Bhagavad Gita: Chapter 18, Verse 26

ମୁକ୍ତସଙ୍ଗୋଽନହଂବାଦୀ ଧୃତ୍ୟୁତ୍ସାହସମନ୍ୱିତଃ ।
ସିଦ୍ଧ୍ୟସିଦ୍ଧ୍ୟୋର୍ନିର୍ବିକାରଃ କର୍ତା ସାତ୍ତ୍ୱିକ ଉଚ୍ୟତେ ।।୨୬।।

ମୁକ୍ତସଙ୍ଗଃ- ଭୌତିକ ଆସକ୍ତିରୁ ମୁକ୍ତ; ଅନହଂବାଦୀ-ମିଥ୍ୟାହଙ୍କାର ରହିତ; ଧୃତି -ଦୃଢ଼ ସଂକଳ୍ପ; ଉତ୍ସାହ -ଉତ୍ସାହ; ସମନ୍ୱିତଃ- ଯୁକ୍ତ; ସିଦ୍ଧି-ଅସିଦ୍ଧ୍ୟୋଃ -ଜୟ ଓ ପରାଜୟରେ; ନିର୍ବିକାରଃ - ଉଦାସୀନ; କର୍ତ୍ତା-କର୍ତ୍ତା; ସାତ୍ତ୍ୱିକଃ-ସାତ୍ତ୍ୱିକ; ଉଚ୍ୟତେ-କୁହାଯାଏ ।

Translation

BG 18.26: ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।

Commentary

ଶ୍ରୀକୃଷ୍ଣ ପୂର୍ବରୁ କର୍ମର ତିନୋଟି ଉପାଦାନ - ଜ୍ଞାନ, ସ୍ୱୟଂ କର୍ମ ଏବଂ କର୍ତ୍ତା ବିଷୟରେ କହିଥିଲେ । ସେମାନଙ୍କ ମଧ୍ୟରୁ ଜ୍ଞାନ ଓ କର୍ମର ଶ୍ରେଣୀ ବର୍ଣ୍ଣନା କରିବା ପରେ, ସେ ବର୍ତ୍ତମାନ ତିନି ଶ୍ରେଣୀର କର୍ତ୍ତାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ସତ୍ତ୍ୱଗୁଣୀ ବ୍ୟକ୍ତି ଅକର୍ମଣ୍ୟ ନୁହଁନ୍ତି, ବରଂ ସେମାନେ ଉତ୍ସାହ ଓ ଦୃଢ଼ତାର ସହିତ କାର୍ଯ୍ୟ କରିଥାନ୍ତି । ପାର୍ଥକ୍ୟ ଏହା ଯେ ସେମାନଙ୍କର କର୍ମ ଉପଯୁକ୍ତ ମନୋଭାବରେ କରାଯାଇଥାଏ । ସାତ୍ତ୍ୱିକ କର୍ତ୍ତାଗଣ ମୁକ୍ତସଙ୍ଗ ଅର୍ଥାତ୍ ସେମାନେ ସାଂସାରିକ ବିଷୟରେ ଆସକ୍ତ ହୁଅନ୍ତି ନାହିଁ, କିମ୍ବା ସାଂସାରିକ ବସ୍ତୁ ତାଙ୍କ ଆତ୍ମାକୁ ଆନନ୍ଦ ଦେଇପାରିବ ବୋଲି ବିଶ୍ୱାସ କରନ୍ତି ନାହିଁ । ତେଣୁ ସେମାନଙ୍କର କର୍ମ ମହତ୍ ଉଦ୍ଦେଶ୍ୟରେ ହୋଇଥାଏ । ଉଦ୍ଦେଶ୍ୟ ମହତ୍ ହୋଇଥିବା କାରଣରୁ, ସେମାନେ ତାଙ୍କ ଉଦ୍ୟମରେ ସର୍ବଦା ଉତ୍ସାହ (ଉତ୍ସାହପୂର୍ଣ୍ଣ) ଏବଂ ଧୃତି (ସଂକଳ୍ପବଦ୍ଧ) ଯୁକ୍ତ ହୋଇଥାନ୍ତି । ସେମାନେ ଅବିଶ୍ରାନ୍ତ ଭାବରେ କାର୍ଯ୍ୟ କରି ତାଙ୍କର ମହତ ଉଦ୍ଦେଶ୍ୟ ପୂରଣ କରିଥାନ୍ତି । କିନ୍ତୁ ତା’ ସତ୍ତ୍ୱେ ବି ସେମାନେ ଅନହମ୍ ବାଦୀ (ଅହଂକାର ଶୂନ୍ୟ) ହୋଇଥାନ୍ତି ଏବଂ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଭଗବାନଙ୍କୁ ଦେଇଥାନ୍ତି ।