Bhagavad Gita: Chapter 18, Verse 35

ଯୟା ସ୍ୱପ୍ନଂ ଭୟଂ ଶୋକଂ ବିଷାଦଂ ମଦମେବ ଚ ।
ନ ବିମୁଞ୍ଚତି ଦୁର୍ମେଧା ଧୃତିଃ ସା ପାର୍ଥ ତାମସୀ ।।୩୫।।

ଯୟା-ଯାହାଦ୍ୱାରା; ସ୍ୱପ୍ନଂ-ସ୍ୱପ୍ନ; ଭୟଂ-ଭୟ; ଶୋକଂ-ଶୋକ; ବିଷାଦଂ-ବିଷାଦ; ମଦଂ-ଛଳ; ଏବ-ନିଶ୍ଚିତଭାବେ; ଚ-ଏବଂ; ନ-ନାହିଁ; ବିମୁଞ୍ଚତି-ତ୍ୟାଗ କରେ; ଦୁର୍ମେଧା-ବୁଦ୍ଧିହୀନ; ଧୃତିଃ-ସଂକଳ୍ପ; ସା-ତାହା; ପାର୍ଥ- ହେ ପୃଥାପୁତ୍ରା; ତାମସୀ-ତାମସିକ ।

Translation

BG 18.35: ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ , ତାହାକୁ ତାମସିକ ସଂକଳ୍ପ କୁହାଯାଏ ।

Commentary

ବୁଦ୍ଧିହୀନ ଏବଂ ମୁର୍ଖମାନଙ୍କ ଠାରେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଦେଖାଯାଇଥାଏ । କିନ୍ତୁ ଏହା ଭୟ, ଅଶାନ୍ତି ଏବଂ ଅହଂକାରରୁ ଉତ୍ପନ୍ନ ଜିଦ୍‌ଖୋର ମନୋବୃତ୍ତି ଅଟେ । ଉଦାହରଣ ସ୍ୱରୂପ, କେତେକ ବ୍ୟକ୍ତି ଭୟ-ମନୋଭାବର ଶୀକାର ହୋଇଥାନ୍ତି ଏବଂ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ନିଜ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରି, ସେମାନେ ତାକୁ ଦୃଢ଼ ଭାବରେ ଧରି ରଖିଥାନ୍ତି । ଆଉ କେତେଜଣ ଅଛନ୍ତି, ଯେଉଁମାନେ ଅତୀତରେ ଘଟିଥିବା କିଛି ଅଘଟଣକୁ ଦୃଢ଼ତାର ସହ ସ୍ମୃତିରେ ଧାରଣ କରି ନିଜ ଜୀବନକୁ ନର୍କରେ ପରିଣତ କରିଥାନ୍ତି । ଏହାର ବିନାଶକାରୀ ପ୍ରଭାବ ତାଙ୍କ ଉପରେ ପଡ଼ୁଥିବାର ଲକ୍ଷ୍ୟ କରି ମଧ୍ୟ ସେମାନେ ଏହାକୁ ତ୍ୟାଗ କରନ୍ତି ନାହିଁ । ଅନ୍ୟମାନେ, ଯିଏ ତାଙ୍କର ଅହଂକାରକୁ ଏବଂ ନିଜ ସମ୍ବନ୍ଧରେ ତାଙ୍କର କଳ୍ପିତ ଧାରଣାକୁ ଆହତ କରନ୍ତି, ସେମାନଙ୍କ ସହିତ କଳହରେ ଲିପ୍ତ ରହନ୍ତି । ଏହିପରି ନିଷ୍ଫଳ ଭାବନାକୁ ଜିଦ୍ ପୂର୍ବକ ଦୃଢ଼ ଭାବରେ ଧରି ରଖିବାର ସଂକଳ୍ପକୁ, ଶ୍ରୀକୃଷ୍ଣ ତାମସିକ ଗୁଣଯୁକ୍ତ ଭାବରେ ଅଭିହିତ କରିଛନ୍ତି ।