ଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟଂ କାର୍ଯ୍ୟମେବ ତତ୍ ।
ଯଜେ୍ଞା ଦାନଂ ତପଶ୍ଚୈବ ପାବନାନି ମନୀଷିଣାମ୍ ।।୫।।
ଯଜ୍ଞ- ଯଜ୍ଞ; ଦାନ-ଦାନ; ତପଃ-ତପସ୍ୟା; କର୍ମ-କର୍ମ; ନ ତ୍ୟାଜ୍ୟଂ- ତ୍ୟାଗ କରିବା ଉଚିତ୍ ନୁହେଁ; କାର୍ଯ୍ୟଂ-କରିବା ଉଚିତ୍; ଏବ-ନିଶ୍ଚିତଭାବେ; ତତ୍-ତାହା; ଯଜ୍ଞଃ-ଯଜ୍ଞ; ଦାନଂ-ଦାନ; ତପଃ-ତପସ୍ୟା; ଚ -ଏବଂ; ଏବ-ନିଶ୍ଚିତଭାବେ; ପାବନାନି-ପବିତ୍ର କରେ; ମନୀଷିଣାମ୍- ଜ୍ଞାନୀମାନଙ୍କୁ ।
Translation
BG 18.5: ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ବିଜ୍ଞବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଶୁଦ୍ଧକାରକ ଅଟେ ।
Commentary
ଏଠାରେ ଶ୍ରୀକୃଷ୍ଣ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି ଯେ ଯେଉଁ କର୍ମ ମନୁଷ୍ୟ ପାଇଁ ଉତ୍ଥାନ କାରକ ଏବଂ ଲାଭପ୍ରଦ, ତାହା କଦାପି ତ୍ୟାଗ କରିବା ଉଚିତ ନୁହେଁ । ଏପରି କର୍ମ ଯଦି ଉପଯୁକ୍ତ ଭାବନାରେ କରାଯାଏ, ଏହା ଆମକୁ ବନ୍ଧନରେ ବାନ୍ଧିବା ପରିବର୍ତ୍ତେ ଆମକୁ ଆଧ୍ୟାତ୍ମିକତାରେ ପ୍ରଗତି କରିବାରେ ସାହାଯ୍ୟ କରେ । ଗୋଟିଏ ସାଁବାଳୁଆର ଉଦାହରଣ ବିଚାର କରନ୍ତୁ । ନିଜକୁ ରୂପାନ୍ତରିତ କରିବା ପାଇଁ, ସେ ନିଜ ଚାରିପାଖରେ ଏକ କୋଷା ତିଆରି କରି ତା’ମଧ୍ୟରେ ନିଜକୁ ବନ୍ଦୀ କରିଦିଏ । ଥରେ ପ୍ରଜାପତିରେ ରୂପାନ୍ତରିତ ହୋଇଯିବା ପରେ, ସେ କୋଷାଟିକୁ କାଟି ମୁକ୍ତ ଆକାଶକୁ ଉଡ଼ିଯାଏ । ସଂସାରରେ ଆମର ସ୍ଥିତି ସେହିପରି ଅଟେ । କୁତ୍ସିତ ସାଁବାଳୁଆ ପରି ଆମେ ବର୍ତ୍ତମାନ ସଂସାରରେ ଆସକ୍ତ ରହିଛୁ ଏବଂ ସବୁ ସଦ୍ଗୁଣରୁ ବଞ୍ôଚତ ରହିଛୁ । ଆତ୍ମପ୍ରସ୍ତୁତି ବା ଆତ୍ମଶିକ୍ଷା ଭାବରେ ଆମକୁ ଏପରି କର୍ମ କରିବାକୁ ପଡ଼ିବ ଯାହା ଆମେ ଇଚ୍ଛା କରୁଥିବା ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିପାରିବ । ଯଜ୍ଞ, ଦାନ ଏବଂ ତପସ୍ୟା ସେହିପରି କର୍ମ ଅଟନ୍ତି ଯିଏ ଆମର ଆଧ୍ୟାତ୍ମିକ ବିକାଶ ଓ ପ୍ରଗତିରେ ସାହାଯ୍ୟ କରିଥାନ୍ତି । ବେଳେବେଳେ ସେଗୁଡ଼ିକ ମଧ୍ୟ ବନ୍ଧନକାରକ ପ୍ରତୀତ ହୁଅନ୍ତି, କିନ୍ତୁ ବାସ୍ତବରେ ସେମାନେ ସାଁବାଳୁଆର କୋଷା ପରି ଅଟନ୍ତି । ସେଗୁଡ଼ିକ ଆମର ଦୋଷ ସବୁ ଧୋଇ ଦିଅନ୍ତି, ଆନ୍ତରିକ ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି ଏବଂ ସାଂସାରିକ ଜୀବନର ଶୃଙ୍ଖଳ ଛିନ୍ନ କରିବାରେ ସାହାଯ୍ୟ କରନ୍ତି । ସେଥିପାଇଁ ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହିସବୁ ପବିତ୍ର କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ । ବର୍ତ୍ତମାନ ସେ ଏହି ସବୁ କର୍ମ ସମ୍ପାଦନ କରିବାର ସଠିକ୍ ମନୋଭାବ ବିଷୟରେ ପ୍ରକାଶ କରି, ତାଙ୍କର ଉକ୍ତିକୁ ପୁଷ୍ଟ କରୁଛନ୍ତି ।