ନ ହି ଦେହଭୃତା ଶକ୍ୟଂ ତ୍ୟକ୍ତୁଂ କର୍ମାଣ୍ୟଶେଷତଃ ।
ଯସ୍ତୁ କର୍ମଫଳତ୍ୟାଗୀ ସ ତ୍ୟାଗୀତ୍ୟଭିଧୀୟତେ ।।୧୧।।
ନ- ନୁହେଁ; ହି-ନିଶ୍ଚିତଭାବେ; ଦେହ-ଭୃତା- ଦେହଧାରୀ ମାନଙ୍କର; ଶକ୍ୟଂ-ସମ୍ଭବ; ତ୍ୟକ୍ତୁଂ- ତ୍ୟାଗ କରିବାକୁ; କର୍ମାଣି- କର୍ମମାନ; ଅଶେଷତଃ-ସମ୍ପୂର୍ଣ୍ଣ ରୂପେ; ଯଃ- ଯିଏ;ତୁ -କିନ୍ତୁ; କର୍ମ-ଫଳ -କର୍ମର ଫଳ; ତ୍ୟାଗୀ-ତ୍ୟାଗୀ; ସଃ-ସେ; ତ୍ୟାଗୀ-ତ୍ୟାଗୀ; ଇତି-ଏହିପରି; ଅଭିଧୀୟତେ-କୁହାଯାଏ ।
Translation
BG 18.11: ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।
Commentary
ଏଠାରେ ଯୁକ୍ତି କରାଯାଇପାରେ ଯେ କର୍ମଫଳ ତ୍ୟାଗ କରିବା ଠାରୁ ସମସ୍ତ କର୍ମ ତ୍ୟାଗ କରିବା ଭଲ ଅଟେ, କାରଣ ସେପରି କରିବା ଦ୍ୱାରା ସାଧନା କିମ୍ବା ଧ୍ୟାନରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । ଶ୍ରୀକୃଷ୍ଣ ଏପରି ଯୁକ୍ତିକୁ ଖଣ୍ଡନ କରି କହୁଛନ୍ତି ଯେ ଶରୀରଧାରୀ ମନୁଷ୍ୟ ପାଇଁ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ସମ୍ଭବ ନୁହେଁ । ଶରୀର ରକ୍ଷା ପାଇଁ କେତେକ ମୌଳିକ କର୍ମ, ଯେପରିକି, ଖାଇବା, ଶୋଇବା, ଗାଧୋଇବା ଇତ୍ୟାଦି କରିବା ଅନିର୍ବାର୍ଯ୍ୟ ଅଟେ । ଏତଦ୍ବ୍ୟତୀତ, ଛିଡ଼ାହେବା, ବସିବା, ଚିନ୍ତା କରିବା, ଚାଲିବା, କଥାବାର୍ତ୍ତା ହେବା ଇତ୍ୟାଦି କର୍ମଗୁଡ଼ିକୁ ଉପେକ୍ଷା କରାଯାଇ ପାରିବ ନାହିଁ । ଯଦି ଆମେ ବାହ୍ୟରୂପରେ କର୍ମ ତ୍ୟାଗକୁ ତ୍ୟାଗ ବୋଲି ଭାବିବା, ତା ହେଲେ କୌଣସି ବ୍ୟକ୍ତି ପ୍ରକୃତରେ ତ୍ୟାଗୀ ହୋଇପାରିବେ ନାହିଁ । କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯଦି ଜଣେ କର୍ମଫଳକୁ ତ୍ୟାଗ କରିପାରିବ, ଏହାକୁ ବାସ୍ତବିକ ତ୍ୟାଗ ବିବେଚନା କରାଯିବ ।