ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ।
ଇଷ୍ଟୋଽସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍ ।।୬୪।।
ସର୍ବଗୁହ୍ୟତମଂ-ସର୍ବାଧିକ ଗୁପ୍ତ; ଭୂୟଃ-ପୁନର୍ବାର; ଶୃଣୁ-ଶୁଣ; ମେ-ମୋ ଠାରୁ; ପରମଂ-ପରମ; ବଚଃ-ଉପଦେଶ; ଇଷ୍ଟଃ ଅସି- ତୁମେ ମୋର ଅତିପ୍ରିୟ; ମେ-ମୋର; ଦୃଢ଼ଂ-ଅତ୍ୟନ୍ତ; ଇତି-ଏହିପରି; ତତଃ-ତେଣୁ; ବକ୍ଷ୍ୟାମି- ମୁଁ କହିବି; ତେ -ତୁମର;ହିତମ୍-ମଙ୍ଗଳ ପାଇଁ ।
Translation
BG 18.64: ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।
Commentary
ଜଣେ ଶିକ୍ଷକ ଅତ୍ୟନ୍ତ ଗୁଢ଼ ଜ୍ଞାନ ଜାଣିଥାଇ ପାରନ୍ତି, କିନ୍ତୁ ସେ ଏହାକୁ ଛାତ୍ରମାନଙ୍କ ନିକଟରେ ପ୍ରକାଶ କରି ନ ପାରନ୍ତି । ତାହା ପ୍ରଦାନ କରିବା ପୂର୍ବରୁ ସେ ଅନେକ ବିଷୟର ଅନୁଧ୍ୟାନ କରିଥାନ୍ତି, ଯେପରିକି, ଛାତ୍ର ଏହା ଗ୍ରହଣ କରିବାକୁ ପ୍ରସ୍ତୁତ କି ନାହିଁ, ସେ ବୁଝିପାରିବେ କି ନାହିଁ, ଏହାର ଉପକାର କ’ଣ ଇତ୍ୟାଦି । ଭଗବଦ୍ ଗୀତାର ପ୍ରାରମ୍ଭରେ, ଅର୍ଜୁନ ସମ୍ମୁଖୀନ ହେଉଥିବା ସମସ୍ୟା ଦ୍ୱାରା ବିଚଳିତ ହୋଇପଡ଼ିଛନ୍ତି ଏବଂ ଶ୍ରୀକୃଷ୍ଣଙ୍କୁ ମାର୍ଗଦର୍ଶନ ପାଇଁ ଅନୁରୋଧ କରିଛନ୍ତି । ଶ୍ରୀକୃଷ୍ଣ ଅତି ଯତ୍ନର ସହିତ ସୁବିଚାରିତ ଶୈଳୀରେ, ଅଠରଗୋଟି ଅଧ୍ୟାୟ ମାଧ୍ୟମରେ, ଧୀରେ ଧୀରେ ତାଙ୍କର ଧୀଶକ୍ତିକୁ ଜ୍ଞାନସିକ୍ତ କରିଛନ୍ତି । ଅର୍ଜୁନ ସେହିସବୁ ଉପଦେଶକୁ ଅତି ସୁନ୍ଦର ଭାବରେ ଗ୍ରହଣ କରୁଥିବାର ଦେଖି, ଶ୍ରୀକୃଷ୍ଣଙ୍କର ବିଶ୍ୱାସ ଉତ୍ପନ୍ନ ହୋଇଛି ଯେ ଅର୍ଜୁନ ଏହି ଅନ୍ତିମ ଏବଂ ଗୁଢ଼ତମ ଜ୍ଞାନକୁ ମଧ୍ୟ ହୃଦ୍ବୋଧ କରିପାରିବେ । ପୁଣି ସେ କହୁଛନ୍ତି, ଇଷ୍ଟୋଽସି ମେ ଦୃଢ଼ମିତି, ଅର୍ଥାତ୍, “ମୁଁ ଏହା ତୁମକୁ କହୁଛି କାରଣ ତୁମେ ମୋର ଅତି ପ୍ରିୟ ସଖା ଅଟ । ମୁଁ ତୁମ ପାଇଁ ଅତି ବେଶୀ ଚିନ୍ତିତ ଏବଂ ଆନ୍ତରିକ ଭାବରେ ମୁଁ ତୁମର ମଙ୍ଗଳ କାମନା କରେ ।”