Bhagavad Gita: Chapter 18, Verse 74

ସଞ୍ଜୟ ଉବାଚ
ଇତ୍ୟହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନଃ ।
ସଂବାଦମିମମଶ୍ରୌଷମଦ୍ଭୁତଂ ରୋମହର୍ଷଣମ୍ ।।୭୪।।

ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଇତି- ଏହିପରି; ଅହଂ- ମୁଁ; ବାସୁଦେବସ୍ୟ-ଶ୍ରୀକୃଷ୍ଣଙ୍କର; ପାର୍ଥସ୍ୟ-ଅର୍ଜୁନଙ୍କର; ଚ-ଏବଂ; ମହାତ୍ମନଃ- ଦୁଇ ମହାତ୍ମା; ସଂବାଦଂ-ସଂବାଦ; ଇମମ୍‌-ଏହା; ଅଶ୍ରୌଷଂ- ଶୁଣିଲି; ଅଦ୍ଭୁତଂ-ଅଦ୍ଭୁତ; ରୋମହର୍ଷଣମ୍‌-ରୋମାଞ୍ଚକାରୀ ।

Translation

BG 18.74: ସଞ୍ଜୟ କହିଲେ: ଏହିପରି ଭାବରେ ମୁଁ ବାସୁଦେବ ପୁତ୍ର ଶ୍ରୀକୃଷ୍ଣ ଏବଂ ପୁଣ୍ୟାତ୍ମା ପୃଥାପୁତ୍ର ଅର୍ଜୁନଙ୍କର ଅଦ୍ଭୁତ ବାର୍ତ୍ତାଳାପ ଶୁଣିଲି । ଏହି ସନ୍ଦେଶ ଏତେ ରୋମାଞ୍ଚକର ଯେ ମୋର ଲୋମମୂଳ ଟାଙ୍କୁରି ଉଠୁଛି ।

Commentary

ଏହିପରି ଭାବରେ, ସଞ୍ଜୟ ଭଗବଦ୍ ଗୀତାର ଦିବ୍ୟ ସନ୍ଦେଶର ତାଙ୍କର ବର୍ଣ୍ଣନା ସମାପ୍ତ କରୁଛନ୍ତି । ସେ ଅର୍ଜୁନଙ୍କୁ ମହାତ୍ମା କହୁଛନ୍ତି, କାରଣ ଶ୍ରୀକୃଷ୍ଣଙ୍କର ଉପଦେଶକୁ ଅତ୍ୟନ୍ତ ମନଯୋଗ ସହକାରେ ଗ୍ରହଣ କରି ଅର୍ଜୁନ ଜ୍ଞାନୀ ହୋଇ ପାରିଛନ୍ତି । ତାଙ୍କର ଦିବ୍ୟ ବାର୍ତ୍ତାଳାପ ଶୁଣି, ସଞ୍ଜୟ କେତେ ବେଶୀ ଆଶ୍ଚର୍ଯ୍ୟଚକିତ ଏବଂ ସ୍ତମ୍ଭୀଭୂତ ହୋଇଛନ୍ତି ତାହା ସେ ପ୍ରକାଶ କରୁଛନ୍ତି । ଲୋମ ଟାଙ୍କୁରି ଉଠିବା ଗଭୀର ଭକ୍ତିର ଏକ ଲକ୍ଷଣ ଅଟେ । ଭକ୍ତି ରସାମୃତ ସିନ୍ଧୁ କହେ:

ସ୍ତମ୍ଭ ସ୍ୱେଦଽଥ ରୋମାଂଚଃ ସ୍ୱର ଭେଦୋଽଥ ବେପଥୁଃ
ବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟ ଇତ୍ୟଷ୍ଟୌ ସ୍ୱାତ୍ତିକାଃ ସ୍ମୃତାଃ

“ଭକ୍ତି ଉତ୍ସାହର ଆଠଗୋଟି ଲକ୍ଷଣ ହେଉଛି: ସ୍ତମ୍ଭ ବା ନିଶ୍ଚଳ ହୋଇଯିବା, ସ୍ୱେଦ ନିର୍ଗତ ହେବା, ଲୋମ ଟାଙ୍କୁରି ଉଠିବା, କଣ୍ଠରୁଦ୍ଧ ହେବା, କମ୍ପନ ଜାତ ହେବା, ଅଶ୍ରୁ ସ୍ରାବିତ ହେବା, ମୁଖ ମଣ୍ଡଳ ଶେତା ପଡିଯିବା ଏବଂ ମୂର୍ଚ୍ଛିତ ହୋଇଯିବା । ସଞ୍ଜୟ ଏପରି ପ୍ରଗାଢ଼ ଭକ୍ତି ଭାବନା ଅନୁଭବ କରୁଛନ୍ତି ଯେ ଦିବ୍ୟ ଆନନ୍ଦରେ ତାଙ୍କ ଲୋମ ଟାଙ୍କୁରି ଉଠୁଛି ।

ଜଣେ ପ୍ରଶ୍ନ କରିପାରନ୍ତି, ସଞ୍ଜୟ ଯୁଦ୍ଧକ୍ଷେତ୍ରର ବହୁଦୂରରେ ଥାଇ ଏହି ବାର୍ତ୍ତାଳାପ କିପରି ଶୁଣିଲେ ? ପରବର୍ତ୍ତୀ ଶ୍ଳୋକରେ ସେ ଏହାର ରହସ୍ୟ ଉନ୍ମୋଚନ କରିଛନ୍ତି ।