Bhagavad Gita: Chapter 18, Verse 9

କାର୍ଯ୍ୟମିତ୍ୟେବ ଯତ୍କର୍ମ ନିୟତଂ କ୍ରିୟତେଽର୍ଜୁନ ।
ସଙ୍ଗଂ ତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସାତ୍ତ୍ୱିକୋ ମତଃ ।।୯।।

କାର୍ଯ୍ୟଂ -କର୍ତ୍ତବ୍ୟ; ଇତି-ଭାବରେ; ଏବ-ବାସ୍ତବରେ; ଯତ୍‌-ଯାହା; କର୍ମ ନିୟତଂ-ବିହିତ କର୍ମ; କ୍ରିୟତେ-କରାଯାଏ; ଅର୍ଜୁନ- ହେ ଅର୍ଜୁନ; ସଙ୍ଗଂ-ଆସକ୍ତି; ତ୍ୟକ୍ତ୍ୱା-ତ୍ୟାଗ କରି; ଫଳଂ-ଫଳ; ଚ-ଏବଂ; ଏବ-ନିଶ୍ଚିତରୂପେ; ସଃ-ତାହା; ତ୍ୟାଗଃ-ତ୍ୟାଗ; ସାତ୍ତ୍ୱିକଃ-ସତ୍ତ୍ୱଗୁଣବିଶିଷ୍ଟ; ମତଃ-ବିବେଚିତ ହୁଏ ।

Translation

BG 18.9: ହେ ଅର୍ଜୁନ ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ଉଚ୍ଚଶ୍ରେଣୀର ତ୍ୟାଗ ବିଷୟରେ ଆଲୋଚନା କରୁଛନ୍ତି, ଯେଉଁଠାରେ ଆମେ ବିହିତ କର୍ମ କରିଥାଉ, କିନ୍ତୁ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥାଉ । ସେ ଏହାକୁ ସର୍ବଶ୍ରେଷ୍ଠ ତ୍ୟାଗ ରୂପେ ଅଭିହିତ କରିଛନ୍ତି, ଯାହା ସାତ୍ତ୍ୱିକ ଗୁଣରେ ସ୍ଥିତ ହୋଇଥାଏ ।

ଆଧ୍ୟାତ୍ମିକ ଲକ୍ଷ୍ୟପ୍ରାପ୍ତି ପାଇଁ ନିଶ୍ଚିତ ଭାବେ ତ୍ୟାଗର ଆବଶ୍ୟକତା ଅଛି । କିନ୍ତୁ ସମସ୍ୟା ଏହା ଯେ ମନୁଷ୍ୟ ମାନଙ୍କର ତ୍ୟାଗ ବିଷୟରେ ଧାରଣା ଅତ୍ୟନ୍ତ ସଂକୀର୍ଣ୍ଣ ଅଟେ ଏବଂ କର୍ମତ୍ୟାଗ କହିଲେ ସେମାନେ ବାହ୍ୟତଃ କର୍ମର ତ୍ୟାଗକୁ ହିଁ ବୁଝିଥାନ୍ତି । ଏହିପରି ତ୍ୟାଗ ପ୍ରତାରଣା ଅଟେ, ଯେଉଁଠାରେ ବ୍ୟକ୍ତି ତ୍ୟାଗୀର ବସ୍ତ୍ର ଧାରଣ କରିଥିଲେ ମଧ୍ୟ, ଆଭ୍ୟନ୍ତରୀଣ ସ୍ତରରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କର ଧ୍ୟାନ କରୁଥାଏ । ଭାରତରେ ଅନେକ ସାଧୁ ଅଛନ୍ତି, ଯେଉଁମାନେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଭଗବତ୍ ପ୍ରାପ୍ତିର ମହତ୍ ଉଦ୍ଦେଶ୍ୟ ନେଇ ସେମାନେ ସଂସାର ତ୍ୟାଗ କରିଥିଲେ, କିନ୍ତୁ ଯେହେତୁ ତାଙ୍କର ମନ ଇନ୍ଦ୍ରିୟଭୋଗ ବିଷୟ ପ୍ରତି ଅନାସକ୍ତ ନ ଥିଲା, ସେମାନଙ୍କର ତ୍ୟାଗ, ଇପ୍‌ସିତ ଫଳ ପ୍ରଦାନ କଲା ନାହିଁ । ଫଳସ୍ୱରୂପ, ସେମାନେ ଦେଖିବାକୁ ପାଆନ୍ତି ଯେ ଆଧ୍ୟାତ୍ମିକ କ୍ଷେତ୍ରରେ ସେମାନେ କିଞ୍ôଚତ୍ ବି ଅଗ୍ରଗତି କରିପାରୁ ନାହାଁନ୍ତି । ଭୁଲ ତାଙ୍କ କ୍ରମରେ ଥାଏ- ସେମାନେ ପ୍ରଥମେ ବାହ୍ୟ ତ୍ୟାଗ ପାଇଁ ଏବଂ ପରେ ଭିତରର ଅନାସକ୍ତି ପାଇଁ ଚେଷ୍ଟା କରିଥାଆନ୍ତି । ଏହି ଶ୍ଳୋକରେ ଏହି କ୍ରମକୁ ଓଲଟା କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି - ପ୍ରଥମେ ଭିତରେ ଅନାସକ୍ତି ଉତ୍ପନ୍ନ କର ଏବଂ ତା’ପରେ ବାହ୍ୟରୂପରେ ତ୍ୟାଗ କର ।