନୁଷ୍ୟଙ୍କ ମଧ୍ୟରେ ବ୍ୟାଘ୍ର ! ଏବେ ତ୍ୟାଗ ସମ୍ବନ୍ଧରେ ମୋର ଅନ୍ତିମ ନିର୍ଣ୍ଣୟ ଶୁଣ, ଯାହା ତିନି ପ୍ରକାରର ଅଟେ ।

Commentary

ତ୍ୟାଗ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ଏହା ଜୀବନର ଉଚ୍ଚତର ସୋପାନର ଆଧାର ଅଟେ । ନିମ୍ନଶ୍ରେଣୀୟ କାମନା ତ୍ୟାଗ କରିବା ଦ୍ୱାରା ହିଁ  ଆମେ ଉଚ୍ଚତର ଆକାଂକ୍ଷା ପୋଷଣ କରିପାରିବା । ସେହିପରି, ନିମ୍ନକକ୍ଷର କର୍ମ ତ୍ୟାଗ କରିବା ଦ୍ୱାରା ହିଁ ଆମେ ଉଚ୍ଚତର କର୍ତ୍ତବ୍ୟ ଏବଂ କର୍ମ କରି ପାରିବା ଏବଂ ଆଧ୍ୟାତ୍ମିକ ମାର୍ଗରେ ଚାଲିପାରିବା । କିନ୍ତୁ ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ ପ୍ରକାଶ କରିଥିଲେ ଯେ ତ୍ୟାଗର ବାସ୍ତବ ଅର୍ଥ ବୁଝିବାରେ ମତ ପାର୍ଥକ୍ୟ ରହିଛି । ପୂର୍ବ ଶ୍ଳୋକରେ, ଦୁଇଟି ମୁଖ୍ୟ ବିରୋଧାତ୍ମକ ମନ୍ତବ୍ୟ ସମ୍ପର୍କରେ ସୂଚନା ଦେଇ, ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ମତ ବ୍ୟକ୍ତ କରୁଛନ୍ତି, ଯାହା ଏହି ବିଷୟର ଅନ୍ତିମ ଆଦେଶ ଅଟେ । ସେ କହୁଛନ୍ତି ଯେ ତ୍ୟାଗକୁ ତିନୋଟି ଶ୍ରେଣୀଭୁକ୍ତ କରି (ଶ୍ଳୋକ ୭ ରୁ୯ ମଧ୍ୟରେ ବର୍ଣ୍ଣିତ ହୋଇଛି) ସେ ବିଷୟର ବିଶ୍ଳେଷଣ  କରିବେ । ସେ ଅର୍ଜୁନଙ୍କୁ ବ୍ୟାଘ୍ର ଅର୍ଥାତ୍ “ମନୁଷ୍ୟ ମାନଙ୍କ ମଧ୍ୟରେ ବ୍ୟାଘ୍ର” ଭାବରେ ସମ୍ବୋଧନ କରିଛନ୍ତି, କାରଣ ତ୍ୟାଗ ସାହସୀ-ହୃଦୟର ବ୍ୟକ୍ତିଙ୍କ ପାଇଁ ଅଟେ । ସନ୍ଥ କବୀର କହନ୍ତି:

ତୀର ତଲବାର ସେ ଜୋ ଲଢ଼ଇ, ସୋ ଶୂରବୀର ନହିଁ ହୋୟ ।
ମାୟା ତଜି ଭକ୍ତି କରେ, ଶୂର କହାବୈ ସୋୟ ।।

“ତୀର ଓ ତରବାରୀ ସହିତ ଯୁଦ୍ଧ କରୁଥିବା ବ୍ୟକ୍ତି ବୀର ନୁହେଁ, ଯେଉଁ ବ୍ୟକ୍ତି ମାୟା ତ୍ୟାଗ କରି ଭକ୍ତି କରେ, ସେ ହିଁ ପ୍ରକୃତରେ ବୀର ଅଟେ ।”