Bhagavad Gita: Chapter 18, Verse 65

ମନ୍ମନା ଭବ ମଦ୍ଭକ୍ତୋ ମଦ୍ଦ୍ୟ।।ଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଽସି ମେ ।।୬୫।।

ମତ୍ ମନାଃ- ମୋର ସ୍ମରଣ କର; ଭବ-ହୁଅ; ମତ୍‌-ଭକ୍ତଃ-ମୋର ଭକ୍ତ; ମତ୍‌-ୟାଜୀ-ମୋର ଉପାସନା କର; ମାଂ -ମୋତେ; ନମସ୍କୁରୁ-ପ୍ରଣାମ କର; ମାଂ-ମୋତେ; ଏବ-ନିଶ୍ଚିତଭାବେ; ଏଷ୍ୟସି-ତୁମେ ଆସିବ; ସତ୍ୟଂ-ପ୍ରକୃତରେ; ତେ-ତୁମକୁ; ପ୍ରତିଜାନେ-ମୁଁ ପ୍ରତିଜ୍ଞା କରୁଛି; ପ୍ରିୟଃ-ପ୍ରିୟ; ଅସି-ଅଟ; ମେ-ମୋର ।

Translation

BG 18.65: ସର୍ବଦା ମୋର ସ୍ମରଣ କର, ମୋର ଭକ୍ତି କର, ମୋର ଉପାସନା କର ଏବଂ ମୋତେ ପ୍ରଣାମ କର । ଏହିପରି କରିବା ଦ୍ୱାରା ତୁମେ ନିଶ୍ଚିତ ଭାବରେ ମୋ ପାଖକୁ ଆସିବ । ଏହା ମୋର ପ୍ରତିଜ୍ଞା ଅଟେ, କାରଣ ତୁମେ ମୋର ଅତି ପ୍ରିୟ ଅଟ ।

Commentary

ଶ୍ରୀକୃଷ୍ଣ ନବମ ଅଧ୍ୟାୟରେ ଅର୍ଜୁନଙ୍କୁ ଗୁଢ଼ତମ ଜ୍ଞାନ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ ଏବଂ ଭକ୍ତିର ମହିମା ଗାନ କରିଥିଲେ । ଏଠାରେ ସେ ଶ୍ଳୋକ ୯.୩୪ର ପ୍ରଥମ ଧାଡ଼ିକୁ ପୁନରାବୃତ୍ତି କରି, ସେ ତାଙ୍କୁ ଭକ୍ତି କରିବାକୁ କହୁଛନ୍ତି । ଶ୍ରୀକୃଷ୍ଣଙ୍କ ପ୍ରତି ହୃଦୟରେ ଗଭୀର ପ୍ରେମ ବିକଶିତ କରି ଏବଂ ଅନନ୍ୟ ଭକ୍ତି ସହ ମନକୁ ତାଙ୍କଠାରେ ନିମଗ୍ନ କରି, ଅର୍ଜୁନ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରିବା ସୁନିଶ୍ଚିତ । ଭକ୍ତିରେ ପୂର୍ଣ୍ଣତଃ ନିମଗ୍ନ ଏପରି ଏକ ଆଦର୍ଶ ଉଦାହରଣ ହେଉଛନ୍ତି ରାଜା ଅମ୍ବରିଶ । ଶ୍ରୀମଦ୍ ଭାଗବତମ୍ ବର୍ଣ୍ଣନା କରେ:

ସ ବୈ ମନଃ କୃଷ୍ଣ-ପଦାରବିନ୍ଦୟୋର୍ ବଚାଂସି ବୈକୁଣ୍ଠ-ଗୁଣାନୁବର୍ଣ୍ଣନେ
କରୌ ହରେର୍ ମନ୍ଦିର-ମାର୍ଜନାଦିଷୁ ଶ୍ରୁତିଂ ଚକାରାଚ୍ୟୁତ-ସତ୍‌-କଥୋଦୟେ
ମୁକୁନ୍ଦ-ଲିଙ୍ଗାଳୟ-ଦର୍ଶନେ ଦୃଶୌ ତଦ୍‌-ଭୃତ୍ୟ-ଗାତ୍ର-ସ୍ପର୍ଶେଽଙ୍ଗ-ସଂଗମମ୍‌
ଘ୍ରାଣଂ ଚ ତତ୍‌-ପାଦ-ସରୋଜ-ସୌରଭେ ଶ୍ରୀମତ୍‌-ତୁଲସ୍ୟା ରସନାଂ ତଦ୍ ଅର୍ପିତେ
ପାଦୌ ହରେଃ କ୍ଷେତ୍ର-ପଦାନୁସର୍ପଣେ ଶିରୋ ହୃଷୀକେଶ-ପଦାଭିବନ୍ଦନେ
କାମଂ ଚ ଦାସ୍ୟେ ନ ତୁ କାମ-କାମ୍ୟୟା ଯଥୋତ୍ତମଶ୍ଳୋକ-ଜନାଶ୍ରୟା ରତିଃ (୯.୪.୧୮-୨୦)

“ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ଅମ୍ବରିଶ ତାଙ୍କ ମନକୁ ନିମଗ୍ନ ରଖୁଥିଲେ, ବାଣୀରେ ସେ ଶ୍ରୀକୃଷ୍ଣଙ୍କର ଯଶଗାନ କରୁଥିଲେ, ହସ୍ତରେ ମନ୍ଦିର ମାର୍ଜନା କରୁଥିଲେ, କର୍ଣ୍ଣଦ୍ୱାରା ପ୍ରଭୁଙ୍କର ଦିବ୍ୟ ଲୀଳା ଶ୍ରବଣ କରୁଥିଲେ । ସେ ତାଙ୍କ ଚକ୍ଷୁରେ ଭଗବାନଙ୍କର ବିଗ୍ରହ ଦର୍ଶନ କରୁଥିଲେ, ତାଙ୍କ ଅଙ୍ଗ ଦ୍ୱାରା ଭକ୍ତମାନଙ୍କର ଶରୀର ସ୍ପର୍ଶ କରୁଥିଲେ, ତାଙ୍କ ନାସିକା ଭଗବାନଙ୍କ ଚରଣରେ ଅର୍ପିତ ତୁଳସୀର ସୁଗନ୍ଧ ଆଘ୍ରାଣ କରୁଥିଲା ଏବଂ ତାଙ୍କ ଜିହ୍ୱା ଭଗବାନଙ୍କ ପ୍ରସାଦ ସେବନ କରୁଥିଲା । ସେ ତାଙ୍କର ପାଦକୁ ପବିତ୍ର ତୀର୍ଥଯାତ୍ରା ସକାଶେ ବ୍ୟବହାର କରୁଥିଲେ ଏବଂ ତାଙ୍କ ମସ୍ତକ ଭଗବାନଙ୍କୁ ପ୍ରଣତି ଜଣାଉଥିଲା । ସେ ପୁଷ୍ପମାଲ୍ୟ, ଚନ୍ଦନ ଆଦି ସମସ୍ତ ସାମଗ୍ରୀ ଭଗବାନଙ୍କ ସେବାରେ ଅର୍ପଣ କରୁଥିଲେ । ଏହି ସମସ୍ତ କ୍ରିୟା ସେ ନିଜ ସ୍ୱାର୍ଥ ପୂରଣ ଉଦ୍ଦେଶ୍ୟରେ ନ କରି, ନିଜର ଶୁଦ୍ଧିକରଣ ଦ୍ୱାରା ଭଗବାନଙ୍କର ନିଷ୍କାମ ପ୍ରେମ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ କରୁଥିଲେ ।”

ହୃଦୟର ସହିତ ନିଜକୁ ପୂର୍ଣ୍ଣତଃ ଭଗବାନଙ୍କ ଭକ୍ତିରେ ନିୟୋଜିତ କରିବାର ନିର୍ଦ୍ଦେଶ ହିଁ ସମସ୍ତ ଶାସ୍ତ୍ରମାନଙ୍କର ସାରତତ୍ତ୍ୱ ଏବଂ ସମସ୍ତ ଜ୍ଞାନର ସାରମର୍ମ ଅଟେ । କିନ୍ତୁ ଏହା ଶ୍ରୀକୃଷ୍ଣ ପ୍ରଦାନ କରିଥିବା ଗୁଢ଼ତମ ଜ୍ଞାନ ନୁହେଁ, କାରଣ ପୂର୍ବରୁ ସେ ଏହା କହି ସାରିଛନ୍ତି । ବର୍ତ୍ତମାନ ପରବର୍ତ୍ତୀ ଶ୍ଳୋକରେ ସେ ସେହି ଗୁହ୍ୟତମ ଜ୍ଞାନ ପ୍ରକାଶ କରୁଛନ୍ତି ।